୫ ପ୍ୟାନ୍‍ କାର୍ଡ଼ଧାରୀ ତହସିଲଦାର ରାମଚନ୍ଦ୍ର ଗିରଫ, ଆଜି ହସ୍ତାନ୍ତର କରିଥାନ୍ତେ କାର୍ଯ୍ୟଭାର

ନିମାପଡ଼ା: ନିମାପଡ଼ା ତହସିଲଦାର ତଥା ଉପନିବନ୍ଧକ ଦାୟିତ୍ବରେ ଥିବା ରାମଚନ୍ଦ୍ର ଜେନାଙ୍କ ବାସଭବନରୁ ଭୁବନେଶ୍ବର ଦୁର୍ନୀତି ନିବାରଣ ବିଭାଗ ୪ ଲକ୍ଷ ୬୫ ହଜାର ଟଙ୍କା ଜବତ କରିଛି। ତାଙ୍କ ସରକାରୀ ବାସଭବନରୁ ୫ଟି ପ୍ୟାନ୍ କାର୍ଡ଼ ମଧ୍ୟ ଜବତ କରାଯାଇଛି। ଜବତ ହୋଇଥିବା ପ୍ୟାନ୍ କାର୍ଡ଼ରେ ୩ ଜଣ ପିତାଙ୍କ ନାମ ଓ ୩ ପ୍ରକାର ଜନ୍ମ ତାରିଖ ଉଲ୍ଲେଖ ରହିଥିବା ଜଣାପଡିଛି। ଏଥିସହ ଏଠାରୁ ୫ ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ଶ୍ରୀ ଜେନାଙ୍କ କଟକ ସିଡ଼ିଏ, ସେକ୍ଟର -୧୧ ବାସଭବନ ଓ କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ୍ ଧାନମଣ୍ଡଳସ୍ଥିତ ପୈତୃକ ବାସଭବନ ଉପରେ ଏକକାଳୀନ ଚଢଉ କରାଯାଇଛି। ଏହି ଘଟଣାରେ ଶ୍ରୀ ଜେନା ଓ ତାଙ୍କ ସାନଭାଇ ଲକ୍ଷ୍ମଣ ଜେନାଙ୍କୁ ଗିରଫ କରାଯାଇଛି। ଶ୍ରୀ ଜେନା ବେଆଇନ ଭାବେ ଆଦାୟ କରିଥିବା ଟଙ୍କାକୁ ସାନଭାଇ ଲକ୍ଷ୍ମଣଙ୍କୁ ଦେବା ପାଇଁ ଭୁବନେଶ୍ବରରୁ ଡକାଇଥିଲେ। ଏ ନେଇ ଦୁର୍ନୀତି ନିବାରଣ ବିଭାଗକୁ ସୂଚନା ମିଳିଥିଲା। ମଙ୍ଗଳବାର ସକାଳୁ ଲକ୍ଷ୍ମଣଙ୍କୁ ଟଙ୍କା ହସ୍ତାନ୍ତର କଲାବେଳେ ଦୁର୍ନୀତି ନିବାରଣ ଅଧିକାରୀମାନେ ଉଭୟଙ୍କୁ ଧରିଥିଲେ।

ତେବେ ତାଙ୍କ ବାସଭବନରେ ଚଢ଼ଉ ବେଳେ ସେଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ରାମଚନ୍ଦ୍ରଙ୍କ ନାମରେ ଥିବା ୫ଟି ପ୍ୟାନ୍‍ କାର୍ଡ଼ ଜବତ କରାଯାଇଛି। ଜବତ ପ୍ୟାନକାର୍ଡ଼ ଗୁଡିକ ମଧ୍ୟରୁ ୩ଟି କାର୍ଡ଼ରେ ତାଙ୍କ ବାପାଙ୍କ ନାମ ଅଲଗା ରହିଛି। ୩ଟି କାର୍ଡ଼ରେ ତାଙ୍କ ବାପାଙ୍କ ନାମ ଖଗେଶ୍ୱର ଯେନା ଦର୍ଶଯାଇଥିବା ବେଳେ ଅନ୍ୟ ଦୁଇଟି କାର୍ଡ଼ରେ ବାପାଙ୍କ ନାମ ବୈଷ୍ଣବ ଓ ନାରାୟଣ ଜେନା ଉଲ୍ଲେଖ ରହିଛି। ସେହିପରି ୩ଟି କାର୍ଡ଼ରେ ଜନ୍ମବର୍ଷ ୧୯୭୦ ଥିବା ବେଳେ ଅନ୍ୟ ଦୁଇଟି ମଧ୍ୟରୁ ଗୋଟିକରେ ୧୯୭୧ ଓ ଅନ୍ୟଟିରେ ୧୯୭୨ ଉଲ୍ଲେଖ ରହିଛି। ୫ଟି ଯାକ ପ୍ୟାନକାର୍ଡ଼ରେ ଜନ୍ମ ତାରିଖ ଭିନ୍ନ ଭିନ୍ନ ରହିଛି। ଆଜି ଶ୍ରୀ ଜେନାଙ୍କର ଅନ୍ୟତ୍ର ବଦଳି ହୋଇଥିବା ବେଳେ ସେ ନୂତନ ତହସିଲଦାରଙ୍କୁ କାର୍ଯ୍ୟଭାର ହସ୍ତାନ୍ତର କରିବାର ଥିଲା।

