ତାଜମହଲକୁ ସୁରକ୍ଷା ଦେବାରେ ବିଫଳତା ପାଇଁ ଏଏସ୍‌ଆଇକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

0

ନୂଆଦିଲ୍ଲୀ : ଦେଶର ପ୍ରମୁଖ ଐତିହାସିକ କୀର୍ତ୍ତିରାଜି ତାଜମହଲର ସୁରକ୍ଷା ଦିଗରେ ଆବଶ୍ୟକ ପଦକ୍ଷେପ ନେବାରେ ବିଫଳତା ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବୋକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ଦେଶର ଐତିହାସିକ କୀର୍ତ୍ତିରାଜି କୀଟ ପତଙ୍ଗ ଓ ଶିଉଳି ଦ୍ୱାରା ପ୍ରଭାବିତ ହେଉଥିବାବେଳେ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉ ନଥିବାରୁ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଏସଆଇ ଯଦି ଆବଶ୍ୟକ ପଦକ୍ଷେପ ନେଉ ଥାଆନ୍ତା ତେବେ ଦେଶର ଐତିହାସିକ କୀର୍ତ୍ତିରାଜି ପ୍ରତି ଆଜି ବିପଦ ଦେଖାଯାଇ ନଥାନ୍ତା। ବିଚାରପତି ଏମ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ପୀଠ କହିଛନ୍ତି ଯେ ଦେଶ ପାଇଁ ଏଏସଆଇର ଆବଶ୍ୟକତା ରହିଛି କି ନାହିଁ ତାହା କେନ୍ଦ୍ର ସରକାର ବିଚାର କରିବା ଦରକାର। କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ଆଇନ ଅଧିକାରୀ ନନ୍ଦକର୍ଣ୍ଣି କହିଛନ୍ତି ଯେ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପ୍ରସ୍ତାବକୁ ବିଚାର କରୁଛି। ତାଜମହଲର ସୁରକ୍ଷା ଦିଗରେ ଅନୁଧ୍ୟାନ ପାଇଁ ଆନ୍ତର୍ଜାତିକ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବା ଉପରେ ବିଚାର କରାଯାଉଛି। ଏଏସଆଇର ଓକିଲ ସୁପ୍ରିମକୋର୍ଟରେ କହିଥିଲେ ଯେ ଯମୁନା ନଦୀ ନିଶ୍ଚଳତା ପାଇଁ ତାଜମହଲରେ କୀଟପତଙ୍ଗ ସଂଖ୍ୟା ବୃଦ୍ଧି ପାଇଛି। ଏହା ପୂର୍ବରୁ ମେ ୧ରେ ତାଜମହଲର ରଙ୍ଗ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଥିଲେ।

Leave A Reply