ସୁରିଲା ସଙ୍ଗୀତର ଯାଦୁଗର ସଫେଇ କର୍ମଚାରୀ ଗୌତମ

ବଲାଙ୍ଗିର : ସତରେ ଏମିତି କିଛି କିଛି ମଣିଷ ମେଳ ଖାଇ ଯାଆନ୍ତି ଦୁନିଆ ଭିଡ ଭିତରେ। ସେମାନେ ଆମ ଭିତରେ ଥା’ନ୍ତି…ହେଲେ ଆମେ ସେମାନଙ୍କୁ ଚିହ୍ନି ପାରୁନା କି ତାଙ୍କ ଗୁଣକୁ ବୁଝି ପାରୁନା। ସେମାନେ କରୁଥିବା କାମରେ ହିଁ ଆମ ମତଲବ୍ ଯେମିତି। ହେଲେ ଗୌତମ ତାର ବ୍ୟତିକ୍ରମ। ସକାଳୁ ଅଳିଆ ଆବର୍ଜନା ଉଠାଉଥିବା ଗୌତମଙ୍କ ଗୀତ ଥରୁଟିଏ କାନରେ ବାଜିଲେ ଚେଇଁ ଶୋଇଥିବା ଶ୍ରୋତା ତାଜା ହେଇଯିବ। ସେଇଁଥି ପାଇଁ ତ କେଉଁ ନେତା କି ବଡ ବାବୁଙ୍କ ପୁଅଙ୍କୁ ଆମେ କହୁନା ଜିନ୍ଦାବାଦ ଜିନ୍ଦାବାଦ। ଏଭଳି ମେହନତି କିନ୍ତୁ ନିଜ ସୁର ଭିତରେ ହଜି ରହୁଥିବା ଗୌତମଙ୍କ ପାଇଁ ଆମେ କହୁ ଜୀବନ ଜିନ୍ଦାବାଦ….ଆଉ ଆପଣ ବି କହିବେ ଜିନ୍ଦାବାଦ….ଜିନ୍ଦାବାଦ…..। ସୋମବାର ଭୋର ଭୋର ହାଲ୍କା ଶୀତୁଆ ସକାଳ…। ଭାରି ଅଳସୁଆ ସକାଳଟା…। ଏମିତିରେ ରାସ୍ତା କଡ଼ରୁ ଶୁଭେ ଗୀତଟିଏ। ତାହା ପୁଣି ଜଣାଶୁଣା ହିନ୍ଦୀ ଗାୟକ କୈଳାଶ ଖେରଙ୍କର। ଅବିକଳ ଆୱାଜ୍। ବୋଧେ କେହି ମୋବାଇଲ୍ ବଜାଇ ଗୀତ ଶୁଣୁଥିବ!!!!! ଏମିତି ସନ୍ଦେହ ଆମର ବି ହେଇଥିଲା। କିନ୍ତୁ ନା…ସେ ନଥିଲେ କୈଳାଶ ଖେର୍ କି ନା ବାଜୁଥିଲା ମୋବାଇଲ୍ର ମ୍ୟୁଜିକ୍। ଗୀତଟି ଥିଲା ‘ସୟାଁ….ସୟାଁ….ତୁ ଯୋ ଛୁଲେ ପ୍ୟାର୍ ସେ, ଆରାମ୍ ସେ ମେ ମରଯାଉ। ଆଜା ଚନ୍ଦା ବାହୋମେ ତୁଝମେ ଗୁମ୍ ହୋ ଯାଉ ମେଁ..ତେରେ ପ୍ୟାର୍ ମେ ଖୋ ଯାଉ ମେଁ………ଆରେ ୱାଃ….ଅଳସୁଆ ସକାଳଟି ସତେଜ ହୋଇ ଉଠିଥିଲା। ଆଉ ଝରକା କୋଣରୁ ପରଦା ଟେକି ଦେଖିବା ବେଳେ ସେ ଥିଲେ ଜଣେ ସଫେଇ କମଚାରୀ। ଦେହରେ କଳା ପ୍ୟାଣ୍ଟ ସାର୍ଟ ସାଙ୍ଗକୁ ସଫେଇ କର୍ମଚାରୀର ଢାଙ୍କୁଣି। ଅବାସ୍ତବ ବି ଲାଗିଲା….