ବନ୍ଦ ହେବ ତାଳଚେର ଥର୍ମାଲ ପ୍ଲାଣ୍ଟ !

୩୧ ଡ଼ିସେମ୍ବରରେ ସରୁଛି ପରିବେଶ ମଞ୍ଜୁରୀ ଅବଧି

ତାଳଚେର : ଏନଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପ୍ଲାଣ୍ଟ (ଟିଟିପିଏସ)ର ପରିବେଶ ମଞ୍ଜୁରୀ ଅବଧି ଡିସେମ୍ବର ୩୧ରୁ ଶେଷ ହେଉଥିବାରୁ ଏହି ବିଦ୍ୟୁତ ପ୍ରକଳ୍ପ ଉକ୍ତ ଦିନ ମଧ୍ୟ ରାତ୍ରୀରୁ ବନ୍ଦ ହୋଇଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହି ବିଦ୍ୟୁତ ପ୍ରକଳ୍ପ ବନ୍ଦ ହୋଇଗଲେ ରାଜ୍ୟରେ ବିଦ୍ୟୁତ ଯୋଗାଣ ପ୍ରଭାବିତ ହେବା ସହ ଅନେକ ଅଞ୍ଚଳ ଅନ୍ଧାର ହୋଇଯିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।
ତାଳଚେର ଥର୍ମାଲ ପ୍ଲାଣ୍ଟର ୬ଟି ୟୁନିଟ୍‌ରୁ ୪୬୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇଅାସୁଛି ା ନୂତନ ପରିବେଶ ମଞ୍ଜୁରୀ ଏ ପର୍ଯ୍ୟନ୍ତ ମିଳି ନଥିବାରୁ ତାଳ​‌େ​‌ଚର ଥର୍ମାଲ ଓ ଏନଟିପିସି କର୍ତ୍ତୃପକ୍ଷ ଆଶା ଆଶଙ୍କାରେ ରହିଛନ୍ତି। ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ପ୍ଳାଣ୍ଟ ଚାଲୁ ରହିବ ା ନବବର୍ଷଠାରୁ ପରିବେଶ
ମଞ୍ଜୁରୀ ନମିଳିଲେ ବାଧ୍ୟ ହୋଇ ପ୍ଳାଣ୍ଟରୁ ବିଦ୍ୟୁତ ଉତ୍ପାଦନକୁ ବନ୍ଦ କରିଦିଆଯିବ ବୋଲି ଥର୍ମାଲର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ତାଳଚେରର ଏହି ତାପଜ ବିଦ୍ୟୁତ ପ୍ରକଳ୍ପ ୫୩ ବର୍ଷ ହେଲା ରାଜ୍ୟ ବିଦ୍ୟୁତ ବୋର୍ଡ଼ ଦ୍ବାରା ପରିଚାଳିତ ହେଉଥିଲା ା ଏହି ବିଦ୍ୟୁତ ପ୍ରକଳ୍ପରେ ବାରମ୍ବାର କ୍ଷତି ଏବଂ ବିଦ୍ୟୁତ ଉତ୍ପାଦନରେ କୌଣସି ଆଖିଦୃଶିଆ ସଫଳତା ନପାଇବାରୁୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ରାଜ୍ୟର ଏକମାତ୍ର ତାପଜ ବିଦ୍ୟୁତ ପ୍ରକଳ୍ପକୁ ଏନଟିପିସିକୁ ବିକ୍ରି କରିଥିଲେ। ୧୯୯୬ ଜୁନ ୩ରେ ତାଳ​‌େ​‌ଚର ଥର୍ମାଲକୁ ଏନଟିପିସି ଚୁକ୍ତିନାମା ଅନୁଯାୟୀ ଗ୍ରହଣ କରିବା ସହ ବିଦ୍ୟୁତ ପ୍ରକଳ୍ପର ସମସ୍ତ ଦାୟିତ୍ବ ନିଜ ହାତକୁ ନେଇଥିଲା। ଏନଟିପିସି ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ତାଳଚେର ଥର୍ମାଲର ବିଦ୍ୟୁତ ଉତ୍ପାଦନରେ ଉଲ୍ଲେଖନୀୟ ଅଗ୍ରଗତି କରିବା ସହ ପ୍ଲାଣ୍ଟର ନବୀକରଣ କରି ବିଦ୍ୟୁତ ଉତ୍ପାଦନ ଓ ପ୍ଲାଣ୍ଟ ଲୋଡ଼ ଫ୍ୟାକ୍ଟରରେ ଯଥେଷ୍ଟ ଅଭିବୃଦ୍ଧି ଘଟାଇ ଆସୁଥିଲା।
