ନୀଳଗିରି ଡାକ୍ତରଖାନା ପରିସରରୁ ବେଆଇନ ମାଟି ଚାଲାଣ ତହସିଲଦାରଙ୍କ ଚଢ଼ଉ; ଜେସିବି ସହ ୨ଟି ଟ୍ରକ ଜବତ

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଡାକ୍ତରଖାନା ପରିସରରେ ଗଛିତ ଥିବା ମାଟି ମିଶା ମୋରମକୁ ବୁଧବାର ଦିନ ତମାମ ଜେସିବି ଲଗାଇ ବାହାରକୁ ଚାଲାଣ କରାଯାଉଥିଲା । ଏସମ୍ପର୍କରେ ସ୍ଥାନୀୟ ତହସିଲଦାର ଅଶେଷ ନାୟକ ଖବର ପାଇ ଚଢ଼ଉ କରିବା ସହ ଜେସିବି ଓ ୨ଟି ଟ୍ରକକୁ ଜବତ କରି ଥାନାକୁ ଆଣିଛନ୍ତି। ତେବେ ଏସବୁ ମାଟି ନୀଳଗିରି ମହାବିଦ୍ୟାଳୟ ପରିସରକୁ ଯାଉଥିବା ଜଣାପଡ଼ିଛି । କିଛିଦିନ ପୂର୍ବରୁ ନୀଳଗିରି ଡାକ୍ତରଖାନା ପରିସରରେ ରୋଗୀ କଲ୍ୟାଣ ସମିତି ପକ୍ଷରୁ ଏକ ବୈଠକ କରାଯାଇଥିଲା । ଏଥିରେ ସ୍ଥାନୀୟ ଉପଜିଲାପାଳ ତଥା ରୋଗୀ କଲ୍ୟାଣ ସମିତି ଅଧ୍ୟକ୍ଷ ହରିଶ ଚନ୍ଦ୍ର ଜେନା ମଧ୍ୟ ଉପସ୍ଥିତ ରହି ମାଟି ସବୁ ଡାକ୍ତରଖାନା ପରିସରରୁ ଉଠାଇବାକୁ ନିଷ୍ପତି ହୋଇଥିଲା । କିନ୍ତୁ ତହସିଲଦାରଙ୍କ ବିନାଅନୁମତିରେ ଏସବୁ ଚାଲାଣ ହେଉଥିବା ଅଭିଯୋଗ ହେବା ପରେ ଚଢ଼ଉ ହୋଇଥିବା କୁହାଯାଉଛି । ଅନ୍ୟମାନଙ୍କ ମଧ୍ୟରେ ଏହି ଚଢ଼ଉରେ ନୀଳଗିରି ରାଜସ୍ୱ ନିରୀକ୍ଷକ ଜ୍ୟୋତିର୍ମୟୀ ଦାସ, ସହକାରୀ ରାଜସ୍ୱ ନିରୀକ୍ଷକ ଜୀବନଜ୍ୟୋତି ନାୟକ, ନାଜିର ରତିକାନ୍ତ ମହାନ୍ତି, ବରିଷ୍ଠ ସହକାରୀ ରାଜକିଶୋର ରାୟ ପ୍ରମୁଖ ସାମିଲ ଥିଲେ ।

Comments are closed.