ସ୍ବାଇନ୍‌ ଫ୍ଲୁ : ଚଳିତ ବର୍ଷ ୧୫ ରୋଗୀ ଚିହ୍ନଟ, ଜଣେ ମୃତ

ଭୁବନେଶ୍ୱର : ସ୍ବାଇନ ଫ୍ଲୁ ପାଇଁ ସ୍ବାସ୍ଥ୍ୟ ବିଭାଗର ତତ୍ପରତା ପ୍ରକାଶ ପାଇଛି। କରୋନା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପଦ‌କ୍ଷେପ ଗ୍ରହଣ କରାଯାଉଥିବାବେଳେ ଚଳିତ ବର୍ଷ ଜଣେ ବ୍ୟକ୍ତିଙ୍କ ସ୍ବାଇନ ଫ୍ଲୁରେ ମୃତ୍ୟୁ ହେବା ଯୋଗୁଁ ଏନେଇ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହା ସହିତ ଏହି ରୋଗ ସଂକ୍ରମଣ ନହେବା ପାଇଁ ଆଗୁଆ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ସେହିପରି ଖୋର୍ଦ୍ଧା, କଟକ, ଗଞ୍ଜାମ ଏବଂ ବାଲେଶ୍ବର ଜିଲାକୁ ଫୋକସ୍‌ରେ ରଖାଯାଇଛି। ଏହାବ୍ୟତୀତ ଅଧିକ ଜନସଂଖ୍ୟା ଥିବା ଜିଲାକୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପଡୋଶୀ ରାଜ୍ୟ ଅପେକ୍ଷା ଓଡିଶାରେ ସାଇନ୍‌ ଫ୍ଲୁ ରୋଗୀଙ୍କ ସଂଖ୍ୟା କମ୍‌ ରହିଛି। ତେ​‌େ​‌ଲଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମ-ବଙ୍ଗ ଆଦି ରାଜ୍ୟରେ ଓଡିଶା ତୁଳନାରେ ଢେର କମ୍‌ ରହିଛି। ତେବେ ଓଡିଶାରେ ୨୦୧୯ରେ ୧୭୬୯ ଜଣଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ପରୀକ୍ଷା ପରେ ୨୦୬ ସ୍ବାଇନ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ସେଥି ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାବ୍ୟତୀତ ଚଳିତ ବର୍ଷ ଫେବୃଆରୀ ମାସ ମଧ୍ୟରେ ମୋଟ ୨୧୧ ଜଣଙ୍କ ନମୁନା ପରୀକ୍ଷା କରାଯାଇଲା। ସେଥିମଧ୍ୟରୁ ୧୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ଗତ ଗତ ଦୁଇଦିନ ପରେ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଆଗକୁ କିଭଳି ଏହାକୁ ନିୟନ୍ତ୍ରଣ କରାଯିବ ସେ ନେଇ ରାଜ୍ୟର ସମସ୍ତ ମେଡିକାଲ କଲେଜ, ଜିଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ର ସହିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରକୁ ସଚେତନ ରହିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିୟମକୁ ମାନିବାକୁ ନିର୍ଦେଶ ଦିଆଯାଇଯାଇଛି। ଆକ୍ରାନ୍ତ ରୋଗୀଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ମଧ୍ୟ କୁହାଯାଇଛି। କିଭଳି ସ୍ବାଇନ ଫ୍ଲୁ ରୋଗୀଙ୍କୁ ଚିକିତ୍ସିତ କରିବେ ଏବଂ ସେମାନଙ୍କ ସହିତ ମିଶିବା ସମୟରେ ସତର୍କତା ଅବଲମ୍ବନ କରିବା ନେଇ ନିର୍ଦେଶ ଦିଆଯାଇଛି। ଏହାସହିତ ରୋଗୀଙ୍କ ସମ୍ପର୍କରେ ସିଧାସଳଖ ଆସୁଥିବା ସମ୍ପର୍କୀୟମାନଙ୍କ ନିମନ୍ତେ ମାଗଣା ଔଷଧ ପ୍ରଦାନ କରାଯାଉଛି। ଯାହାକି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ହସ୍ପିଟାଲକୁ ପ୍ରଦାନ କରାଯାଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନୋଡାଲ ଅଧିକାରୀ ନିଯୁକ୍ତି ହୋଇଥିବାବେଳେ ଏହି ରୋଗର ସ୍ଥିତି ତଦାରଖ କରୁଛନ୍ତି।

Comments are closed.