ସହିଦ ରାଣା ପ୍ରତାପଙ୍କୁ ଝୁରୁଛି ତାଳଚେର

ତାଳଚେର : ତାମିଲନାଡୁ କୁନୁରଠାରେ ହୋଇଥିବା ମର୍ମନ୍ତୁଦ ହେଲିକ୍ୟାପ୍‍ଟର ଦୁର୍ଘଟଣାରେ ସିଡିଏସ୍‍ ମେଜର ବିପିନ ରାୱତଙ୍କ ସମେତ ୧୩ ଜଣଙ୍କର ବୁଧବାର ମୃତ୍ୟୁ ହୋଇଥିଲା। ଏହି ୧୩ ଜଣଙ୍କ ମଧ୍ୟରୁ ତାଳଚେର ମାଟିର ସୁଯୋଗ୍ୟ ସନ୍ତାନ ତଥା ବୀରଯବାନ ରାଣା ପ୍ରତାପ ଦାସଙ୍କର ମଧ୍ୟ ମୃତ୍ୟୁ ହୋଇଛି। ତାଳଚେର ବ୍ଲକ୍‍ କଣ୍ଢାଳ ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗ୍ରାମର ଶ୍ରୀବତ୍ସ ଦାସଙ୍କ ଏକମାତ୍ର ପୁତ୍ର ବାୟୁସେନାର ଜୁନିୟର ୱାରେଣ୍ଟ ଅଫିସର ରାଣାପ୍ରତାପ ଦାସ (୩୪)ଙ୍କର ଗତକାଲି ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଘଟଣାରେ ତାଳଚେର ସମେତ ଜିଲା ସ୍ତବ୍ଧ ହୋଇପଡ଼ିଛି।
ରାଣାପ୍ରତାପ ଜୁଲାଇ ୧୯୮୭ ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଳଚେର ସାରକାରଖାନା ହାଇସ୍କୁଲରୁ ମାଟ୍ରିକ୍‍ ପାସ କରି ସାଉଥବଲଣ୍ଡା ନୀଳକଣ୍ଠେଶ୍ୱର କଲେଜଠାରେ ଯୁକ୍ତ ୨ ପାଠ୍ୟକ୍ରମ ଶେଷ କରିଥିଲେ। ୨୦୦୪ରୁ କଲେଜ ଛାଡ଼ିବା ପରେ ୨୦୦୬ ଜୁନ୍‍ ୨୫ ତାରିଖରେ ବାୟୁ ସେନାରେ ଯୋଗଦେଇଥିଲେ। ପାଇଲଟ୍‌ ତାଲିମ ନେବା ପରେ ଆକାଶବାହିନୀର ଛତିଶଗଡ଼ ବେସ୍‌ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଗତକାଲି ସେ ସିଡିଏସ୍‍ ମୁଖ୍ୟ ମେଜର ବିପିନ ରାୱତଙ୍କ ସହ ତାମିଲନାଡୁର ଉଟି ନିକଟସ୍ଥ ୱେଲିଂଟନ୍‍ ଆର୍ମି ବେସ୍‍କୁ ଏକ ଆଲୋଚନାଚକ୍ରରେ ଯୋଗଦେବା ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ ବୋଲି ତାଙ୍କର ଧର୍ମପତ୍ନୀ ଶିବାଙ୍ଗୀ ଅନୁଗୋଳଠାରେ ଥିବା ଏକମାତ୍ର ନଣନ୍ଦଙ୍କୁ ରାତିରେ ଏହି ଦୁଃଖଦ ଖବର ଦେଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ଅନୁଗୋଳ ଓ ତାଳଚେରରେ ଶୋକର ଲହରୀ ଖେଳିଯାଇଛି। ରାଣା ପ୍ରତାପ ୨୨ ଜାନୁୟାରୀ ୨୦୧୭ରେ ବିବାହ କରିଥିଲା ବେଳେ ତାଙ୍କ ପତ୍ନୀ ଶିବାଙ୍ଗୀ ମଧ୍ୟ ପ୍ରତିରକ୍ଷା ବିଭାଗର ଗୟା ଜିଲାରେ ଦନ୍ତ ଚିକିତ୍ସକ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କର ଦେଢ଼ବର୍ଷର ଏକମାତ୍ର ପୁତ୍ର ସମ୍ରିତକୁମାର ଅଛି। ସ୍ୱର୍ଗତ ଦାସଙ୍କ ପିତା ଶ୍ରୀବତ୍ସ ଦାସ ଜଣେ ହୃଦ୍‍ରୋଗୀ ହୋଇଥିଲା ବେଳେ ମାତା ସୁଷମା ମାନସିକ ରୋଗୀ ଅଟନ୍ତି। ପୁତ୍ର ବିୟୋଗ ସମ୍ପର୍କରେ ଉଭୟ ବାପା ଓ ମା’ଙ୍କୁ ଦିନ ଗୋଟାଏ ପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନଥିଲା। ଝିଅ ସୁଶ୍ରୀ ଓ ଜ୍ୱାଇଁ ଆସିବା ପରେ ପୁତ୍ରର ମୃତ୍ୟୁ ଖବର ଜଣାଇଥିଲେ। ରାଣାପ୍ରତାପ ଜଣେ କର୍ତ୍ତବ୍ୟନିଷ୍ଠ, ମେଧାବୀ ଏବଂ ଦାୟିତ୍ୱସମ୍ପନ୍ନ ବ୍ୟକ୍ତିତ୍ୱ, ମେଳାପି ଭାବେ ବେଶ ପରିଚିତ ଥିଲେ। ବାୟୁସେନାରେ କାର୍ଯ୍ୟଭାର ଦାୟିତ୍ୱ ନେବା ପରେ ତାଙ୍କର କର୍ତ୍ତବ୍ୟନିଷ୍ଠା ଓ ଦାୟିତ୍ୱ ସମ୍ପନ୍ନ ଅଧିକାରୀ ଭାବେ ବରିଷ୍ଠ ଅଧିକାରୀଙ୍କ ମହଲରେ ବେଶ ଜଣାଶୁଣା ଥିଲେ। ତାଙ୍କର ଏହି ମୃତ୍ୟୁ ଖବର ପାଇ ଆଜି ସକାଳୁ କୃଷ୍ଣଚନ୍ଦ୍ରପୁର ଗାଁ ଓ ଆଖପାଖ ଗ୍ରାମ ଗୁଡ଼ିକରେ ଶୋକରଛାୟା ଖେଳିଯିବା ସହ ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇଯାଇଥିଲା।

