ଆପେକ୍ସ କମିଟି ଖୋଲିଲା ସରକାରୀକଳର କଳାଫର୍ଦ, ତ୍ବରିତ କାର୍ଯ୍ୟାନୁଷ୍ଠାନ ଲାଗି ମୁଖ୍ୟସଚିବଙ୍କ ତାଗିଦ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ହେଁ ତା’ର ଠିକଣା ହିସାବ ସରକାରଙ୍କୁ ତଥା ପବ୍ଲିକ୍ ଆକାଉଣ୍ଟ କମିଟି(ପିଏସି)କୁ ଦେଇ ପାରୁ ନାହାନ୍ତି। ଥରକୁ ଥର ବୈଠକ ବସୁଛି, କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଉଛି, ହେଲେ ଫଳ ମିଳୁନାହିଁ। ୨୦୦୩-୦୪ ଆର୍ଥିକ ବର୍ଷରୁ ହଜାର ହଜାର କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ୩୪ଟି ବିଭାଗ ଉପରେ ଗଡ଼ୁଛି। ଏନେଇ ପିଏସି କମିଟିଠାରୁ ଆରମ୍ଭ କରି ମହାଲେଖାକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଉଦବେଗ ପ୍ରକାଶ କରିବା ପରେ ସରକାରଙ୍କ ପକ୍ଷରୁ ତତ୍ପରତା ଦେଖାଦେଇଛି। ନିକଟରେ ଅର୍ଥ ବିଭାଗର ଆବାହକତ୍ବରେ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଆପେକ୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ବୈଠକରୁ ଜଣାଯାଇଛି ଯେ ୩୪ଟି ବିଭାଗ ଉପରେ ପ୍ରାୟ ୩୪ ହଜାର କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଗଡୁଛି। ଏନେଇ ଆଉ କାଳବିଳମ୍ବ ନକରି ତୁରନ୍ତ ପଦକ୍ଷେପ ନେବା ଲାଗି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସବୁ ବିଭାଗକୁ ତାଗିଦ କରିଛନ୍ତି।

ବୈଠକରୁ ଜଣାଯାଇଛି ଯେ ଯେଉଁ ବିଭାଗ ଦୀର୍ଘବର୍ଷଧରି ଟଙ୍କା ଖର୍ଚ୍ଚ କରିଛି ହେଲେ ହିସାବ ଦେଇ ପାରୁନାହାନ୍ତି। ସେକ୍ଷେତ୍ରରେ ତୁରନ୍ତ କାଗଜପତ୍ର ଯାଞ୍ଚ କରି ସରକାରଙ୍କୁ ରିପୋର୍ଟ ଦେବାକୁ ପଡ଼ିବ। ଏହି କାର୍ଯ୍ୟ ଜାନୁଆରୀ ସୁଦ୍ଧା ଶେଷ କରିବାକୁ ସବୁ ବିଭାଗକୁ ନିର୍ଦେଶ ରହିଥିଲେ ହେଁ ଏପର୍ଯ୍ୟନ୍ତ କେତେକ ବିଭାଗ ବିନିଯୋଗ ପ୍ରମାଣପତ୍ର ପ୍ରଦାନ ନେଇ କୌଣସି ତଥ୍ୟ ସରକାରଙ୍କୁ ନେଇ ନାହାନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ ଯେ ରାଜ୍ୟର ବିଭିନ୍ନ ଭିତ୍ତିଭୂମି ସୁଦୃଢ଼ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୦୩-୦୪ ଆର୍ଥିକ ବର୍ଷରୁ ଅଦ୍ୟାବଧି ୩୪ଟି ବିଭାଗକୁ ୩୪ ହଜାର ୩୧ କୋଟି ଟଙ୍କା ଦିଆଯାଇଛି। ଉକ୍ତ ବିଭାଗଗୁଡିକ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି, ହେଲେ ବିନିଯୋଗ ପ୍ରମାଣପତ୍ର ଦେଇ ପାରୁ ନାହାନ୍ତି। ଏଜିଙ୍କ ପକ୍ଷରୁ ଏ ସମ୍ପର୍କରେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିବାବେଳେ ଇତିମଧ୍ୟରେ ୧୮ଟି ପିଏସି କମିଟି ସୁପାରିସ କରିସାରିଲାଣି। ହେଲେ ବିଭାଗଗୁଡିକ ଖର୍ଚ୍ଚ ଅର୍ଥର ହିସାବ ଦେଇ ପାରୁ ନାହାନ୍ତି। ରାଜ୍ୟ ସରକାର ପ୍ରଶାସନକୁ ଚଳଚଞ୍ଚଳ କରିବା ପାଇଁ ୫-ଟି ପଦ୍ଧତି ସହିତ ‘ମୋ-ସରକାର’ ଭଳି ତରିକା ଆପଣାଇଛନ୍ତି। ତୃଣମୂଳସ୍ତରରେ କାର୍ଯ୍ୟାନ୍ବୟନ ପାଇଁ ଜିଲାପାଳମାନେ ମଙ୍ଗ ଧରିଥିବାବେଳେ ରାଜ୍ୟସ୍ତରରେ ସଚିବ, ସ୍ବତନ୍ତ୍ର ସଚିବ, ଅତିରିକ୍ତ ସଚିବଙ୍କ ଭଳି ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ରହିଛନ୍ତି। ଏସବୁ ବାଦ୍ ବିଭାଗୀୟ ମନ୍ତ୍ରୀ ମଧ୍ୟ ଥରକୁ ଥର ସମୀକ୍ଷା ବୈଠକ କରୁଛନ୍ତି। ହେଲେ ଫଳ କିନ୍ତୁ ମିଳୁନି। ବାସ୍ତବିକ କାର୍ଯ୍ୟ ରୂପାୟନ ବେଳେ କେଉଁଠି ନା କେଉଁଠି ତ୍ରୁଟି ରହିଯାଉଥିବାରୁ ବିନିଯୋଗ ଅର୍ଥର ପ୍ରମାଣପତ୍ର ଦେବାରେ ବିଭାଗଗୁଡିକ ସକ୍ଷମ ହୋଇ ପାରୁନାହାନ୍ତି। ଏଜିଙ୍କ ତଥ୍ୟ ଅନୁଯାୟୀ ସର୍ବାଧିକ ବକେୟା ୟୁସି ପଞ୍ଚାୟତିରାଜ ବିଭାଗ ଉପରେ ରହିଛି। ଏହି ବିଭାଗରେ ୨୦୦୩ ବର୍ଷରୁ ୧୩ହଜାର ୬୨୪କୋଟି ୪୪ଲକ୍ଷ ଟଙ୍କାର ୟୁସି ବକେୟା ରହିଛି। ସେହିପରି ନଗର ଉନ୍ନୟନ ବିଭାଗରେ ୫ହଜାର୬୧୬କୋଟି ଟଙ୍କାର ବକେୟା ଥିବାବେଳେ ଯୋଜନା ଓ ସଂଯୋଜନା ବିଭାଗ ଉପରେ ୨୯୨୭ କୋଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉପରେ ୨ହଜାର ୫୫୯କୋଟି , ସ୍ବାସ୍ଥ୍ୟବିଭାଗ ଉପରେ ୨୫୫୩କୋଟି, ଉଚ୍ଚଶିକ୍ଷା ବିଭାଗ ଉପରେ ୧୬୨୨କୋଟି ଟଙ୍କାର ବକେୟା ରହିଛି। ହେଲେ ଅବକାରୀ, ସୂଚନା ଓ ଲୋକସମ୍ପର୍କ, ବିଧାନସଭା, ଖଣି ଓ ଇସ୍ପାତ ବିଭାଗ ଉପରେ କୌଣସି ୟୁସି ବକେୟା ନଥିବା ଜଣାଯାଇଛି।

Comments
Loading...