ମନ୍ତ୍ରୀ ଝିଅଙ୍କ କୋଭିଡ ମାର୍ଗଦର୍ଶିକା ଉଲ୍ଲଙ୍ଘନରେ ‘ଶୂନ୍ୟ ସହନଶୀଳତା’କୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ୱର: ସାରା ବିଶ୍ୱରେ ଏବେ କରୋନା ମହାମାରୀ ରୂପ ଧାରଣ କରିଛି। ଏସବୁ ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଛି। ସାମାଜିକ ଦୂରତା ମାନିବା ସହ ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଖୋଦ୍ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଝିଅ ତଥା ତାଙ୍କ ପ୍ରତିନିଧି ଦୀପାଳି ଦାସ ଏହି ନିୟମକୁ ଖୋଲା ଖୋଲି ଭାବେ ଉଲ୍ଲଙ୍ଘନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେଣୁ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ‘‘ଶୂନ୍ୟ ସହନଶୀଳତା’’ ନୀତି କାର୍ଯ୍ୟକାରୀ ହେବ ନା ନାହିଁ ବୋଲି ପ୍ରଶ୍ନ ଉଠାଇଛି ବିଜେପି । ଦଳର ମୁଖପାତ୍ର ଟଙ୍କଧର ତ୍ରିପାଠୀ ଏଥିନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।  କୋଭିଡ ନିୟମ ଉଲ୍ଲଙ୍ଘନକାରୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ ପାଇଁ ଜିରୋ ଟଲେରାନ୍ସ ଲାଗୁ ହେବ କି ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଟଙ୍କଧର।  ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ୯ ସୂତ୍ରୀ ନିୟମର ୧ ନମ୍ବରରେ ରହିଛି ସାମାଜିକ ଦୂରତା ନିୟମକୁ ପାଳନ କରିବା। କିନ୍ତୁ ଏହି ନିୟମକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଝିଅ ଅବମାନନା କରିଛନ୍ତି। ଦୀପାଳି ଦାସ ୫୦ ଊର୍ଦ୍ଧ୍ବ ଲୋକଙ୍କୁ ମେଳି କରି ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ଡିଆରଡିଏ କନଫରେନ୍ସ ହଲରେ କାର୍ଯ୍ୟକ୍ରମ କରିଛନ୍ତି। ଏଥିନେଇ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି ବୋଲି ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି। ସାରା ରାଜ୍ୟରେ ଯେତେବେଳେ କରୋନା ମହାମାରୀ ରୂପ ଧାରଣ କରିଛି ସେ ସମୟରେ ଖୋଦ୍ ମନ୍ତ୍ରୀଙ୍କ ଝିଅ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରିବା ଦଣ୍ଡନୀୟ ଅପରାଧ। ଅନ୍ୟପଟେ ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ସେ ନିଜର ସଭା ପାଇଁ ସରକାରୀ ସମ୍ମିଳନୀ କକ୍ଷକୁ କିପରି ବ୍ୟବହାର କଲେ ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି।

Comments are closed.