ମା’ଙ୍କ ଆଜ୍ଞାଲଡୁ ୨୫,୫୦୦ଟଙ୍କାରେ ନିଲାମ

କଳମଛୁଇଁରେ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ ଉଦ୍‍ଯାପିତ

ତାଳଚେର : ତାଳଚେର ବ୍ଲକ କଳମଛୁଇଁ ଗ୍ରାମରୁ ବିଦାୟ ନେଇଛନ୍ତି ମା’ ପଦ୍ମାଳୟା। ଗ୍ରାମର ୧୭ଟି ମେଢରେ ନଅ ଦିନ ଧରି ପୂଜା ପାଉଥିବା ମା ଗଜଲକ୍ଷ୍ମୀଙ୍କ ଭସାଣ ଉତ୍ସବ ମଙ୍ଗଳବାର ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମେଢଗୁଡିକ ଦେଉଳ ଛକ ମେଲଣ ପଡିଆରେ ଏକତ୍ରିତ ହେବା ପରେ ମା’ଙ୍କ ମୃଣ୍ମୟୀ ପ୍ରତିମାଗୁଡିକୁୁ ବିଧି ମୁତାବକ ପୂଜାର୍ଚ୍ଚନା କରା ଯାଇଥିଲା। ପରେ କଳମଛୁଇଁ କେନ୍ଦ୍ରୀୟ ଲକ୍ଷ୍ମୀପୂଜା କମିଟିର ସମସ୍ତ ସଦସ୍ୟ ଓ ସମସ୍ତ ପୂଜା କମିଟିର ସଦସ୍ୟମାନଙ୍କ ଉପସ୍ଥିତିରେ ମା’ ଗଜଲକ୍ଷ୍ମୀଙ୍କର ଆଜ୍ଞାଲଡୁକୁ ନିଲାମ କରାଯାଇଥିଲା। ନିଲାମରେ କଳମଛୁଇଁ ମଝିକା ଗ୍ରାମର ତ୍ରିନାଥ ପ୍ରଧାନ ସର୍ବାଧିକ ୨୫,୫୦୦ଟଙ୍କା ଦେଇ ଆଜ୍ଞାଲଡୁକୁ ନେଇଥିଲେ। ଏହାପରେ ଦିନ ଏଗାରଟା ବେଳେ ମେଢଗୁଡିକ କ୍ରମାନ୍ୱୟରେ ପଛକୁ ପଛ ବାହାରି ଭସାଣ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବିଭିନ୍ନ ଲୋକନୃତ୍ୟ,ସମ୍ବଲପୁରୀ ନୃତ୍ୟ, ପାଇକ ଖେଳ,ବ୍ୟାଣ୍ଡ ପାର୍ଟି, ଆଧୁନିକ ସଂଗୀତରେ ଗ୍ରାମ ମୁଖରିତ ହୋଇଉଠିଥିଲା। ପୁରୀ ଜିଲାର ସମର କଳା ଓ ଲୋକନୃତ୍ୟ ଦଳ, ବଳାଙ୍ଗିରର ଶିଙ୍ଗ ବାଦ୍ୟ, ହିନ୍ଦୋଳ ଦୁଦୁରାକୋଟର ପାଇକ ଖେଳ, ଢେଙ୍କାନାଳର ସମ୍ବଲପୁରୀ ନୃତ୍ୟ, ଓଡଶୀ, ବଇଣ୍ଡା ଓ ରେଙ୍ଗାଳୀର ଘଣ୍ଟ ବାଦ୍ୟ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା। ମେଢଗୁଡିକ ଏକ ବିଶାଳ ଶୋଭାଯାତ୍ରାରେ ସମଗ୍ର ଗ୍ରାମକୁ ପରିକ୍ରମା କରିଥିଲେ। ଗ୍ରାମର ମହିଳାମାନେ ନିଜ ଘର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଫୁଲ, ଅକ୍ଷତ ବନ୍ଦାପନା କରି ମା’ ମହାଲକ୍ଷ୍ମୀଙ୍କୁ ବିଦାୟ ଦେଇଥିଲେ। ଭସାଣ ଦେଖିବା ପାଇଁ ଆଖପାଖ ଅଂଚଳର ବହୁ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା।
ଉତ୍ସବରେ ମା ଗଜଲକ୍ଷ୍ମୀ ପୂଜା କମିଟି,ମା ମହାଲକ୍ଷ୍ମୀ ପୂଜା କମିଟି, ପଦ୍ମପାଦ ଗଜଲକ୍ଷ୍ମୀ ପୂଜା କମିଟି, ଏମ୍‍ଏଏଲ୍‍ ଛକ ମହାଲକ୍ଷ୍ମୀ ପୂଜା କମିଟି, ହରଗୌରୀ ଲକ୍ଷ୍ମୀ ପୂଜା କମିଟି, ଗୋଚ୍ଛାୟତ ସାହି ମହାଲକ୍ଷ୍ମୀ ପୂଜା କମିଟି,ନୀଳାଚଳ ଲକ୍ଷ୍ମୀ ପୂଜା କମିଟି, ବଡଦାଣ୍ଡ ସାହି ଲକ୍ଷ୍ମୀ ପୂଜା କମିଟି,ବୁଢାବୁରୀ ସାହି ଲକ୍ଷ୍ମୀପୂଜା କମିଟି, ଚାର ଗାଡିଆ, ସୁପରମାର୍କେଟ ଛକ, ମଝୀକା ଦେଉଳ ଛକ,ମଝୀକା କଦମ୍ବ ଛକ, କାଳୀକାପ୍ରସାଦ,ପୁରୁଣା ସାହି କଦମ୍ବ ଛକ ପ୍ରମୁଖ ୧୭ଟି ମେଢ ଭସାଣ ଶୋଭଯାତ୍ରାରେ ସାମିଲ ହୋଇଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଥିଲା। ସନ୍ଧ୍ୟା ସୁଦ୍ଧା ଧନଦାତ୍ରୀଙ୍କ ମୃଣ୍ମୟୀ ପ୍ରତିମାଗୁଡିକୁ ଅସ୍ଥାୟୀ ଜଳାଶୟରେ ବିସର୍ଜନ କରାଯାଇଥିଲା।

Comments are closed.