ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ ପ୍ରସଙ୍ଗ : ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ବରାନ୍ନିତ କରାଯିବ: ଜିଲାପାଳ

ଜିଲାପାଳଙ୍କୁ ସାକ୍ଷାତ କଲେ ସଂଗ୍ରାମ ସମିତି ପ୍ରତିନିଧି ମଣ୍ଡଳୀ

ସୁନ୍ଦରଗଡ଼ : ତାଳଚେର-ବିମଳାଗଡ଼ ରେଳପଥ କାର୍ଯ୍ୟର ମନ୍ଥରତାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏଭଳି ଏକ ପ୍ରକଳ୍ପକୁ ପ୍ରଶାସନ ଓ ରାଜ୍ୟ ସରକାର ଏତେଟା ଗୁରୁତ୍ବ ଦେଉନାହାନ୍ତି ବୋଲି ଅଭିଯୋଗ ହୋଇ ବାରମ୍ବାର ଏ ସଂପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କେବଳ ମିଠା ଓ ଚିକ୍‌ଣ ପ୍ରତିଶୃତିରେ ରହିଯାଉଛି ଏହି ପ୍ରକଳ୍ପର କାର୍ଯ୍ୟ । ଏଭଳି ବିଳମ୍ବ ପ୍ରକ୍ରିୟା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ତାଳଚେର-ବିମଳାଗଡ଼ ରେଳ ସଂଗ୍ରାମ ସମିତିର ଏକ ପ୍ରତିନିଧି ମଣ୍ଡଳୀ ସୋମବାର ସୁନ୍ଦରଗଡ଼ ଜିଲାପାଳ ନିଖିଲ ପବନ କଲ୍ୟାଣଙ୍କୁ ସାକ୍ଷାତ କରି ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ବରାନ୍ନିତ କରିବା, ଉଚ୍ଚସ୍ତରୀୟ ବୈଠକ ଡାକିବା ଆଦି ଦାବି ନେଇ ବେଶ ଆଲୋଚନା ହେବା ସହ ପରୋକ୍ଷରେ ଏହି ପ୍ରତିନିଧି ମଣ୍ଡଳୀ ପ୍ରତିଶୃତି ମୁତାବକ କାର୍ଯ୍ୟ ନ ଆଗେଇଲେ ଅର୍ଥନୈତିକ ଅବରୋଧ କରାଯିବାକୁ ପଛେଇବେ ନାହିଁ ବୋଲି ଜିଲାପାଳଙ୍କୁ ରୋକଠୋକ ଶୁଣାଇଥିବାର ଜଣାପଡ଼ିଛି । ଜିଲାପାଳ ଶ୍ରୀ କଲ୍ୟାଣ ପ୍ରତିନିଧି ମଣ୍ଡଳୀର ସମସ୍ତ ଦାବିକୁ ବେଶ ଗୁରୁତ୍ବତାର ସହ ଶୁଣି ଖୁବଶୀଘ୍ର ଜମି ଅଧିଗ୍ରହଣ କାର୍ଯ୍ୟ ତ୍ବରାନ୍ନିତ କରାଯିବ ଓ ରେଳ ବିଭାଗ ସହ କ୍ରମାଗତ ସମୁନ୍ନୟ ରକ୍ଷା କରାଯାଇ ଉଚିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିବାର ଜଣାପଡ଼ିଛି ।

ସୂଚନା ଯୋଗ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ରେଳପଥ ନିର୍ମାଣ ପାଇଁ ବର୍ତ୍ତମାନ ସୁଦ୍ଧା ୭୫.୭ ଏକର ଜମି ଅଧିଗ୍ରହଣ କରାଯାଇଥିବା ବେଳେ ଅବଶିଷ୍ଠ ୨୨.୨୧ ଏକର ଜମି ଅଧିଗ୍ରହଣ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି । ଲହୁଣିପଡ଼ାର ୨୨ଟି ଗ୍ରାମ, କୋଇଡାର ୪ଟି ଗ୍ରାମ, ବଣାଇର ୩ଟି ଗ୍ରାମ ମଧ୍ୟରେ ଜମି ଅଧିଗ୍ରହଣ କାର୍ଯ୍ୟ ସରିଛି ବୋଲି ଜିଲାପାଳ କଲ୍ୟାଣ ସୂଚନା ଦେଇ ଆଗାମୀ ନଭେମ୍ବର ୩୦ସୁଦ୍ଧା ବିମଳାଗଡ଼ ପଟୁ ସମୁଦାୟ ଜମିର ୭୦ ଭାଗ ଜମି ଅଧିଗ୍ରହଣ କରାଯାଇ ରେଳବାଇକୁ ହସ୍ତାନ୍ତର କରାଯିବ ବୋଲି କହିଥିଲେ। ଏହି ପ୍ରକଳ୍ପ ପାଇଁ ବେସରକାରୀ ଜମି ୨୪୭.୬୪୦ ଏକର, ସରକାରୀ ଜମି ୧୯୨.୭୯ ଏକର, ଜଙ୍ଗଲ ଜମି ୯୫.୫୧ ଜମି ଅଧିଗ୍ରହଣ କରାଯାଇ ରେଳବାଇକୁ ଦିଆଯିବ। ନିକଟରେ କେନ୍ଦ୍ର ରେଳ ବିଭାଗ ରାଜ୍ୟ ସରକାର ଜମି ଅଧିଗ୍ରହଣ କରୁନଥିବାରୁ ୧୧୭କୋଟି ଟଙ୍କା ପ୍ରକଳ୍ପ ପାଇଁ ମଞ୍ଜୁରୀ ହୋଇଥିଲେ ମଧ୍ୟ ଟଙ୍କା ଖର୍ଚ୍ଚ ନହୋଇ ଫେରିଯିବ ସଂଶୟ ସୃଷ୍ଟି ହୋଇଛି ବୋଲି ପ୍ରତିନିଧି ମଣ୍ଡଳୀ ଜିଲାପାଳଙ୍କୁ ଜଣାଇଥିଲେ । ଅତ୍ୟନ୍ତ ଆବଶ୍ୟକ ହେଉଥିବା ୭୫ଭାଗ ଜମି ରାଜ୍ୟ ସରକାର ହସ୍ତାନ୍ତର ନକଲେ ଏହି ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନାହିଁ ବୋଲି ରେଳ ବିଭାଗ କହୁଥିବା ବେଳେ ଏହି ପ୍ରକଳ୍ପ କାର୍ଯ୍ୟକୁ ଅଧିକ ତ୍ବରାନ୍ନିତ କରାଯିବ ବୋଲି ଜିଲାପାଳ କଲ୍ୟାଣ ପ୍ରତିନିଧି ମଣ୍ଡଳୀଙ୍କୁ କହିଥିଲେ । ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ବରେ ଯାଇଥିବା ଏହି ପ୍ରତିନିଧି ମଣ୍ଡଳୀରେ ବିଶିଷ୍ଟ ଶ୍ରମିକ ନେତା ବିଷ୍ଣୁ ମହାନ୍ତି, ସଂଗ୍ରାମ ସମିତିର ବରିଷ୍ଠ ସଦସ୍ୟ ହରିହର ରାଉତରାୟ, ପ୍ରମୋଦ ସାମଲ, ବିମଳ ବିଶି, ରମେଶ ବଳ, ଶ୍ରୀମନ୍ତ ବେହେରା, ରାଜକିଶୋର ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

Comments are closed.