ଚିତାକର୍ଷକ ପ୍ରଦର୍ଶନ : ଭାରତ ଟି-୨୦ ସିରିଜ୍ ବିଜୟୀ

ମୁମ୍ବଇ : ବିସ୍ଫୋରକ ବ୍ୟାଟିଂ ଓ ବାଉଣ୍ଡରୀ ବର୍ଷା ବଳରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟ୍ବେଣ୍ଟି୨୦ ସିରିଜ୍ ଜିତିନେଇଛି ଭାରତ। ବୁଧବାର ଖେଳା ଯାଇଥିବା ୩ୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍‌କୁ ୬୭ ରନ୍‌ରେ ଜିତି ଭାରତ ୨-୧ରେ ଏହି ସିରିଜ୍ ହାତେଇ ନେଇଛି। ଦୁଇ ଓପ୍‌ନର ରୋହିତ ଶର୍ମା ଓ କେ.ଏଲ୍‌. ରାହୁଲଙ୍କ ସହ ଅଧିନାୟକ ବିରାଟ କୋହଲି ଅର୍ଦ୍ଧଶତକ ମାରିବାରୁ ପ୍ରଥମେ ବ୍ୟାଟିଂକରି ଭାରତ ୩ ୱିକେଟରେ ବିଶାଳ ୨୪୦ ରନ୍ କରିଥିଲା। ଟ୍ବେଣ୍ଟି-୨୦ରେ ଏହାର ଭାରତର ୨ୟ ସର୍ବାଧିକ ସ୍କୋର୍। ଏହି ବିଶାଳ ଲକ୍ଷ୍ୟର ପିଛାକରି ଅଧିନାୟକ କୈରନ୍ ପୋଲାର୍ଡଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଇଣ୍ଡିଜ୍ ୮ ୱିକେଟ ହରାଇ ୧୭୩ ରନ୍ କରି ପାରିଥିଲା । ରବିବାରଠାରୁ ଉଭୟ ଦଳଙ୍କ ମଧ୍ୟରେ ୩ ମ୍ୟାଚ୍‌ର ଦିନିକିଆ ସିରିଜ୍ ଖେଳାଯିବ।

Pic. Courtesy : Times of India

ଏଭିନ୍ ଲୁଇସ୍ ଆହତ ହେବାରୁ ତାଙ୍କ ସ୍ଥାନରେ ବ୍ରାଣ୍ଡନ୍ କିଙ୍ଗ୍ ଇନିଂସ ଓପନ୍ କରିଥିଲେ। କିଙ୍ଗ୍ ୫ ଓ ଗତ ମ୍ୟାଚ୍‌ର ହିରୋ ଲେଣ୍ଡଲ ସିମନ୍‌ସ ୭ ରନ୍‌କରି ବିଦାୟ ନେଇଥିଲେ। ଗତ ମ୍ୟାଚ୍‌​ରେ‌ ଚମତ୍କାର ବ୍ୟାଟିଂ କରିଥିବା ନିକୋଲାସ୍ ପୁରନ୍ ପ୍ରଥମ ବଲ୍‌ରେ ଆଉଟ ହୋଇଥିଲେ। ୱେଷ୍ଟଇଣ୍ଡିଜ୍ ୧୭ ରନ୍‌ରେ ୩ଟି ୱିକେଟ ହରାଇବା ପରେ ସିମ୍ରନ୍ ହେତ୍‌ମେୟର ଓ ଅଧିନାୟକ କୈରନ୍ ପୋଲାର୍ଡ ଆକ୍ରମଣ କରିଥିଲେ। ଦୁହେଁ ୩୮ ବଲ୍‌ରେ ୭୪ ରନ୍ ଯୋଗ କରିଥିଲେ। ବାମହାତି ହେତ୍‌ମେୟର ପୁଣି ଏକ ବିସ୍ଫୋରକ ଇନିଂସ ଖେଳି ୨୪ ବଲ୍‌ରୁ ୫ଟି ଛକା ଓ ଗୋଟିଏ ଚୌକା ସହ ୪୧ ରନ୍‌କରି ବିଦାୟ ନେଇଥିଲେ। ୧୦ ଓଭରରେ ଇଣ୍ଡିଜ୍ ୯୭ ରନ୍ କରିଥିଲା। ପରେ ପୋଲାର୍ଡ ଏକା ଲଢ଼ିଥିଲେ। ୩୯ ବଲ୍‌ରୁ ୬ଟି ଛକା ଓ ୫ଟି ଚୌକା ସହ ପୋଲାର୍ଡ ୬୮ ରନ୍ କରିବା ପରେ ମ୍ୟାଚ୍‌ର ଫଳାଫଳ ସ୍ପଷ୍ଟ ହୋଇ ଯାଇଥିଲା। ଦୀପକ ଚହର, ଭୁବନେଶ୍ବର କୁମାର, ମହମ୍ମଦ ସାମି ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ। ରାହୁଲ ପ୍ଲେୟର ଅଫ୍ ଦି ମ୍ୟାଚ୍ ଏବଂ କୋହଲି ପ୍ଲେୟର ଅଫ୍ ଦି ସିରିଜ୍ ହୋଇଛନ୍ତି ।

