ଭୁବନେଶ୍ୱରରେ ବିଜେପି ପକ୍ଷରୁ ଏତଲା

ରାଜ୍ୟର ବିଭିନ୍ନ ଥାନାରେ ପୁଲିସ ବିରୋଧରେ ଏତଲା

ଭୁବନେଶ୍ୱର : ନବ ଦାସଙ୍କ ହତ୍ୟା ମାମଲା ଓ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ବିରୋଧରେ ବିଜେପି ଯୁବ ମୋର୍ଚ୍ଚାର ଆନ୍ଦୋଳନ ସମୟରେ ରାଜ୍ୟ ପୁଲିସ ପକ୍ଷରୁ ଷଡଯନ୍ତ୍ର କରି ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ମାଡ ମାରିବା ମାମଲାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଶୁକ୍ରବାର ରାଜ୍ୟର ବିଭିନ୍ନ ଥାନାରେ ଏତାଲା ଦିଆଯାଇଛି। ଏହି ପ୍ରସଙ୍ଗରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ଡିଜିପି, ଭୁବନେଶ୍ୱର ଡିସିପି ଓ ଭୁବନେଶ୍ବର-କଟକ ପୁଲିସ କମିଶନରଙ୍କ ନାଁରେ ବିଜେପି ପକ୍ଷରୁ ତିନୋଟି ଥାନାରେ ଏତଲା ଦିଆଯାଇଛି ।
ରାଜଧାନୀ ଭୁବନେଶ୍ୱରରେ ଆଜି ବହୁସଂଖ୍ୟକ ବିଜେପି କର୍ମୀ ଶୋଭାଯାତ୍ରାରେ ଯାଇ ରାଜଧାନୀର ଖାରବେଳ ନଗର, ଚନ୍ଦ୍ରଶେଖରପୁର ଓ ଏୟାରଫିଲ୍ଡ ଥାନାରେ ଏତଲା ଦେଇଛନ୍ତି। ସେହିଭଳି ରାଜ୍ୟର ବିଭିନ୍ନ ଥାନାରେ ଏଭଳି ଏତଲା ଦିଆଯାଇଥିବା ଜଣାପଡିଛି।
ଏହି ଅବସରରେ ବିଜେପି ପକ୍ଷରୁ କୁହାଯାଇଛି ଯେ,  ରାଜ୍ୟ ସରକାର ଗଣତାନ୍ତ୍ରିକ ପକ୍ରିୟାକୁ ହତ୍ୟା କରିବାର ଅପଚେଷ୍ଟା କରୁଛନ୍ତି। ଓଡ଼ିଶା ସରକାର ଅହଙ୍କାରର ଚରମସୀମାରେ ପହଞ୍ଚିଛି । କ୍ଷମତାର ଭୂତ ରାଜ୍ୟ ସରକାରଙ୍କ ମୁଣ୍ଡରେ ଶବାର ହୋଇଛି । ଗଣତାନ୍ତ୍ରୀକ ପଦ୍ଧତିରେ ଦାୟୀତ୍ୱ ନିର୍ବାହ କରୁଥିବା ବିରୋଧୀ ଦଳର କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ ଭୟର ବାତାବରଣ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି । ବିରୋଧୀ ଦଳର କାର୍ଯ୍ୟକର୍ତ୍ତାଙ୍କ ଉପରେ ବିଜେଡି ସରକାରର ହିଂସାତ୍ମକ ଆଭିମୁଖ୍ୟ ଓ ଆଚରଣ ଗଣତନ୍ତ୍ର ପ୍ରତି ବିପଦ। ରାଜ୍ୟବାସୀଙ୍କୁ ସୁରକ୍ଷା ପ୍ରଦାନ ଓ ତାଙ୍କ ସମସ୍ୟାର ସମାଧାନ ପରିବର୍ତ୍ତେ ବିଜେଡି ସରକାର ଅରାଜକତା ସୃଷ୍ଟି କରୁଛି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।
ଗତ ୨୮ ତାରିଖରେ ଯୁବମୋର୍ଚ୍ଚାର ଆନ୍ଦୋଳନକୁ ରାଜ୍ୟ ସରକାର ଯେଉଁ ଭଳି ଷଡଯନ୍ତ୍ର କରି ଆକ୍ରୋଶମୂଳକ ଭାବେ ଯୁବକମାନଙ୍କ ସ୍ୱରକୁ ଦମନ କରିବା ପାଇଁ ପ୍ରୟାସ କରିଛନ୍ତି ତାହା ଓଡିଶା ଇତିହାସରେ ପ୍ରଥମ। ରାଜ୍ୟ ସରକାରଙ୍କ ନିର୍ଦେଶରେ କିଛି ନିର୍ଦ୍ଧିଷ୍ଟ ପୁଲିସବାବୁ ମାନେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଗୋଇଠା, ବିଧାମାରି ଗୁରୁତର ଆହତ କରିବା ସହ ତାଙ୍କ ନାଁରେ ୩୦୭ ଭଳି ସଂଗୀନ ଦଫା ଲଗାଇ ଜେଲରେ ଭର୍ତ୍ତି କରିଛନ୍ତି। ବିରୋଧୀଙ୍କ ସ୍ୱରକୁ ଚାପି ଦେବା ପାଇଁ ଅତୀତରେ କୌଣସି ସରକାର କିମ୍ବା ପୁଲିସ ପ୍ରଶାସନ ଏଭଳି ହୀନ କାର୍ଯ୍ୟ କରିନଥିଲେ ବୋଲି ଦଳ ପକ୍ଷରୁ କୁହାଯାଇଛି।

Comments are closed.