ସୂଚନାେଯାଗ୍ୟ ଯେ ପୂର୍ବରୁ ତହସିଲଦାର ଶ୍ରୀ ଜେନାଙ୍କ ନାମରେ ୨୦୧୧ ମସିହାରେ ବେଆଇନ ଜମି କାରବାର ଓ ପଟ୍ଟା ପ୍ରଦାନ ଓ ୨୦୧୮ ମସିହାରେ କୃଷି ଜମିକୁ ଅଣକୃଷି ଜମି ଭାବେ କିସମ ପରିବର୍ତ୍ତନ କରିଥିବା ନେଇ ଦୁର୍ନୀତି ନିବାରଣ ପକ୍ଷରୁ ଦୁଇଟି ମାମଲା ଚାଲୁ ରହିଛି। ନିମାପଡ଼ାର ତହସିଲଦାର ଓ ଉପ-ନିବନ୍ଧକ ଦାୟିତ୍ୱରେ ରହି ବର୍ଷକ ମଧ୍ୟରେ ରାସ୍ତା ନ ଥିବା ଚାଷଜମି, ଜଳାଶୟକୁ ଘରବାରି କରିବା, ଚକ କିସମ ଜମିକୁ ଭାଙ୍ଗି ଦଲିଲ୍ କରିବା, ଘରବାରି କରିବା ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନେବା, ଚକବନ୍ଦୀ ଅଧିନରେ ଥିବା ଅଣ୍ଢିଆ, ପାଟପୁର ମୌଜାରେ ବେଆଇନ୍ ଭାବେ ଘରବାରି କରିବା ନେଇ ଅଭିେଯାଗ ହୋଇ ଆସୁଥିଲା। ଏଥିରେ ତାଙ୍କୁ ତହସିଲର ଜଣେ ଅସ୍ଥାୟୀ କର୍ମଚାରୀ, ହଂସପଡ଼ା ରାଜସ୍ୱ ସର୍କଲର ପୂର୍ବତନ କର୍ମଚାରୀ ଏବଂ କେତେକ ଦଲାଲ୍ ତାଙ୍କୁ ସହଯୋଗ କରି ଆସୁଥିଲେ। ଏ ନେଇ ସାଧାରଣ ଲୋକ ବିଭିନ୍ନ ସମୟରେ ଆପତ୍ତି ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ସେ ଦିଗରେ କର୍ଣ୍ଣପାତ କରୁ ନଥିଲା। ତେବେ ଗତ ଅଗଷ୍ଟ ୬ ତାରିଖରେ ନିମାପଡ଼ା ଉପ-ନିବନ୍ଧକ କାର୍ଯ୍ୟାଳର ମୁଖ୍ୟ କିରାଣୀ ପ୍ରକାଶ ଦାସ ଓ ରାତ୍ର ଜଗୁଆଳୀ ହରିହର ଦାସ ଏକ ଜମି କାରବାରରେ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଦୁର୍ନୀତି ନିବାରଣ ଦ୍ୱାରା ଗିରଫ ହୋଇଥିଲେ। ତେବେ ସେ ସମୟରେ ଶ୍ରୀ ଜେନା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସେ ଦୁର୍ନୀତି ନିବାରଣ ବିଭାଗର ନଜରରେ ରହିଥିଲେ।

