ସୁପର-୧୨ ପର୍ଯ୍ୟାୟ – ଦକ୍ଷିଣ ଆଫ୍ରିକାକୁ ହରାଇଲା ଅଷ୍ଟ୍ରେଲିଆ

ଦୁବାଇ: ‌ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ସୁପର-୧୨ ପର୍ଯ୍ୟାୟ ଶନିବାର ଆରମ୍ଭ ହୋଇଥିବା ବେଳେ ଏହାର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ଷ୍ଟିଭେନ୍ ସ୍ମିଥ୍ ଓ ମାର୍କସ ଷ୍ଟୋଇନିସ୍‌ଙ୍କ ଉପଯୋଗୀ ଇନିଂସ ବଳରେ ଗ୍ରୁପ୍-୧ର ଲିଗ୍‌ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୫ ୱିକେଟରେ ଅଷ୍ଟ୍ରେଲିଆ ପରାସ୍ତ କରିଛି। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଐଡେନ୍ ମାର୍କରାମଙ୍କ ଲଢ଼ୁଆ ୪୦ ରନ୍‌ ବଳରେ ପ୍ରଥମେ ବ୍ୟାଟିଂକରି ଦକ୍ଷିଣ ଆଫ୍ରିକା ୯ ୱିକେଟରେ ୧୧୮ ରନ୍‌ କରିଥିଲା। ପରେ ୨ଟି ବଲ୍‌ ବାକିଥାଇ ଅଷ୍ଟ୍ରେଲିଆ ୫ ୱିକେଟ ହରାଇ ଜିତିଥିଲା। ଏହି ବିଜୟରୁ ଅଷ୍ଟ୍ରେଲିଆ ୨ ପଏଣ୍ଟ ପାଇଛି।

ଅଷ୍ଟ୍ରେଲିଆ ୧୧୯ ରନ୍‌ର ପିଛା କରିଥିବା ବେଳେ ଅଧିନାୟକ ଆରୋନ୍ ଫିଞ୍ଚ୍ ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ଡେଭିଡ୍‌ ୱାର୍ଣ୍ଣର ଫର୍ମକୁ ଫେରିବେ ବୋଲି ଆଶା କରା ଯାଉଥିବା ବେଳେ ସେ ୩ଟି ଚୌକା ସହ ୧୪ ରନ୍‌ କରି ପାରିଥିଲେ। ମିଚେଲ ମାର୍ଶ ୧୧ ରନ୍‌କରି ବିଦାୟ ନେଇଥିଲେ। ୮ମ ଓଭରରେ ୩୭ ରନ୍‌ ସ୍କୋର୍‌ରେ ଅଷ୍ଟ୍ରେଲିଆ ୩ଟି ୱିକେଟ ହରାଇବା ପରେ ଷ୍ଟିଭେନ୍ ସ୍ମିଥ୍ ଓ ଗ୍ଲେନ୍ ମ୍ୟାକ୍ସୱେଲ ୪୨ ବଲ୍‌ରୁ ୪୨ ରନ୍‌ ଯୋଡ଼ିଥିଲେ। ତେବେ ୩ଟି ବଲ୍‌ ମଧ୍ୟରେ ଉଭୟେ ଆଉଟ ହୋଇ ଯାଇଥିଲେ। ୫ ୱିକେଟ ହାତରେ ଥାଇ ଅଷ୍ଟ୍ରେଲିଆ ଶେଷ ୨୮ ବଲ୍‌ରୁ ୩୮ ରନ୍‌ ଆବଶ୍ୟକ କରୁଥିଲା। ସ୍ମିଥ୍ ୩୪ ବଲ୍‌ରୁ ୩ଟି ଚୌକା ସହ ୩୫ ରନ୍‌ କରିଥିଲେ। ମ୍ୟାକ୍ସୱେଲ ୨୧ ବଲ୍‌ରୁ ଗୋଟିଏ ଚୌକା ସହ ୧୮ ରନ୍‌ କରିଥିଲେ। ଅବିଭାଜିତ ୬ଷ୍ଠ ୱିକେଟ ପାଇଁ ମାର୍କସ ଷ୍ଟୋଇନିସ୍ ଓ ମାଥ୍ୟୁ ୱେଡ୍‌ ଲଢ଼ୁଆ ବ୍ୟାଟିଂକରି ଦଳକୁ ଜିତାଇଥିଲେ। ୧୨ ବଲ୍‌ରୁ ଅଷ୍ଟ୍ରେଲିଆ ୧୮ ରନ୍ ଆବଶ୍ୟକ କରୁଥିବା ବେଳେ ୧୦ ବଲ୍‌ରୁ ଏହା ହାସଲ କରି ନେଇଥିଲା। ବାମହାତି ୱେଡ୍‌ ୧୦ ବଲ୍‌ରୁ ୨ଟି ଚୌକା ସହ ୧୫ ଏବଂ ମାର୍କସ ଷ୍ଟୋଇନିସ୍‌ ୧୬ ବଲ୍‌ରୁ ୩ଟି ଚୌକା ସହ ୨୪ ରନ୍‌କରି ଅପରାଜିତ ଥିଲେ। ଆନ୍‌ରିଚ୍ ନୋର୍ଖିୟା ୨ଟି ୱିକେଟ ନେଇଥିଲେ। ଚମତ୍କାର ବୋଲିଂ କରିଥିବା ଜୋସ୍ ହାଜେଲଉଡ୍‌ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

