ପଥର ଖାଦାନ ଉପରେ ତହସିଲଦାରଙ୍କ ରାତିଅଧିଆ ଚଢଉ

ଟ୍ରାକ୍ଟର ଓ ପାୱାର କଟର ଜବତ

ଆଠଗଡ : ଆଠଗଡ ତହସିଲର  ଗୁରୁଡିଝାଟିଆ ରାଜସ୍ୱ ମଣ୍ଡଳ ଅନ୍ତର୍ଗତ ସାଉରିଆ ଓ ଡବାଗାଡିଆ ଅଞ୍ଚଳରେ ଚାଲିଥିବା ବେଆଇନ ମାଙ୍କଡା ପଥର ଖାଦାନ ଉପରେ ଆଠଗଡ ତହସିଲଦାର ବିଳମ୍ବିତ ରାତ୍ରିରେ ଚଢାଉ କରି ଟ୍ରାକ୍ଟର ଓ ପଥର ଖନନରେ ବ୍ୟବହୃତ ପାୱାର କଟର ଆଦି ଜବତ କରିଥିବା ଜଣାପଡ଼ିଛି। ତହସିଲଦାର ତପନ କୁମାର ଖୁଣ୍ଟିଆ ଅନ୍ୟ ତହସିଲ କର୍ମଚାରୀ ଏବଂ ଖୁଣ୍ଟୁଣୀ ଆଇଆଇସି ସୁଚିତ୍ରବିର୍ଯ୍ୟ ଦାସ ଓ ଗୁରୁଡିଝାଟିଆ ଆଇଆଇସି ସମୀର ପଣ୍ଡାଙ୍କ ସହାୟତାରେ ଚୋରାପଥର ଖାଦାନ ଉପରେ ଚଢାଉ କରିଥିଲେ। ଏହି ଚଢାଉ ପୂର୍ବରୁ ଏଠାରେ ଥିବା ପଥର ମାଫିଆ ଚମ୍ପଟ ମାରିଥିବାବେଳେ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ସହିତ ତିନୋଟି ପାୱାର କଟର ଜବତ କରି ଖୁଣ୍ଟୁଣୀ ଥାନାକୁ ଆଣିଥିଲେ। ଏହି ଚଡାଉରେ ରାଜସ୍ୱ ସୁପରଭାଇଜର ପ୍ରଭାତ ଖୁଣ୍ଟିଆ ଓ ଗୁରୁଡିଝାଟିଆ ଆର.ଆଇ ମନୋଜ ସାହୁଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ଅଂଶଗ୍ରହଣ କରିଥିଲେ।

Comments are closed.