ରାହୁଲ ଓ ରୋହିତ

ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ଫିଲ୍‌ଡିଂ ନେଇଥିଲା। ପ୍ରଥମ ୨ ଓଭରରୁ ୯ ରନ୍ ହୋଇଥିବା ବେଳେ ୩ୟ ଓଭରରୁ ଦୁଇ ଭାରତୀୟ ଓପ୍‌ନର ରୋହିତ ଶର୍ମା ଓ କେ.ଏଲ୍‌. ରାହୁଲ ଆକ୍ରମଣ ଆରମ୍ଭ କରିଥିଲେ। ୩ୟ ଓଭର ପ୍ରଥମ ବଲ୍‌ରେ ଛକାମାରି ରୋହିତ ଆନ୍ତର୍ଜାତିକ କ୍ରିକେଟ୍‌ରେ ୪୦୦ ଛକା ପୂରଣ କରିଥିଲେ। ରୋହିତ-ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ ଫଳରେ ୬ ଓଭରର ପାୱରପ୍ଲେ ଶେଷ​‌େ​‌ର ଭାରତ ୭୨ ରନ୍ କରି ପାରିଥିଲା। ୮ମ ଓଭରରେ ମାତ୍ର ୨୩ ବଲ୍‌ରେ ରୋହିତ ଅର୍ଦ୍ଧଶତକ ପୂରଣ କରିଥିଲେ। ପୁଣି ୮ ଓଭରରେ ଭାରତ ଶହେ ରନ୍ ଅତିକ୍ରମ କରିଥିଲା। ୧୦ମ ଓଭରରେ ୨୯ ବଲ୍‌ରେ ରାହୁଲ ଅର୍ଦ୍ଧଶତକ ପୂରଣ କରିଥିଲେ। ଓପ୍‌ନିଂ ଯୋଡ଼ି ରୋହିତ ଓ ରାହୁଲ ୧୨ଶ ଓଭର ପର୍ଯ୍ୟନ୍ତ ରହି ପ୍ରଥମ ୱିକେଟ ପାଇଁ ୧୧.୪ ଓଭରରେ ୧୩୫ ରନ୍‌ର ଭାଗିଦାରୀ କରିଥିଲେ। ୩ନଂ ସ୍ଥାନରେ କ୍ରିଜ୍‌କୁ ଆସିଥିବା ଋଷଭ ପନ୍ତ୍ ଖାତା ଖୋଲି ପାରିନଥିଲେ। ଅଧିନାୟକ ବିରାଟ କୋହଲି ଆସିବା ମାତ୍ରେ ବାଉଣ୍ଡରୀ ବର୍ଷା କରିଥିଲେ ଏବଂ ରନ୍‌ଗତି ବଢ଼ି ଚାଲିଥିଲା। ୨୧ଟି ବଲ୍‌ରେ କୋହଲି ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା କୋହଲିଙ୍କ ଦ୍ରୁତତମ ଟି୨୦ ଅର୍ଦ୍ଧଶତକ। ଶେଷ ୪ ଓଭରରୁ ୬୪ ରନ୍ ହୋଇଥିଲା। କୋହଲିଙ୍କ ସହ ୩ୟ ୱିକେଟ ପାଇଁ ରାହୁଲ ୯୫ ରନ୍ ଯୋଗ କରିଥିଲେ। ରାହୁଲ ୫୬ ବଲ୍‌ରୁ ୪ଟି ଛକା ଓ ୯ଟି ଚୌକା ସହ ୯୧ ରନ୍‌ କରି ଶେଷ ଓଭରରେ ଆଉଟ ହୋଇଥିଲେ। ବିସ୍ଫୋରକ ଇନିଂସ ଖେଳି କୋହଲି ୨୯ ବଲ୍‌ରୁ ୭ଟି ଛକା ଓ ୪ଟି ଚୌକା ସହ ୭୦ ରନ୍‌କରି ଅପରାଜିତ ଥିଲେ। ଏହି ଇନିଂସରେ ଭାରତ ୧୬ଟି ଛକା ଓ ୧୯ଟି ଚୌକା ମାରିଥିଲା। ୱେଷ୍ଟଇଣ୍ଡିଜ୍ ୧୨ଟି ଛକା ମାରିଥିଲା।

Comments
Loading...