୧୦୦ରୁ ଊର୍ଦ୍ଧ୍ବ ଟନ୍‍ ଚୋରା କୋଇଲା ଜବତ

0

ତାଳଚେର : ତାଳଚେର ଟାଉନ୍‍ ପୁଲିସ ପକ୍ଷରୁ ଧରପଗଡ଼ କରାଯାଇ ଶୁକ୍ରବାର ଦିନବେଳା ଲିଙ୍ଗରାଜ କୋଇଲା ଖଣି ନିକଟସ୍ଥ ପୀତାବଳି ଛକ ନିକଟରୁ ୧୦୦ ଟନ୍‍ରୁ ଊର୍ଦ୍ଧ୍ବ ଗଚ୍ଛିତ ଥିବା ଚୋରା କୋଇଲାକୁ ଜବତ କରି ଏହି ବେଆଇନ୍‍ କୋଇଲା ଡିପୋ କାହାର ବୋଲି ତଦନ୍ତ ଜାରି ରଖିଛି। ତେବେ ପୁଲିସ ଜବତ କରିଥିବା ଏହି କୋଇଲା ଗଦାକୁ ଲିଙ୍ଗରାଜ କୋଇଲା ଖଣି କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛି। ଏହି ବେଆଇନ୍‍ କୋଇଲା ଗଦାର ମୂଲ୍ୟ ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି କୁହାଯାଉଛି। ତାଳଚେରର ଟାଉନ୍‍ ଥାନା ଇନ୍‍ଚାର୍ଜ ସୌଭାଗ୍ୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ପୁଲିସ ଦଳ ଏହି ବେଆଇନ୍‍ କୋଇଲା ଗଦାକୁ ଜବତ କରିଥିଲା ବେଳେ ଚୋରା ବେପାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପ୍ରକାଶ ଯେ ଗତ ସପ୍ତାହରେ ଏହି ଚୋରା କୋଇଲା କାରବାରକୁ ନେଇ ପୁଲିସ ପକ୍ଷରୁ ଏନ୍‍କାଉଣ୍ଟର ଏବଂ ଚୋରା ବେପାରୀମାନେ ମଧ୍ୟ ଗୁଳିକାଣ୍ଡ ଘଟଣା ଭଳିଆ ବହୁ ଅପରାଧୀକ କାର୍ଯ୍ୟ ମଧ୍ୟ କରିଥିବା ନେଇ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଅପରପକ୍ଷରେ ଲିଙ୍ଗରାଜ ସମେତ ତାଳଚେରର ବିଭିନ୍ନ କୋଇଲା ଖଣି ଅଞ୍ଚଳରୁ ପ୍ରତିଦିନ ୫୦ରୁ ଊର୍ଦ୍ଧ୍ବ ଟ୍ରକରେ ଚୋରା କୋଇଲା କାରବାର ଚାଲୁଥିବା ଅଭିଯୋଗ ହୋଇଛି।

Leave A Reply