୨ୟ ଟି୨୦: ରୋହିତଙ୍କ ଶତକ; ଭାରତ ସିରିଜ୍‍ ଜିତିଲା

0

ଲକ୍ଷ୍ନୌ : ୱେଷ୍ଟଇଣ୍ଡିଜ୍‍ର ଚଳିତ ଗସ୍ତରେ ୩ଟିଯାକ ସିରିଜ୍‍ ଜିତିବାରେ ସଫଳ ହୋଇଛି ଘରୋଇ ଭାରତ ଦଳ। ପୂର୍ବରୁ ଟେଷ୍ଟ ଓ ଦିନିକିଆ ସିରିଜ୍‍ ଜିତିଥିବା ଭାରତ ଟ୍ୱେଣ୍ଟି୨୦ ସିରିଜ୍‍ ମଧ୍ୟ ଜିତିନେଇଛି। ମଙ୍ଗଳବାର ୨ୟ ଟ୍ୱେଣ୍ଟି୨୦ ମ୍ୟାଚ୍‍ରେ ସହଜରେ ୭୧ ରନ୍‍ରେ ଇଣ୍ଡିଜ୍‍କୁ ଭାରତ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ବିଶ୍ୱରେକର୍ଡ ୪ର୍ଥ ଟ୍ୱେଣ୍ଟି୨୦ ଶତକ ବଳରେ ପ୍ରଥମେ ବ୍ୟାଟିଂକରି ଭାରତ ୨ ୱିକେଟରେ ୧୯୫ ରନ୍‍ର ପ୍ରଭାବଶାଳୀ ସ୍କୋର୍‍ କରିଥିଲା। ପରେ ୨୦ ଓଭରରେ ୱେଷ୍ଟଇଣ୍ଡିଜ୍‍ ୯ ୱିକେଟରେ ୧୨୪ ରନ୍‍ କରି ପାରିଥିଲା। କ୍ରମାଗତ ୨ୟ ମ୍ୟାଚ୍‍ ଜିତି ୩ ମ୍ୟାଚ୍‍ର ଟ୍ୱେଣ୍ଟି୨୦ ସିରିଜ୍‍ରେ ୨-୦ରେ ଆଗୁଆ ରହି ଭାରତ ଏହାକୁ ଜିତିନେଇଛି। ୧୧ରେ ୩ୟ ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳାଯିବ।
୧୯୬ ରନ୍‍ ବିଜୟଲକ୍ଷ୍ୟର ପିଛା କରିଥିବା ୱେଷ୍ଟଇଣ୍ଡିଜ୍‍ ବ୍ୟାଟ୍‍ସମ୍ୟାନ୍‍ ସାଇ ହୋପ୍‍ ପ୍ରଥମ ଓଭରରେ ଏକ ଛକା ମାରିବା ପରେ ୨ୟ ଓଭରରେ ୬ ରନ୍‍କରି ଆଉଟ ହୋଇଥିଲେ। ପରେ ଏହି ଗସ୍ତରେ ଇଣ୍ଡିଜ୍‍ର ସଫଳତମ ବ୍ୟାଟ୍‍ସମ୍ୟାନ ସିମ୍ରନ୍‍ ହେତ୍‍ମାୟର ୩ଟି ଚୌକା ସହ ୧୫ ରନ୍‍କରି ବିଦାୟ ନେଇଥିଲେ। ଏହିପରି ୱେଷ୍ଟଇଣ୍ଡିଜ୍‍ ନିୟମିତ ବ୍ୟବଧାନରେ ୱିକେଟ ହରାଇ ଚାଲିଥିଲା। ବାମହାତି ଡ୍ୟାରେନ୍‍ ବ୍ରାଭୋ କିଛି ସମୟ କ୍ରିଜ୍‍ରେ ରହିଥିଲେ ଏବଂ କିଛି ଦର୍ଶନୀୟ ସଟ୍‍ ଖେଳିଥିଲେ। ୧୮ ବଲ୍‍ରୁ ୪ଟି ଚୌକା ସହ ୨୩ ରନ୍‍କରି ବ୍ରାଭୋ ଆଉଟ ହୋଇଥିଲେ। ପରେ ଦିନେଶ ରାମଦିନ ୧୦ ଓ ନିକୋଲାସ୍‍ ପୂରନ୍‍ ୪ ରନ୍‍କରି ଆଉଟ ହୋଇଥିଲେ। କୈରନ୍‍ ପୋଲାର୍ଡଙ୍କଠାରୁ ଦଳ କିଛି ରନ୍‍ର ଆଶା ରଖିଥିବା ବେଳେ ମୁମ୍ବଇ ଇଣ୍ଡିଆନ୍‍ସର ଏହି ତାରକା ୬ ରନ୍‍କରି