ରାଣାପ୍ରତାପଙ୍କ ବିୟୋଗରେ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‍ ଯୋଗେ ଶୋକବାର୍ତ୍ତା ଦେଇ ସେ ଜଣେ ବୀର, ସାହସୀ, କର୍ତ୍ତବ୍ୟନିଷ୍ଠ ଏବଂ ଅମାୟିକ ବ୍ୟକ୍ତିତ୍ୱ ଭାବେ ପରିଚିତ ଥିଲେ। ତାଙ୍କର ଏହି ବିୟୋଗ ସାରା ଓଡ଼ିଶା କାହିଁକି ସମଗ୍ର ଭାରତବର୍ଷର ଅପୂରଣୀୟ କ୍ଷତି ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଢ଼େଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପୂର୍ବତନ ସାଂସଦ ରବିନାରାୟଣ ପାଣି ପ୍ରମୁଖ ରାଣାପ୍ରତାପଙ୍କ ଏହି ବିୟୋଗରେ ଗଭୀର ଶୋକପ୍ରକାଶ କରିବା ସହ ଏହି ବୀର ଯବାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କ ବିୟୋଗ କେବଳ ତାଳଚେର ନୁହେଁ ସାରା ଭାରତ ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ଶୋକପ୍ରକାଶ କରିଛନ୍ତି। ଏହି ଦୁଃଖଦ ସମୟରେ ତାଙ୍କ ପରିବାରକୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ ବୋଲି ଶୋକବାର୍ତ୍ତାରେ ଜଣାଇଛନ୍ତି। ସାଉଥବଲଣ୍ଡା ନୀଳକଣ୍ଠେଶ୍ୱର କଲେଜଠାରେ ରାଣା ପ୍ରତାପଙ୍କର ବିୟୋଗରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, ପୁରାତନ ଛାତ୍ର ଏକ ଶୋକସଭା କରି ୨ ମିନିଟ୍‍ ନୀରବ ପ୍ରାର୍ଥନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ। ରାଣା ପ୍ରତାପଙ୍କ ବାପା ଶ୍ରୀବତ୍ସ ଦାସ ଏହି କଲେଜରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟ କରି ଅବସର ନେବା ପରେ ନିଜ ଗ୍ରାମ କୃଷ୍ଣଚନ୍ଦ୍ରପୁରରେ ପରିବାର ସହ ରହୁଥିଲେ। ଏହି ବୀର ଯବାନଙ୍କ ମୃତ୍ୟୁରେ ସମଗ୍ର ଜିଲାରେ ଶୋକର ଛାୟା ଖେଳିଯାଇଥିଲା ବେଳେ ସମଗ୍ର ତାଳଚେର ଝୁରୁଛି ତାଙ୍କର ଏହି ମୃତ୍ୟୁ ପାଇଁ। ତାଳଚେରକୁ ତାଙ୍କର ମରଶରୀର ଆସିବା ପରେ ଏଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣାପଡ଼ିଛି।

Comments are closed.