ଟସ୍ ଜିତି ଅଷ୍ଟ୍ରେଲିଆ ଫିଲ୍‌ଡିଂ ନେବା ପରେ ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାଭୁମା ପ୍ରଥମ ଓଭରରେ ୧୧ ରନ୍‌ ମାରିଥିଲେ। ହେଲେ ୪୬ ରନ୍‌ ସ୍କୋର୍‌ରେ ଦକ୍ଷିଣ ଆଫ୍ରିକା ୪ଟି ୱିକେଟ ହରାଇଥିଲା। ବାଭୁମା ୨ଟି ଚୌକା ସହ ୧୨, କ୍ବିଣ୍ଟନ୍ ଡି କକ୍ ଗୋଟିଏ ଚୌକା ସହ ୭, ରାସି ଭାନ୍ ଡର ଡ୍ୟୁସେନ୍ ୨ ଏବଂ ହେନ୍‌ରିକ୍ କ୍ଲାସେନ୍ ୨ଟି ଚୌକା ସହ ୧୩ ରନ୍‌କରି ଆଉଟ ହୋଇ ଯାଇଥିଲେ। ତେବେ ଐଡେନ୍ ମାର୍କରାମ ଓ ଡେଭିଡ୍‌ ମିଲର ୫ମ ୱିକେଟ ପାଇଁ ୩୪ ରନ୍‌ ଯୋଡ଼ିଥିଲେ। ବାମହାତି ମିଲର ୧୮ ବଲ୍‌ରୁ ୧୬ ରନ୍‌ କରିଥିଲେ। ଡ୍ବେନ୍ ପ୍ରିଟୋରିୟସ୍ ଓ କେଶବ ମହାରାଜ ବିଫଳ ହୋଇଥିଲେ। ମାର୍କରାମ ୩୬ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୪୦ ରନ୍‌ କରିଥିଲେ। କାଗିସୋ ରାବାଡ଼ା ଶେଷଆଡ଼କୁ ଅପରାଜିତ ୧୯ ରନ୍‌ କରିବାରୁ ଦକ୍ଷିଣ ଆଫ୍ରିକା ୧୧୮ ରନ୍‌ରେ ପହଞ୍ଚି ପାରିଥିଲା। ମିଚେଲ ଷ୍ଟାର୍କ, ଜୋସ୍ ହାଜେଲଉଡ୍‌ ଓ ଆଡାମ୍ ଜାମ୍ପା ୨ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.