ଏହାପରେ ସେ ନିଜ ସାନଭାଇ ଲକ୍ଷ୍ମଣ କୁମାର ଜେନାଙ୍କ ଜରିଆରେ ବେଆଇନ କାର୍ଯ୍ୟକଳାପ ଜାରି ରଖିଥିଲେ। ସମସ୍ତ ଦୁର୍ନୀତିର ଗନ୍ଧ ଜିଲା ପ୍ରଶାସନ ବାରିପାରି ଗତ ଅକ୍ଟୋବର ୩୦ ତାରିଖରେ ଶ୍ରୀ ଜେନାଙ୍କୁ ନିମାପଡ଼ାରୁ ଗଜପତିକୁ ଜିଲାକୁ ବଦଳି କରିଥିଲା। ତେବେ ସେ ନୂତନ କାର୍ଯ୍ୟସ୍ଥଳୀରେ ଯୋଗ ନ ଦେଇ ସୋମବାର ଅର୍ଥାତ୍ ନଭେମ୍ବର ୧ ତାରିଖ ବିଳମ୍ବିତ ରାତି ପର୍ଯ୍ୟନ୍ତ ତହସିଲରେ ବିଭିନ୍ନ କାର୍ଯ୍ୟ କରିଥିଲେ। ସେହି ସମୟରେ ଲୋକମାନଙ୍କ ଠାରୁ ଆଦାୟ ହୋଇଥିବା ଲାଞ୍ଚ ଟଙ୍କାକୁ ଦୁର୍ନୀତି ନିବାରଣ ପକ୍ଷରୁ ଜବତ କରାଯାଇଥିଲା ବେଳେ ଶ୍ରୀ ଜେନା ତାଙ୍କ ନିକଟରେ ଥିବା ଟଙ୍କାର ସଠିକ୍ ପ୍ରମାଣ ପତ୍ର ଦେଇ ପାରିନଥିଲେ।

ଭାଇ ସାଜିଥିଲେ ମଧ୍ୟସ୍ଥି
ଅନୁସନ୍ଧାନରୁ ଜଣାପଡିଛି ଯେ ଶ୍ରୀ ଜେନାଙ୍କ ସାନଭାଇ ଲକ୍ଷ୍ମଣ ଜେନା େବଆଇନ କାର୍ଯ୍ୟକଳାପର ସକ୍ରିୟ ସହଯୋଗୀ ଥିଲେ। ଲକ୍ଷ୍ମଣଙ୍କ ଜରିଆରେ ରାମଚନ୍ଦ୍ର ସବୁ କାରବାର କରିବା ସହ ଟଙ୍କା ମଧ୍ୟ ଆଦାୟ କରୁଥିଲେ। ଲକ୍ଷ୍ମଣ ୨୦୦୨ରୁ ୨୦୦୩ ପର୍ଯ୍ୟନ୍ତ ଟ୍ରକ୍ ହେଲପର ଭାବେ କାମ କରୁଥିଲେ। ଏହାପରେ ଟ୍ରକ ଚାଳକ (୨୦୦୬- ୨୦୦୭) ଭାବରେ କାର୍ଯ୍ୟ କରୁଥିଲେ। ୨୦୧୨ ମସିହାରୁ ଭୁବନେଶ୍ୱରରେ କାର ଚଳାଉଥିଲେ ଏବଂ ୨୦୧୮ରେ ମୋ ବସ୍ ଚାଳକ ଭାବେ କାମ କରୁଥିଲେ। ବର୍ତ୍ତମାନ ତାଙ୍କର କୌଣସି ଆୟର ଉତ୍ସ ନ ଥିଲା ବେଳେ ତାଙ୍କ ନାମରେ ଥିବା ବ୍ୟାଙ୍କ ଖାତାରେ ଲକ୍ଷାଧିକ ଟଙ୍କା ଜମା ଥିବା ଜଣାପଡିଛି। ଜେରା ବେଳେ ଲକ୍ଷ୍ମଣ ସ୍ବୀକାର କରିଛନ୍ତି ଯେ ତାଙ୍କ ଭାଇ ନିମାପଡା ଡାକି ତିନୋଟି ପର୍ଯ୍ୟାୟରେ ୨.୫ ଲକ୍ଷ, ୫ ଲକ୍ଷ ଏବଂ ୨.୫ ଲକ୍ଷ ଟଙ୍କା (ମୋଟ ୧୦ ଲକ୍ଷ ଟଙ୍କା) ଦେଇଥଲେ। ଯାହାକୁ ସେ ନିଜ ବ୍ୟାଙ୍କ ଖାତାରେ ଜମା କରିଥିଲେ। ଦୁର୍ନୀତି ନିବାରଣ ବିଭାଗ ତାଙ୍କ ବ୍ୟାଙ୍କ ଖାତାକୁ ଜବତ କରିଛି।

Comments are closed.