ଖପୁରୀ ନେଇ ଦିଲ୍ଲୀରେ ପହଞ୍ଚିଲେ ତାମିଲନାଡୁ କୃଷକ, ସଂସଦକୁ ଯିବାକୁ ନ ଦେଲେ ଉଲଗ୍ନ ପଦଯାତ୍ରା ପାଇଁ ଚେତାବନୀ

0

ନୂଆଦିଲ୍ଲୀ : ବିଭିନ୍ନ ଦାବି ନେଇ ଦେଶର ବିଭିନ୍ନ କୋଣରୁ ସହସ୍ରାଧିକ କୃଷକ ଆସି ଗୁରୁବାର ଜାତୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛନ୍ତି। ତାମିଲନାଡୁ ଚାଷୀ ସାଥିରେ ମୃତ ଚାଷୀଙ୍କ ଖପୁରୀ ଆଣିଥିବା ଦେଖିବାକୁ ମିଳିଛି। ସେମାନେ ଦିଲ୍ଲୀରେ ଦୁଇ ଦିନ ପ୍ରତିବାଦ କରି ନିଜ ଦାବି ଉପସ୍ଥାପନ କରିବେ ବୋଲି କହିଛନ୍ତି। ସେମାନଙ୍କ ଦାବି ମଧ୍ୟରେ ନଷ୍ଟ ଫସଲ ପାଇଁ କ୍ଷତିପୂରଣ, ଋଣ ଛାଡ଼, ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ ଗୁଣା ବୃଦ୍ଧି ଆଦି ଅନ୍ତର୍ଭୁକ୍ତ ରହିଛି। ଗୁରୁବାର ସେମାନେ ବିଭିନ୍ନ ସ୍ଥାନରୁ ଶୋଭାଯାତ୍ରାରେ ଆସି ରାମଳୀଳା ମୈଦାନରେ ପହଞ୍ଚିଥିଲେ। ସେଠାରେ କୃଷକଙ୍କ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲେ। ଶୁକ୍ରବାର ସେମାନେ ସଂସଦ ପର୍ଯ୍ୟନ୍ତ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିବେ। ତେବେ ସଂସଦ ମାର୍ଗରେ ଯିବାକୁ ଦିଆ ନ ଗଲେ ଉଲଗ୍ନ ହୋଇ ପଦଯାତ୍ରା କରିବାକୁ କୃଷକ ସଂଗଠନଗୁଡ଼ିକ ଚେତାବନୀ ଦେଇଛନ୍ତି। ଏଥିରେ ଆନ୍ଧ୍ରପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶର ଚାଷୀ ଅଛନ୍ତି।
ଗୁରୁବାର କୃଷକମାନେ ଆନନ୍ଦବିହାର, ନିଜାମୁଦ୍ଦିନ, ବିଜୱାସାନ, ସବଜି ମଣ୍ଡି ରେଳ ଷ୍ଟେସନରେ ପହଞ୍ଚିବା ପରେ ସେଠାରୁ ଶୋଭାଯାତ୍ରାରେ ରାମଳୀଳା ମୈଦାନକୁ ଯାଇଥିଲେ।
ଅଖିଳ ଭାରତୀୟ କୃଷକ ସଂଘର୍ଷ ଓ ସମନ୍ୱୟ କମିଟି (ଏଆଇକେଏସ୍‍ସିସି) ପକ୍ଷରୁ ଏହି ପ୍ରତିବାଦ ଶୋଭାଯାତ୍ରା ଆୟୋଜନ କରାଯାଇଛି। ଏଆଇକେଏସ୍‍ସିସି ଅଧୀନରେ ୨୦୭ଟି କୃଷକ ସଂଗଠନ ଅଛନ୍ତି।

Leave A Reply