ଆଇସିଡିଏସ୍‌ ପ୍ରକଳ୍ପଗୁଡ଼ିକରେ ଛତୁଆ ମିଶ୍ରଣ ସଂପନ୍ନ; ଉପକୃତ ହେଲେ ୨୪,୯୯,୫୩୧ ଜଣ ହିତାଧିକାରୀ

ଭୁବନେଶ୍ୱର: ସମନ୍ୱିତ ଶିଶୁ ବିକାଶ ଯୋଜନାରେ ରାଜ୍ୟର ଗର୍ଭବତୀ ଓ ପ୍ରସ୍ତୁତି ମହିଳା ତଥା ୬ ମାସରୁ ୩ ବର୍ଷ ବୟସର ଶିଶୁମାନଙ୍କ ପରିପୂରକ ପୁଷ୍ଟିସାଧନ ନିମନ୍ତେ ପ୍ରତ୍ୟେକ ମାସରେ ନିର୍ଦ୍ଧାରିତ ପରିମାଣର ଟେକ୍‌ ହୋମ୍‌ ରାସନ୍‌ (ଟିଏଚ୍‌ଆର୍‌) ଯୋଗାଇ ଦିଆଯାଉଛି। ଏଥି ପାଇଁ ରାଜ୍ୟ ସରକାରଙ୍କ ୫-‘ଟି’ ଉପକ୍ରମ ଆଧାରରେ ଟିଏଚ୍‌ଆର୍‌ରେ ମୁଖ୍ୟତଃ ପ୍ରଦାନ କରାଯାଉଥିବା ଛତୁଆର ମିଶ୍ରଣ ଓ ବଣ୍ଟନରେ ସ୍ୱଚ୍ଛତା ଏବଂ ଗୁଣାତ୍ମକ ଉତ୍କର୍ଷ ଆଣିବା ଲକ୍ଷ୍ୟରେ ପ୍ରତି ମାସର ନିର୍ଦ୍ଦିଷ୍ଟ ଦିନରେ ଛତୁଆ ମିଶ୍ରଣ କରାଯାଉଛି। ଏହି କ୍ରମରେ ନଭେମ୍ବର ମାସ ପାଇଁ ଆଜି ୨୩ ତାରିଖରେ ରାଜ୍ୟର ସମସ୍ତ ଆଇସିଡିଏସ୍‌ ପ୍ରକଳ୍ପରେ ଛତୁଆ ମିଶ୍ରଣ କରାଯାଇଛି। ଏହି ମିଶ୍ରଣ ବ୍ୟବସ୍ଥାକୁ ବିଭାଗୀୟ ଅଧିକାରୀ, ଜିଲା ପ୍ରଶାସନର ବରିଷ୍ଠ ପଦାଧିକାରୀ ଏବଂ ଆଇସିଡିଏସ୍‌ କର୍ମକର୍ତ୍ତାମାନେ ପରିଚାଳନା ଓ ତଦାରଖ କରିଛନ୍ତି।

 

ଛତୁଆ ପ୍ରସ୍ତୁତି ପାଇଁ ଚୟନ ହୋଇଥିବା ରାଜ୍ୟର ୫୪୧ ସ୍ୱୟଂ ସହାୟକ ଗୋଷ୍ଠୀ ଏଥି ପାଇଁ ନିୟୋଜିତ ହୋଇଛନ୍ତି। ରାଜ୍ୟର ଗର୍ଭବତୀ ପ୍ରସୂତୀ ମହିଳାଙ୍କ ସମେତ ୭,୩୨,୧୦୨ ହିତାଧିକାରୀ ଏହି ଯୋଜନାରେ ଉପକୃତ ହେଉଛନ୍ତି। ସେହିଭଳି ୬ ମାସରୁ ୩ ବର୍ଷ ବୟସର ୧୭,୬୭,୪୨୯ ଜଣ ଶିଶୁଙ୍କୁ ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ଛତୁଆ ଯୋଗାଇ ଦିଆଯାଉଛି। ସମୁଦାୟ ୨୪,୯୯,୫୩୧ ଜଣ ହିତାଧିକାରୀ ଉପକୃତ ହେଉଛନ୍ତି।
ପ୍ରକାଶ ଥାଉ କି, ଛତୁଆ ପ୍ରସ୍ତୁତି, ବଣ୍ଟନ ତଥା ପରିଚାଳନାକୁ ବ୍ୟବସ୍ଥିତ କରିବା ପାଇଁ ‘ମୋ ଛତୁଆ’ ଆପ୍‌ର ବିକାଶ କରାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଛତୁଆ ପ୍ରସ୍ତୁତି ପାଇଁ ସାମଗ୍ରୀ ସଂଗ୍ରହ ଓ ତା’ର ଗୁଣବତ୍ତାକୁ ପରୀକ୍ଷଣ କରିବା ସହ ଯଥେଷ୍ଟ ସ୍ୱଚ୍ଛତା ଅବଲମ୍ବନ କରି ଯାନ୍ତ୍ରିକ ପ୍ରଣାଳୀରେ ମିଶ୍ରଣ କରାଯାଉଛି। ଚଳିତ ବର୍ଷ କୋଭିଡ୍‌ ପରିସ୍ଥିତିକୁ ଦେଖି ସମସ୍ତ ନିୟମାବଳୀକୁ ଅନୁସରଣ କରି ଆଜି ରାଜ୍ୟର ଆଇସିଡିଏସ୍‌ ପ୍ରକଳ୍ପଗୁଡ଼ିକରେ ଛତୁଆ ମିଶ୍ରଣ କରାଯାଉଛି।

Comments are closed.