ସମଲିଙ୍ଗୀ ବିବାହକୁ ମାନ୍ୟତା ଦେଲା ଏସିଆର ଏହି ପ୍ରଥମ ଦେଶ

ତାଇପେଇ: ଏସିଆର ପ୍ରଥମ ଦେଶ ଭାବେ ତାଇୱାନ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେଇଛି। ଏଠାରେ ସମଲିଙ୍ଗୀ ବିବାହ ବୈଧ ବୋଲି ଘୋଷଣା କରାଯାଇଛି। ଦେଶର ସାଂସଦମାନେ ଶୁକ୍ରବାର ଏ ସମ୍ପର୍କିତ ଏକ ବିଧେୟକଙ୍କୁ ମଞ୍ଜୁରୀ ପ୍ରଦାନ କରିବା ପରେ ଏହା ଆଇନରେ ପରିଣତ ହୋଇଛି। ଫଳରେ ସରକାରୀ ସଂସ୍ଥାଗୁଡ଼ିକରେ ସମଲିଙ୍ଗୀ ବିବାହ ପାଇଁ ପଞ୍ଜୀକରଣ କରିବା ଲାଗି ଅନୁମତି ଦିଆଯାଇଛି। ତାଇୱାନ ସଂସଦରେ ବିଧେୟକ ଅଣାଯିବା ସମୟରେ ରୁଢ଼ିବାଦୀ ସାଂସଦମାନେ ଏହାକୁ ବିରୋଧ କରିଥିଲେ ହେଁ ଏହାକୁ ଆଇନ ଅନୁସାରେ ସ୍ବୀକୃତି ଦିଆଯାଇଛି।

ଇଣ୍ଟରନ୍ୟାଶନାଲ ଡେ ଏଗେନଷ୍ଟ ହୋମୋଫୋବିଆ, ଟ୍ରାନ୍ସଫୋବିଆ ଏବଂ ବାଇଫୋବିଆ ଦିବସ ଅବସରରେ ତାଇୱାନ ସଂସଦରେ ଏହି ଆଇନ ଅଣାଯାଇଥିବାରୁ ସେଠାକାର ଏଲଜିବିଟି ସମୁଦାୟ ପାଇଁ ଏହା ଏକ ବଡ଼ ବିଜୟ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ତାଇୱାନର ଶୀର୍ଷ ଅଦାଲତ କହିଥିଲେ ଯେ, ସମଲିଙ୍ଗୀ ସାଥୀଙ୍କୁ ବିବାହ କରିବାକୁ ଅନୁମତି ନ ଦେଲେ ସମ୍ବିଧାନର ଉଲ୍ଲଂଘନ ହେବ। ତେଣୁ ଏହାକୁ ଆଇନରେ ପରିଣତ କରିବା ଲାଗି ବିଚାରପତି ସରକାରଙ୍କୁ ମେ ୨୪ ପର୍ଯ୍ୟନ୍ତ ସମୟ ଦେଇଥିଲେ।

ଅନ୍ୟପଟେ ଆଜି ପ୍ରବଳ ବର୍ଷା ସତ୍ବେ ଶତାଧିକ ସମଲିଙ୍ଗୀ ଅଧିକାର ସମର୍ଥକ ସଂସଦ ନିକଟରେ ଏକାଠି ହୋଇଥିଲେ। ତେବେ ଏହି ପ୍ରସଙ୍ଗକୁ ନେଇ ଦେଶବାସୀଙ୍କ ରାୟ ଭିନ୍ନ ଭିନ୍ନ ରହିଛି। ସମଲିଙ୍ଗୀ ଅଧିକାର ସଂଗଠନଗୁଡ଼ିକ ଶୁକ୍ରବାର ଏହି ଐତିହାସିକ ନିଷ୍ପତ୍ତିର ପ୍ରଶଂସା କରିଛନ୍ତି। ସଂଗଠନଗୁଡ଼ିକ କହିଛନ୍ତି, ବିବାହ ପଞ୍ଜୀକରଣ ପାଇଁ ଆବେଦନ କରିବାର ଅଧିକାର ମିଳିବା ପରେ ସେମାନଙ୍କ ସମୁଦାୟକୁ ଅନ୍ୟ ଲିଙ୍ଗର ଦମ୍ପତିମାନଙ୍କ ଭଳି ସମାନ ଅଧିକାରୀ ମିଳିଛି।

Comments are closed.