ତାଲିବାନ ଗୁଳିରେ ୧୬ ପୁଲିସ ମୃତ, ୧୩ ଇଞ୍ଜିନିୟର, ୨୦ ରକ୍ଷୀ ଅପହୃତ

0

କାବୁଲ : ଇଦ୍‍ ଅସ୍ତ୍ରବିରତି ପରେ ଆଫଗାନିସ୍ତାନ ତାଲିବାନ ପକ୍ଷରୁ ସୁରକ୍ଷାବାହିନୀ ଏବଂ ସାଧାରଣ ନାଗରିକଙ୍କୁ ବାରମ୍ବାର ନିଶାଣ କରାଯାଇଛି। ତାଲିବାନ ଆତଙ୍କବାଦୀ ବାଘଦିସ ପ୍ରଦେଶରେ ଶୁକବ୍ରାର ସଂହାରଲୀଲା ରଚିଛନ୍ତି। ସେମାନେ ପ୍ରଥମେ ୧୬ ପୁଲିସ ଅଧିକାରୀଙ୍କୁ ହତ୍ୟା କରିଛନ୍ତି। କେବଳ ସେତିକି ନୁହେଁ; ଜଣେ ଅଧିକାରୀଙ୍କ ମୃତଦେହରେ ବୋମା ଖଞ୍ଜି ସେଠାରୁ ଚାଲିଯିବାରେ ବିସ୍ଫୋରଣ ଘଟି ୨ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ସ୍ଥାନୀୟ ଲୋକେ ଅଧିକାରୀମାନଙ୍କ ମୃତଦେହ ଏକାଠି କରିବାବେଳେ ବିସ୍ଫୋରଣ ଘଟିଥିଲା। ଆବକାମାରି ଜିଲା ଗଭର୍ଣ୍ଣର ହାଜି ସାଲେହ ବେକ୍‍ ଏହି ଗଣହତ୍ୟା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହାପୂର୍ବରୁ ଆତଙ୍କବାଦୀମାନେ ଆଫଗାନିସ୍ତାନ ସୁରକ୍ଷାବାହିନୀର ୩୦ ସୈନ୍ୟଙ୍କ ଗଣହତ୍ୟା କରି ଏକ ସାମରିକ ଘାଟି ଉପରେ କବ୍‍ଜା କରିନେଇଥିଲେ। ସେହିଭଳି ଅନ୍ୟ ଏକ ଘଟଣାରେ ତାଲିବାନ ଆତଙ୍କବାଦୀ କାନ୍ଦାହାରର ସ୍ପିନ୍‍ ବୋଲଡାକଠାରେ ୧୩ ଜଣ ଇଞ୍ଜିନିୟର୍‍ ଏବଂ ୨୦ ଜଣ ରକ୍ଷୀଙ୍କୁ ଅପହରଣ କରିନେଇଛନ୍ତି। ଏମାନେ ସ୍ଥାନୀୟ ଏକ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ଅପହୃତମାନଙ୍କୁ ଉଦ୍ଧାର କରିବାକୁ ଯାଇ ୪ ଜଣ ସୁରକ୍ଷାକର୍ମୀଙ୍କୁ ପ୍ରାଣ ହରାଇବାକୁ ପଡିଛି।

Leave A Reply