ତାଳଚେର ଥର୍ମାଲର ପ୍ରଥମ ଷ୍ଟେଜ ୬୦ ମେଗାୱାଟ ବିଶିଷ୍ଟ ଚାରୋଟି ୟୁନିଟରୁ ୨୪୦ ମେଗାୱାଟ ଏବଂ ଦ୍ବିତୀୟ ଷ୍ଟେଜର ୧୧୦ ମେଗାୱାଟ ବିଶିଷ୍ଟ ଦୁଇଟି ୟୁନିଟରୁ ୨୨୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇଆସୁଛି। ୫୦ ବର୍ଷର ଏହି ପୁରୁଣା ପ୍ଳାଣ୍ଟକୁ ନୂତନ ଭାବେ ନିର୍ମାଣର ନିଷ୍ପତ୍ତି ନିଆଯାଇଥିବାବେଳେ ଏଥିରୁ କେବଳ ଦୁଇଟିି ୟୁନିଟ ରହିବା ସହ ପ୍ରତି ୟୁନିଟ ୬୬୦ ମେଗାୱାଟ ବିଶିଷ୍ଟ ୟୁନିଟ ରଖାଯିବ ଏବଂ ସମୁଦାୟ ୧୩୨୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରାଯିବ ବୋଲି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ଏହି ନୂଆ ପ୍ଳାଣ୍ଟ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିଲାବେଳେ ଏହାର ଖର୍ଚ୍ଚ ବାବଦରେ ୯ ହଜାର କୋଟି ବ୍ୟୟ ଅଟକଳ ରଖାଯାଇଥିଲା ା ଦୀର୍ଘବର୍ଷ ହେଲା ପ୍ଳାଣ୍ଟର ନିର୍ମାଣ କାର୍ଯ୍ୟର କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନହେବାରୁ ଟେଣ୍ଡର ନେଇଥିବା ବିଏଚଇଏଲ କମ୍ପାନୀ ଠିକା କାର୍ଯ୍ୟରୁ ଓହରି ଯାଇଥିବା ଜଣାପଡ଼ିଛି।
ତାଳଚେର ଥର୍ମାଲ ପ୍ରକଳ୍ପରେ ୨୫୦ ଜଣ ଯନ୍ତ୍ରୀ ଓ ଅଧିକାରୀ, ୧୪୦ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଅନ୍ୟ ସମସ୍ତ ପ୍ଳାଣ୍ଟ କାର୍ଯ୍ୟରେ ୧୨୦୦ରୁ ଊର୍ଦ୍ଧ୍ବ ଠିକା ଶ୍ରମିକ ନିଯୁକ୍ତ ହୋଇଛନ୍ତି। ବର୍ତ୍ତମାନ ନୂଆ ଚାକିରି ବ୍ୟବସ୍ଥା ନାହିଁ ଓ ପ୍ଳାଣ୍ଟର ବିଭିନ୍ନ ଠିକା କାର୍ଯ୍ୟ ଧୀରେ ଧୀରେ ବନ୍ଦ ହେବାକୁ ବସିଲାଣି। ତାଳଚେର ଥର୍ମାଲର ଭବିଷ୍ୟତ ନେଇ ଅନିଶ୍ଚିତତା ଦେଖାଦେଇଛି। ଏଠାରେ ଥିବା ତିନୋଟି ଡିଏଭି ସ୍କୁଲର ଶିକ୍ଷା ବ୍ୟବସ୍ଥାରେ ଖର୍ଚ୍ଚ ଏନଟିପିସି ବହନ କରୁଥିବାବେଳେ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗକୁ ୫୬ଲକ୍ଷ ଟଙ୍କା ମାସିକ ଜଳକର ଦେଇଆସୁଛି। ଏ ସମ୍ପର୍କରେ ତାଳଚେର ପ୍ଳାଣ୍ଟର ମହାପ୍ରବନ୍ଧକ ଡି.ଏଲ. ତିୱାରୀଙ୍କୁ ଯୋଗାଯୋଗ କରିବାରୁ ଥର୍ମାଲ ପ୍ଳାଣ୍ଟର ପରିବେଶ ମଞ୍ଜୁରୀ ମିଳି ନାହିଁ କିମ୍ବା ବର୍ତ୍ତମାନ ନୂତନ ପ୍ଳାଣ୍ଟ ନିର୍ମାଣର ଚୂଡ଼ାନ୍ତ ନିଷ୍ପତ୍ତି ସମ୍ପର୍କରେ ଆମ ନିକଟରେ କିଛି ସୂଚନା ନାହିଁ ବୋଲି ପ୍ରକାଶ କରିଥିଲେ। ଏହି ଥର୍ମାଲ ପ୍ଳାଣ୍ଟ ବନ୍ଦ ହେବା ସମ୍ଭାବନା ନେଇ ଥର୍ମାଲ ଟାଉନ୍‌ସିପ୍‌ ଓ ତାଳଚେର ଶିଳ୍ପାଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗରେ ବିହିତ ପଦକ୍ଷେପ ନେଇ କିପରି ପରିବେଶ ମଞ୍ଜୁରୀ ଶୀଘ୍ର ମିଳିପାରିବ ଏଥିପ୍ରତି ଯତ୍ନବାନ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛିି।

Comments are closed.