ଅନ୍ ଲାଇନ ଖାଦ୍ୟ ଡ଼େଲିଭରି ସଂସ୍ଥା ଉପରେ କରୋନା ଚଡ଼କ; ସ୍ବିଗୀ ହଟାଇବ ୧୦୦୦ କର୍ମଚାରୀ

ନୂଆଦିଲ୍ଲୀ: କରୋନା ଭୂତାଣୁ ବିଶ୍ବର ଅର୍ଥନୀତିକୁ ପ୍ରଭାବିତ କରିଛି । ବିଭିନ୍ନ ସଂସ୍ଥା ପ୍ରଭୁତ କ୍ଷତି ସହିଛନ୍ତି । ମୁଣ୍ଡପିଛା ଆୟ ହ୍ରାସ ପାଇଛି । ବିିଭିନ୍ନ ସଂସ୍ଥା କର୍ମଚାରୀଙ୍କ ବେତନ ହ୍ରାସ କରିଛନ୍ତି । ବିମାନ କମ୍ପାନୀଗୁଡ଼ିକ କର୍ମଚାରୀଙ୍କୁ ଛୁଟି ଦେଇଛନ୍ତି । ଓୟୋ ନିଜର କର୍ମଚାରୀଙ୍କ ୨୫% ବେତନ କାଟିବାକୁ ନିଷ୍ପତ୍ତି ନେଇଛି । ଏପରି ଅବସ୍ଥାରେ ଅନ୍ ଲାଇନ ଖାଦ୍ୟ ଡ଼େଲିଭରି ସଂସ୍ଥା ସ୍ବିଗୀ ପକ୍ଷରୁ ଆସିଛି ଖରାପ ଖବର । ଏହି ସଂସ୍ଥା ତାର ୯୦୦ରୁ ୧୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ସୂଚନା ମିଳିଛି ।

ଜମାଟୋ, ସ୍ବିଗୀ ପରି ସଂସ୍ଥାଗୁଡ଼ିକ ଅନଲାଇନ ଖାଦ୍ୟ ଯୋଗାଇବା ପାଇଁ ବେଶ ଜଣାଶୁଣା । ଖୁବ୍ କମ୍ ସମୟ ମଧ୍ୟରେ ସ୍ବିଗୀ ନିଜକୁ ବଜାରରେ ଏକ ବଡ଼ ଶକ୍ତି ଭାବରେ ଉଭା କରିବାକୁ ସମର୍ଥ ହୋଇଥିଲା । ମାତ୍ର ଏବେ କରୋନା ଯୋଗୁଁ ଅନ୍ ଲାଇନ ଖାଦ୍ୟ କାରବାର ଯଥେଷ୍ଟ ହ୍ରାସ ପାଇଛି । ବଡ଼ବଡ଼ ସହରାଞ୍ଚଳରେ ଏହା ୭୫% ପର୍ଯ୍ୟନ୍ତ କମିଥିବା ଏକ ସର୍ଭେରେ କୁହାଯାଇଛି । ସେହିପରି ବିଭିନ୍ନ ହୋଟେଲ, କ୍ଲବ୍, ଢ଼ାବାଗୁଡ଼ିକ ମଧ୍ୟ ବନ୍ଦ ପଡ଼ିଛି । ଏକରେ ଲକ୍ଡ଼ାଉନ, ଦ୍ବିତୀୟରେ ଡ଼େଲିଭରୀ କରୁଥିବା କର୍ମଚାରୀଙ୍କ ଦ୍ବାରା ସଂକ୍ରମଣ ଭୟ ଲୋକଙ୍କୁ ଅନଲାଇନ ଖାଦ୍ୟ ପ୍ରତି ବିମୁଖ କରିଛି । ତେଣୁ ସ୍ବିଗୀ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ଅନୁମାନ କରାଯାଉଛି । ଅନ୍ୟପକ୍ଷରେ କମ୍ପାନୀ ଭଡ଼ା କମାଇବା ପାଇଁ ନିଜର କ୍ଲବ୍ କିଚେନ୍‌ର ଅର୍ଦ୍ଧାଧିକ ଭାଗ ବନ୍ଦ କରିଦେବ ବୋଲି କୁହାଯାଉଛି । ଯାହାଫଳରେ  ଅନ୍‌ଲାଇନ୍‌ ଫୁଡ୍ ଡେଲିଭରି ବ୍ୟବସାୟ କ୍ଷେତ୍ରରେ ଭୟଙ୍କର ସଂକଟ ଦେଖାଦେବ ବୋଲି ଏନ୍‌ଆର୍‌ଏଆଇ (ନ୍ୟାସ୍‌ନାଲ୍‌ ରେସ୍ତୋରାଁ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ) ଅନୁମାନ କରିଛି ।

Comments are closed.