ସିଡ୍ନୀ ଟେଷ୍ଟ: ଅଷ୍ଟ୍ରେଲିଆ ୩୩୮, ଭାରତ ୯୬

ସିଡ୍ନୀରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନର ଖେଳ ଶେଷ ହେବା ବେଳକୁ ଭାରତ ଏହାର ପ୍ରଥମ ଇନିଂସରେ ୨ ୱିକେଟ୍ ବିନିମୟରେ ୯୬ ରନ୍ ସଂଗ୍ରହ କରିଛି। ପୂର୍ବରୁ ଅଷ୍ଟ୍ରେଲିଆ ଦଳ ୩୩୮ରନରେ ସମସ୍ତ ୱିକେଟ୍ ହରାଇଥିଲା। ଭାରତର ରବିନ୍ଦ୍ର ଜାଡେଜା ୪ଟି ୱିକେଟ୍ ନେଇଥିବା ବେଳେ ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ ୧୩୧ ରନ୍ ସଂଗ୍ରହ କରିଥିଲେ। ପୂର୍ବରୁ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।
୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ଉଭୟ ଟିମ୍ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ତରରେ ଅଛନ୍ତି। ଭାରତ ଯଦି ତୃତୀୟ ଟେଷ୍ଟ ମ୍ୟାଚରେ ବିଜୟୀ ହୁଏ ତେବେ ବର୍ଡ଼ର-ଗାଭାଷ୍କର ଟ୍ରଫି ନିଜ ପାଖରେ ରଖିପାରିବ।