ହୋମୱର୍କ ନ କରିବାରୁ ଛାତ୍ରୀଙ୍କୁ ୧୬୮ ଚାପୁଡ଼ା, ବନ୍ଧା ହେଲେ ଶିକ୍ଷକ

ଭୋପାଳ: ହୋମୱର୍କ ନ କରିବାରୁ ଜଣେ ଛାତ୍ରୀଙ୍କୁ ୧୬୮ ଥର ଚାପୁଡ଼ା ମରାଯାଇଛି। ଶିକ୍ଷକ ଅନ୍ୟ ଛାତ୍ରୀମାନଙ୍କ ଦ୍ବାରା ସମ୍ପୃକ୍ତ ଛାତ୍ରୀଙ୍କୁ ଏଭଳି ନିର୍ଯାତନା ଦେଇଛନ୍ତି। ମଧ୍ୟପ୍ରଦେଶର ହାବୁଆ ଜିଲା ଅନ୍ତର୍ଗତ ଏକ ସରକାରୀ ସ୍କୁଲରେ ଏଭଳି ଘଟଣା ଘଟିଛି। ଏ ନେଇ ଅଭି​‌ଯୋଗ ହେବା ପରେ ପୁଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିଛି। କୋର୍ଟ ଅଭିଯୁକ୍ତ ଶିକ୍ଷକ ମନୋଜ ବର୍ମାଙ୍କ ଜାମିନ ଆବେଦନକୁ ଖାରଜ କରିଦେବା ସହ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ସୂଚନା ମୁତାବକ, ଗତ ଜାନୁୟାରୀରେ ଏହି ଘଟଣା ଘଟିଥିଲା। ପୀଡ଼ିତ ଛାତ୍ରୀଙ୍କ ବାପା ପ୍ରତାପ ସିଂହଙ୍କ କହିବା ଅନୁସାରେ, ଅସୁସ୍ଥତା କାରଣରୁ ତାଙ୍କ ଝିଅ ଜାନୁୟାରୀ ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଯାଇ ନ ଥିଲେ। ୧୧ ତାରିଖରେ ଝିଅ ବିନା ହୋମୱର୍କରେ ସ୍କୁଲ ଯାଇଥିଲେ। ମାତ୍ର ଶିକ୍ଷକ ତାଙ୍କୁ ଦଣ୍ଡ ଦେଇଥିଲେ। ୬ଦିନ ପର୍ଯ୍ୟନ୍ତ ପ୍ରତିଦିନ ୧୪ ଛାତ୍ରୀ ତାଙ୍କୁ ଚାପୁଡ଼ା ମାରିଥିଲେ। ଏ ନେଇ ସେ ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ ହୋଇଥିଲା। କମିଟି ସମ୍ପୃକ୍ତ ଶିକ୍ଷକଙ୍କୁ ଦୋଷୀ କରିବା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ଏହା ପରେ ଛାତ୍ରୀଙ୍କ ପିତା ଏ ନେଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଘଟଣା ପରେ ଛାତ୍ରୀ ଜଣକ ମାନସିକ ଯନ୍ତ୍ରଣା ଭୋଗିଥିଲେ ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେ ସ୍କୁଲ ଯିବାକୁ ବି ମନା କରିଦେଇଥିଲେ ବୋଲି ତାଙ୍କ ବାପା ଅଭିଯୋଗରେ ଦର୍ଶାଇଛନ୍ତି।

Comments are closed.