ହିନ୍ଦୀ କଳାକାଳଙ୍କ ଗୀତକୁ ଏତେ ସୁନ୍ଦର ଭାବେ ନକଲ କରି ପାରୁଥିବା ଓ ସ୍ୱରକୁ ସଜେଇ ପାରୁଥିବା ଯୁବକ ଜଣଙ୍କ ଜଣେ ସଫେଇ କର୍ମଚାରୀ ! ତାହା ପୁଣି ୨ଟି ଟିଣ ଜରିଆରେ ରାସ୍ତାରୁ ଅଳିଆ ଉଠାଉ ଉଠାଉ ସେ ଗାଇ ଚାଲିଥିଲେ ଗୀତଟି। ହଁ ଆଜ୍ଞା…ଆମେ କହୁଛୁ ଏହି ସଫେଇ କର୍ମଚାରୀରୁ ସୁରିଲା ସଙ୍ଗୀତ ଗାଉଥିବା ସଫେଇ କର୍ମଚାରୀ ଗୌତମ କୁମ୍ଭାରଙ୍କ କଥା। ସ୍ଥାନୀୟ ନନ୍ଦିନୀ ନଗରରେ ଗୌତମଙ୍କ ଘର। ସେ ସବୁ ଦିନ ଏମିତି ସକାଳେ ଅଳିଆ ସଫା କରନ୍ତି। ଅଳିଆ ଗାଡିରେ ସେ ସବୁକୁ ସାଉଁଟି ଡମ୍ପିଂ ୟାର୍ଡରେ ନେଇ ଫିଙ୍ଗନ୍ତି । ହେଲେ ତାଙ୍କର କିଛି ପଦ ଗୀତ ଶୁଣିବା ପରେ ଆମେ ଫରମାଇସ୍ କରିଥିଲୁ ଆଉ କିଛି ଗୀତ ଗାଇବାକୁ । ସେ ବି ଗାଇଥିଲେ ସେଇ ପୁରୁଣା ଓ ସୁନ୍ଦର ଅନ୍ଦାଜରେ। ହୁଏତ ରେକର୍ଡ ଯଦି ଖବର କାଗଜରେ ବାଜି ପାରୁଥାନ୍ତା ତା’ହେଲେ ପାଠକେ ଭଲ ଭାବେ ଶୁଣିପାରନ୍ତେ ଏହି ସଫେଇ କର୍ମଚାରୀଙ୍କ ସଙ୍ଗୀତକୁ। ଆମ ଅନୁରୋଧରେ ସେ ଗାଇଥିଲେ ‘ଶୋଲା ବର୍ଷି ବାଲି ଉମରକୋ ସଲାମ୍…..ଜିନା ଜିନା ଜିନାରେ ଉଡା ଗୁଲାଲ, ମାହି ତେରି ଚୁନର୍ ୟୋ ଲେହରାଇ…ଜବ୍ ଜବ୍ ମୁଝ୍ପେ ଉଠେ ସୱାଲ୍….ମିଲେ ହୋ ତୁମ୍ ହମ୍କେ ବଡେ ନସିବୋ ସେ….ଏମିତି କେତେ ଯେ ଗୀତ କାମ କରୁ କରୁ ଗାଇ ଚାଲିଥିଲେ ଗୌତମ । କାମ କରିବା କିନ୍ତୁ ବନ୍ଦ ହୋଇ ନଥିଲା । କାମ ସହ ସମ ସ୍ୱରରେ ଓ ସୁନ୍ଦର ଭାବେ ସେ ବଖାଣି ଦେଉଥିଲେ ଗୀତର ଭାବକୁ । ଏହାରି ଭିତରେ ଆମେ ନିଦରୁ ଉଠି କିଛି ଦୂର ଏମିତି ଗୌତମଙ୍କ ଗୀତରେ ଚାଲି ଚାଲି ପଳାଇଥିଲୁ ।

 

Comments are closed.