ଟି୨୦ ସିରିଜ୍: ସମାନ ସ୍ଥିତିରେ ଭାରତ ଓ ଇଂଲଣ୍ଡ

ଅହମ୍ମଦାବାଦ: ଏଠାରେ ଆସନ୍ତା ୧୨ରୁ ଭ୍ରମଣକାରୀ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ୍ର ଟ୍ବେଣ୍ଟି୨୦ ସିରିଜ୍ ଖେଳିବ। ଟ୍ବେଣ୍ଟି୨୦ କ୍ରିକେଟ୍ରେ ଉଭୟ ଭାରତ ଓ ଇଂଲଣ୍ଡ ବିଶ୍ବରେ ଶକ୍ତିଶାଳୀ ଦଳ। ଆଇସିସି ଟ୍ବେଣ୍ଟି୨୦ ମାନ୍ୟତାରେ ଇଂଲଣ୍ଡ ପ୍ରଥମ ସ୍ଥାନରେ ଥିବା ବେଳେ ଭାରତ ୨ୟ ସ୍ଥାନରେ ରହିଛି। ତେଣୁ ଏହି ଦୁଇ ଶୀର୍ଷ ମାନ୍ୟତାପ୍ରାପ୍ତ ଦଳଙ୍କ ମଧ୍ୟରେ ମୁକାବିଲା ବେଶ୍ ଜମିବ ବୋଲି ଆଶା କରାଯାଉଛି। ପୁଣି ଉଭୟ ଦଳରେ ଏକାଧିକ ଟ୍ବେଣ୍ଟି୨୦ ବିଶେଷଜ୍ଞ ରହିଛନ୍ତି। ଏହି ସିରିଜ୍ ଆରମ୍ଭ ପୂର୍ବରୁ ଆସନ୍ତୁ ଜାଣିବା ଇଂଲଣ୍ଡ ଓ ଭାରତ ମଧ୍ୟରେ ଅଦ୍ୟାବଧି ଖେଳା ଯାଇଥିବା ଟ୍ବେଣ୍ଟି୨୦ ମୁକାବିଲା ସମ୍ପର୍କରେ।

ଅଦ୍ୟାବଧି ଭାରତ ଓ ଇଂଲଣ୍ଡ ମଧ୍ୟରେ ୨୦୦୭ରୁ ୨୦୧୮ ମଧ୍ୟରେ ମୋଟ ୧୪ଟି ଟି୨୦ ମ୍ୟାଚ୍ ଖେଳାଯାଇଛି। ଏଥିରୁ ଉଭୟ ଦଳ ୭ଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି। ଉଭୟ ଦଳଙ୍କ ମଧ୍ୟରେ ୨୦୦୭ ଟ୍ବେଣ୍ଟି୨୦ ବିଶ୍ବକପ୍ର ପ୍ରଥମ ସଂସ୍କରଣରେ ପ୍ରଥମଥର ମୁକାବିଲା ହୋଇଥିଲା। ଏହି ମ୍ୟାଚ୍ରେ ଇଂଲଣ୍ଡର ଫାଷ୍ଟବୋଲର ଷ୍ଟୁଆର୍ଟ ବ୍ରଡ୍ଙ୍କ ଏକ ଓଭରରେ ୬ଟି ବଲ୍ରୁ ୬ଟି ଛକା ମାରିଥିଲେ ଭାରତର ଯୁବରାଜ ସିଂହ। ଭାରତର ୨୧୮ ରନ୍ ସ୍କୋର୍ ପରେ ଇଂଲଣ୍ଡ ସାହସିକ ବ୍ୟାଟିଂକରି ୨୦୦ ରନ୍ରେ ପହଞ୍ଚି ପାରିଥିଲା। ୨୦୧୮ରେ ବ୍ରିଷ୍ଟଲରେ ଶେଷଥର ପାଇଁ ଉଭୟ ଦଳଙ୍କ ମଧ୍ୟରେ ଟ୍ବେଣ୍ଟି୨୦ ମୁକାବିଲା ହୋଇଥିଲା। ଜେସନ୍ ରୟଙ୍କ ବିସ୍ଫୋରକ ୬୭ ରନ୍ ସତ୍ତ୍ବେ ରୋହିତ ଶର୍ମାଙ୍କ ଅପରାଜିତ ଶତକ ବଳରେ ଭାରତ ୭ ୱିକେଟରେ ବିଜୟୀ ହୋଇଥିଲା। ଅବଶ୍ୟ ସିରିଜ୍ ବିଜୟେର ଇଂଲଣ୍ଡ ସାମାନ୍ୟ ଆଗରେ ରହିଛି। ଉଭୟ ଦଳଙ୍କ ମଧ୍ୟରେ ଅଦ୍ୟାବଧି ମୋଟ ୬ଟି ଦ୍ବିପାକ୍ଷିକ ଟ୍ବେଣ୍ଟି୨୦ ସିରିଜ୍ ଖେଳାଯାଇଛି। ଏଥିରୁ ଇଂଲଣ୍ଡ ୩ଟି ଜିତିଥିବା ବେଳେ ଭାରତ ୨ଟି ଜିତିଛି ଏବଂ ଗୋଟିଏ ସିରିଜ୍ ଡ୍ର ରହିଛି। ୨୦୧୧ରୁ ୨୦୧୭ ମଧ୍ୟରେ ଉଭୟ ଦଳଙ୍କ ମଧ୍ୟରେ ଭାରତ ମାଟିରେ ମୋଟ ୩ଟି ଦ୍ବିପାକ୍ଷିକ ଟ୍ବେଣ୍ଟି୨୦ ସିରିଜ୍ ଖେଳାଯାଇଛି। ଏଥିରୁ ଉଭୟ ଦଳ ଗୋଟିଏ ଲେଖାଏଁ ଜିତିଥିବା ବେଳେ ଗୋଟିଏ ସିରିଜ୍ ଡ୍ର ରହିଛି। ଇଂଲଣ୍ଡ ମାଟିରେ ମଧ୍ୟ ଉଭୟ ଦଳଙ୍କ ମଧ୍ୟରେ ୩ଟି ଦ୍ବିପାକ୍ଷିକ ଟ୍ବେଣ୍ଟି୨୦ ସିରିଜ୍ ଖେଳାଯାଇଛି। ଏଥିରୁ ଇଂଲଣ୍ଡ ୨ଟି ଜିତିଥିବା ବେଳେ ଭାରତ ଗୋଟିଏ ଜିତିଛି। ଭାରତ ମାଟିରେ ଉଭୟ ଦଳଙ୍କ ମଧ୍ୟରେ ମୋଟ ୬ଟି ଟି୨୦ ମ୍ୟାଚ୍ ଖେଳା ଯାଇଥିବା ବେଳେ ଉଭୟ ଦଳ ୩ଟି ଲେଖାଏଁ ଜିତିଛନ୍ତି। ଇଂଲଣ୍ଡ ମାଟିରେ ଉଭୟ ଦଳଙ୍କ ମଧ୍ୟରେ ମୋଟ ୬ଟି ମ୍ୟାଚ୍ ଖେଳା ଯାଇଥିବା ବେଳେ ଇଂଲଣ୍ଡ ୪ଟି ଓ ଭାରତ ୨ଟି ମ୍ୟାଚ୍ ଜିତିଛି। ଟି୨୦ ବିଶ୍ବକପ୍ରେ ଉଭୟ ଦଳଙ୍କ ମଧ୍ୟରେ ୨ଟି ମ୍ୟାଚ୍ ଖେଳା ଯାଇଥିବା ବେଳେ ଉଭୟ ମ୍ୟାଚ୍ ଭାରତ ଜିିତିଛି।

