ପାକିସ୍ତାନର ଏୟାର ଷ୍ଟ୍ରାଇକ ପରେ ତାଲିବାନର ଧମକ, ପରିଣାମ ପାଇଁ ପ୍ରସ୍ତୁତ ରୁହ

ଡେସ୍କ: ଆଫଗାନ ଅଞ୍ଚଳରେ ପାକିସ୍ତାନର ଆକାଶ ମାର୍ଗରୁ ଆକ୍ରମଣ ଏବଂ ଆଫଗାନିସ୍ତାନ ପ୍ରଦେଶ ଉପରେ ରକେଟ ଆକ୍ରମଣ ବିରୋଧରେ ତାଲିବାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଶୁକ୍ରବାର ରାତିରେ ଖୋଷ୍ଟ ଅଞ୍ଚଳରେ ଏହି ଆକ୍ରମଣ ଫଳରେ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ କିମ୍ବା ଆହତ ହୋଇଥିବା ସୂଚନା ମିଳିଛି।

ଆଜି (ରବିବାର) ବହୁ ସଂଖ୍ୟାରେ ନଙ୍ଗରହର ବାସିନ୍ଦା ଏକତ୍ରିତ ହୋଇ ଆଫଗାନିସ୍ତାନ ମାଟିରେ ପାକିସ୍ତାନୀ ବିମାନ ଆକ୍ରମଣକୁ ବିରୋଧ କରିଛନ୍ତି ବୋଲି ଟୋଲୋ ନ୍ୟୁଜ୍ ରିପୋର୍ଟ କରିଛି। ଶନିବାର ସନ୍ଧ୍ୟାରେ ଖୋଷ୍ଟର ବାସିନ୍ଦାମାନେ ପାକିସ୍ତାନ ବିରୋଧୀ ସ୍ଲୋଗାନ ଦେଇଥିଲେ। ଜାତିସଂଘରେ ଆଫଗାନିସ୍ତାନର ରାଷ୍ଟ୍ରଦୂତ ଏକ ବିବୃତ୍ତିରେ ଏହି ଆକ୍ରମଣକୁ ଦୃଢ ନିନ୍ଦା କରିବା ସହ ଏହାକୁ ଆଫଗାନିସ୍ତାନର ଆଞ୍ଚଳିକ ଅଖଣ୍ଡତା ବିରୁଦ୍ଧରେ ଆକ୍ରମଣ ଏବଂ ଆନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି କହିଛନ୍ତି। ଏହା ପୂର୍ବରୁ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଖୋଷ୍ଟ ଏବଂ କୁନାର ପ୍ରଦେଶରେ ହୋଇଥିବା ଆକ୍ରମଣକୁ ନେଇ କାବୁଲରେ ପାକିସ୍ତାନୀ ରାଜଦୂତଙ୍କୁ ଡକାଇଥିଲା।

ଆଫଗାନିସ୍ତାନରେ ଜାତିସଂଘର ସହଯୋଗ ମିଶନ କହିଛି ଯେ ଏୟାର ଷ୍ଟ୍ରାଇକ୍ ଦ୍ୱାରା ସାଧାରଣ ନାଗରିକଙ୍କ ମୃତ୍ୟୁ ହେତୁ ଏହା ଗଭୀର ଚିନ୍ତିତ ଏବଂ ଏହି ଆହତଙ୍କ ପରିମାଣ ଯାଞ୍ଚ କରୁଛି। ଶନିବାର ଦିନ ଏକ ଟୁଇଟର ପୋଷ୍ଟରେ ମିଶନ କହିଛି, ଗତକାଲି ରାତିରେ ଖୋଷ୍ଟ ଏବଂ କୁନାର ପ୍ରଦେଶରେ ହୋଇଥିବା ଏୟାର ଷ୍ଟ୍ରାଇକ୍ ଯୋଗୁଁ ମହିଳା ଓ ଶିଶୁଙ୍କ ସମେତ ସାଧାରଣ ନାଗରିକଙ୍କ ମୃତ୍ୟୁ ଖବର ଚିନ୍ତାଜନକ।

ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ କରଜାଇ ମଧ୍ୟ ଏହି ଆକ୍ରମଣକୁ ମାନବିକତା ବିରୁଦ୍ଧରେ ଅପରାଧ ଏବଂ ଆଫଗାନିସ୍ତାନର ଜାତୀୟ ସର୍ବଭୋମତ୍ଵ ତଥା ଆନ୍ତର୍ଜାତୀୟ ନୀତିର ଉଲ୍ଲଂଘନ ବୋଲି କହିବା ସହ ନିନ୍ଦା କରିଛନ୍ତି। ଆଗାମୀ ଦିନରେ ଏଭଳି ଆକ୍ରମଣ ହେଲେ ପାକିସ୍ତାନ ପରିଣାମ ଭୋଗିବା ବୋଲି ତାଲିବାନ ସତର୍କ କରାଇଦେଇଛି।

Comments are closed.