ବିଦାୟ ନେଇଥିଲେ। ୬୮ ରନ୍‍ରେ ୱେଷ୍ଟଇଣ୍ଡିଜ୍‍ ୫ଟି ୱିକେଟ ହରାଇବା ପରେ ଏହାର ପରାଜୟ ନିଶ୍ଚିତ ଲାଗୁଥିଲା। କିମୋ ପଲ୍‍ ୨୦ ରନ୍‍ କରିଥିଲେ। ଅଧିନାୟକ କାର୍ଲୋସ ବ୍ରାଥ୍‍ୱେଟ୍‍ ୧୫ ରନ୍‍କରି ଅପରାଜିତ ରହିଥିଲେ। କୁଲଦୀପ ଯାଦବ, ଯଶପ୍ରୀତ ବୁମ୍‍ରା, ଖଲିଲ ଅହମ୍ମଦ ଓ ଭୁବନେଶ୍ୱର କୁମାର ୨ଟି ଲେଖାଏଁ ୱିକେଟ ପାଇଥିଲେ।
ୱେଷ୍ଟଇଣ୍ଡିଜ୍‍ ଟସ୍‍ ଜିତି ଫିଲ୍‍ଡିଂ ନେବା ପରେ ଓସାନେ ଥମାସ୍‍ ବୋଲିଂ କରିଥିବା ପ୍ରଥମ ଓଭର ମେଡେନ୍‍ ଥିଲା ଏବଂ ୩ ଓଭରରେ ୧୧ ରନ୍‍ ହୋଇଥିଲା। ହେଲେ ୪ର୍ଥ ଓଭରରୁ ରୋହିତ ଶର୍ମା ଓ ଶିଖର ଧାୱନ ବାଉଣ୍ଡରୀ ମାରିବା ଆରମ୍ଭ କରି ଦେଇଥିଲେ। ଫଳରେ ପରବର୍ତ୍ତୀ ୧୧ ଓଭରରୁ ୧୧୨ ରନ୍‍ ହୋଇଥିଲା। ରୋହିତ-ଧାୱନଙ୍କ ପ୍ରହାରରୁ କୌଣସି ଇଣ୍ଡିଜ୍‍ ବୋଲର ତ୍ରାହି ପାଇନଥିଲେ। ଅବଶ୍ୟ ଧାୱନଙ୍କର ଏକ ସହଜ କ୍ୟାଚ୍‍ ବାଉଣ୍ଡରୀ ଲାଇନ୍‍ରେ କିମୋ ପଲ୍‍ ଛାଡ଼ିଥିଲେ। ୧୪ଶ ଓଭରର ଶେଷ ବଲ୍‍ରେ ଧାୱନ ଆଉଟ ହେବା ସହ ରୋହିତଙ୍କ ସହ ତାଙ୍କର ୧୨୩ ରନ୍‍ର ଓପ୍‍ନିଂ ଯୋଡ଼ି ଭାଙ୍ଗି ଯାଇଥିଲା। ଧାୱନ ୪୧ ବଲ୍‍ରୁ ୩ଟି ଚୌକା ସହ ୪୩ ରନ୍‍ କରିଥିଲେ। ବ୍ୟାଟିଂକ୍ରମରେ ପଦୋନ୍ନତି ପାଇଥିବା ଋଷଭ ପନ୍ତ୍‍ ୫ ରନ୍‍କରି ବିଦାୟ ନେଇଥିଲେ। ତେବେ ଅନ୍ୟପଟେ ରୋହିତ ଶର୍ମାଙ୍କ ବାଉଣ୍ଡରୀ ବର୍ଷା ଜାରି ରହିଥିଲା। କେ.ଏଲ୍‍. ରାହୁଲ ମଧ୍ୟ ରନ୍‍ଭୋଜିରେ ସାମିଲ ହେବାରୁ ଦ୍ରୁତଗତିରେ ଭାରତ ସ୍କୋର୍‍ କରିଥିଲା। ଶେଷ ଓଭରରେ ରୋହିତ କ୍ରମାଗତ ୪ଟି ବଲ୍‍ରୁ ୧୮ ରନ୍‍ ନେବା ସହ ଶତକ ପୂରଣ କରିଥିଲେ। ରାହୁଲ ୧୪ ବଲ୍‍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୬ ରନ୍‍କରି ଅପରାଜିତ ଥିଲେ। ରେକର୍ଡ ୪ର୍ଥ ଟ୍ୱେଣ୍ଟି୨୦ ଶତକ ହାସଲ କରିଥିବା ରୋହିତ ଶର୍ମା ୬୧ ବଲ୍‍ରୁ ୭ଟି ଛକା ଓ ୮ଟି ଚୌକା ସହ ୧୧୧ ରନ୍‍କରି ଅପରାଜିତ ଥିଲେ।

Leave A Reply