ଉଭୟ ଦଳଙ୍କ ମଧ୍ୟରେ ସର୍ବପ୍ରଥମ ଟି୨୦ ମ୍ୟାଚ୍ରେ ଉଭୟ ଦଳ ସେମାନଙ୍କ ସର୍ବାଧିକ ଦଳଗତ ସ୍କୋର କରିଥିଲେ। ଭାରତ ୨୧୮ ରନ୍ କରିଥିବା ବେେଳ ଇଂଲଣ୍ଡ ୨୦୦ ରନ୍ କରିଥିଲା। ଉଭୟ ଦଳଙ୍କ ମୁକାବିଲାରେ ଭାରତର ସର୍ବନିମ୍ନ ସ୍କୋର୍ ୯/୧୨୦ ଥିବା ବେଳେ ଇଂଲଣ୍ଡ ୮୦ ରନ୍ରେ ଅଲ୍ଆଉଟ ହୋଇଥିଲା। ଉଭୟ ଦଳଙ୍କ ମୁକାବିଲାରେ ଭାରତୀୟ ଅଧିନାୟକ ବିରାଟ କୋହଲି ୧୨ଟି ଇନିଂସରୁ ସର୍ବାଧିକ ୩୪୬ ରନ୍ କରିଥିବା ବେଳେ ଇଂଲଣ୍ଡ ଅଧିନାୟକ ଇଓନ୍ ମୋର୍ଗାନ୍ ସର୍ବାଧିକ ୩୧୪ ରନ୍ କରିଛନ୍ତି। ଉଭୟ ଦଳଙ୍କ ମୁକାବିଲାରେ ମାତ୍ର ୨ଟି ଶତକ ହୋଇଥିବା ବେଳେ ୨୦୧୮ରେ ଉଭୟ ଶତକ ଭାରତର କେ.ଏଲ୍. ରାହୁଲ (ଅପରାଜିତ ୧୦୧) ଓ ରୋହିତ ଶର୍ମା (ଅପରାଜିତ ୧୦୦) ମାରିଛନ୍ତି। ଭାରତ ପାଇଁ ୟୁଜବେନ୍ଦ୍ର ଚହଲ ସର୍ବାଧିକ ୯ଟି ୱିକେଟ ନେଇଥିବା ବେଳେ ଇଂଲଣ୍ଡର ଜେଡ୍ ଡର୍ନବ୍ୟାକ ୭ଟି ୱିକେଟ ନେଇଛନ୍ତି।

Comments are closed.