୨୦୨୩ ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା : କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ

ନୂଆଦିଲ୍ଲୀ : ତାଳଚେର ସାର କାରଖାନା (ତାଳଚେର ଫର୍ଟିଲାଇଜର୍ସ ଲିଃ- ଟିଏଫଏଲ) ଆସନ୍ତା ୨୦୨୩ ସେପ୍ଟେମ୍ବର ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଶୁକ୍ରବାର ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ  ଡି.ଭି. ସଦାନନ୍ଦ ଗୌଡ଼ା। ଏ ସଂକ୍ରାନ୍ତରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ ସୂଚନା ଦେଇଥିଲେ ଯେ ବନ୍ଦ ହୋଇ ପଡ଼ି ରହିଥିବା ଭାରତୀୟ ସାର ନିଗମ ଲିଃ (ଏଫସିଆଇଏଲ)ର ତାଳଚେର ୟୁନିଟକୁ କାର୍ଯ୍ୟକ୍ଷମ କରିବା ଲାଗି ଭାରତ ସରକାର ଏକାଧିକ ପ୍ରସ୍ତାବକୁ କ୍ୟାବିନେଟ ଜରିଆରେ ମଞ୍ଜୁରି ଦେଇଛନ୍ତି। ଏହି ୟୁରିଆ ୟୁନିଟକୁ ପୁନଃକାର୍ଯ୍ୟକ୍ଷମ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ମେସର୍ସ ପିଡିଆଇଏଲକୁ ସାର କାରଖାନା କାର୍ଯ୍ୟକ୍ଷମ କରିବା ଲାଗି ପ୍ରାକ-ପ୍ରକଳ୍ପ କାର୍ଯ୍ୟକଳାପ ପାଇଁ ପ୍ରକଳ୍ପ ପରିଚାଳନା ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।

୨୦୧୭ ଅଗଷ୍ଟରେ ପେଟ୍ କୋକ୍ ଯୋଗାଣ ଲାଗି ଆଇଓସିଏଲ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ୨୦୧୮ ଫେବୃଆରୀରେ ପ୍ରକଳ୍ପକୁ ପରିବେଶ ମଞ୍ଜୁରି ମିଳିଛି।  ୨୦୧୮ ସେପ୍ଟେମ୍ବରରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆରସିଏଫ ଇକ୍ୟୁଟି ଯୋଗଦାନ ପାଇଁ ମଞ୍ଜୁରି ଦେଇଥିଲା। ଡିସେମ୍ବର ୨୦୧୮ରେ କ୍ୟାପଟିଭ କୋଇଲା ଖଣି ପାଇଁ ଖଣି ଆବଣ୍ଟନ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ପ୍ରମୋଟରଙ୍କ ଠାରୁ ଅନୁମୋଦନ ଲାଭ କରିବା ପରେ ୨୦୧୯ ଅଗଷ୍ଟ ୨୯ରେ ଟିଏଫଏଲ ବୋର୍ଡ ପକ୍ଷରୁ ପ୍ରକଳ୍ପ ପାଇଁ ନିବେଶ ମଞ୍ଜୁରି ଦିଆଯାଇଥିଲା। କୋଇଲା ବାଷ୍ପୀକରଣ ଏବଂ ଆମୋନିଆ/ୟୁରିଆ ପ୍ଲାଣ୍ଟ  ପାଇଁ ଏଲଏସଟିକେ ଚୁକ୍ତି ୧୧ ଓ ୧୯ ସେପ୍ଟେମ୍ବରରେ ସ୍ୱାକ୍ଷରିତ ହୋଇଥିଲା। ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ କ୍ଲିଅରାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରା ୨୦୧୯ ଅଗଷ୍ଟ ୩୧ରେ ଟିଏଫଏଲ ପ୍ରକଳ୍ପକୁ ମଞ୍ଜୁରି ମିଳିସାରିଛି।

Comments are closed.