ୱିମ୍ବଲଡନ୍‌ – ଶ୍ବିତୋଲିନା ପରାସ୍ତ; ବାର୍ଟି, ଜେରେଭ୍‌ ୩ୟ ରାଉଣ୍ଡରେ

ଲଣ୍ଡନ୍‌: ଚଳିତ ଗ୍ରାଣ୍ଡସ୍ଲାମ୍ ଟେନିସ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ୍‌ରେ ଗୁରୁବାର ୪ର୍ଥ ଦିନରେ ବଡ଼ ବିପର୍ଯ୍ୟୟ ଘଟିଛି। ମହିଳା ସିଙ୍ଗଲ୍‌ସରେ ୩ୟ ସିଡ୍‌ ୟୁକ୍ରେନ୍‌ର ଏଲିନା ଶ୍ବିତୋଲିନା ୨ୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଶ୍ବିତୋଲିନାଙ୍କୁ ଅଣସିଡେଡ୍‌ ପୋଲାଣ୍ଡର ମାଗ୍‌ଦା ଲିନେଟ୍‌ ୬-୩, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ଶ୍ବିତୋଲିନାଙ୍କୁ ମିଶାଇ ମହିଳା ସିଙ୍ଗଲ୍‌ସରେ ପ୍ରଥମ ୧୦ ସିଡ୍‌ ଖେଳାଳିଙ୍କ ମଧ୍ୟରୁ ୬ ଜଣ ବିଦାୟ ନେଇ ସାରିଲେଣି। ଅନ୍ୟ ୫ ଜଣ ହେଲେ ସୋଫିଆ କେନିନ୍ (୪), ବ୍ୟାଙ୍କା ଆଣ୍ଡ୍ରିସ୍କ୍ୟୁ (୫), ସେରେନା ୱିଲିୟମ୍‌ସ (୬), ବେଲିଣ୍ଡା ବେନ୍‌ସିଚ୍ (୯) ଓ ପେଟ୍ରା କ୍ବିଟୋଭା (୧୦)।

ଗୁରୁବାର ମହିଳା ସିଙ୍ଗଲ୍‌ସରେ ଟପ୍ ସିଡ୍‌ ଅଷ୍ଟ୍ରେଲିଆର ଆସ୍‌ଲେ ବାର୍ଟି ୬-୪, ୬-୩ ସେଟ୍‌ରେ ରୁଷିଆର ଆନ୍ନା ବ୍ଲି‌େ‌ଙ୍କାଭାଙ୍କୁ ପରାସ୍ତ କରିଛନ୍ତି। ତେବେ ୧୫ଶ ସିଡ୍‌ ଗ୍ରୀସ୍‌ର ମାରିଆ ସାକିରି ମଧ୍ୟ ପରାସ୍ତ ହୋଇଛନ୍ତି। ସାକିରିଙ୍କୁ ୭-୫, ୬-୪ ସେଟ୍‌ରେ ଆମେରିକାର ସେଲ୍‌ବି ରୋଜର୍ସ ପରାସ୍ତ କରିଛନ୍ତି। ଏମାନଙ୍କୁ ଛାଡ଼ି ୧୪ଶ ସିଡ୍‌ ଚେକ୍ ଗଣରାଜ୍ୟର ବାର୍ବୋରା କ୍ରେସିକୋଭା, ୧୬ଶ ସିଡ୍ ରୁଷିଆର ଆନାଷ୍ଟାସିଆ ପାଭ୍‌ଲ୍ୟୁଚେଙ୍କୋଭା, ୧୯ନଂ ସିଡ୍‌ ଚେକ୍ ଗଣରାଜ୍ୟର କାରୋଲିନା ମୁଚୋଭା, ୩୦ନଂ ସିଡ୍‌ ସ୍ପେନ୍‌ର ପୌଲା ବାଡୋସା ପ୍ରମୁଖ ବିଜୟୀହୋଇ ୩ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍‌ସରେ ୪ର୍ଥ ସିଡ୍‌ ଜର୍ମାନୀର ଆଲେକ୍‌ଜାଣ୍ଡର ଜେରେଭ୍ ୩ୟ ରାଉଣ୍ଡରେ ସ୍ଥାନ ପାଇଛନ୍ତି। ଜେରେଭ୍ ୭-୫, ୬-୨, ୬-୩ ସେଟ୍‌ରେ ଆମେରିକାର ଟେନିସ୍ ସାଣ୍ଡଗ୍ରେନ୍‌ଙ୍କୁ ପରାସ୍ତ କରିଛନ୍ତି। ତେବେ ୧୩ଶ ସିଡ୍ ଫ୍ରାନ୍‌ସର ଗେଲ୍‌ ମନ୍‌ଫିଲ୍‌ସ ବିଦାୟ ନେଇଛନ୍ତି। ମନ୍‌ଫିଲ୍‌ସଙ୍କୁ ସ୍ପେନ୍‌ର ପେଡ୍ରୋ ମାର୍ଟିନେଜ୍ ୬-୩, ୬-୪, ୪-୬, ୭-୬ ସେଟ୍‌ରେ ପରାସ୍ତ କରିଛନ୍ତି। ୭ମ ସିଡ୍‌ ଇଟାଲୀର ମାଟ୍ଟିଓ ବେରେଟିନି ୬-୩, ୬-୪, ୭-୬ ସେଟ୍‌ରେ ନେଦରଲାଣ୍ଡ୍‌ସର ବୋଟିକ୍ ଭାନ୍ ଡେଙ୍କୁ ପରାସ୍ତ କରିଛନ୍ତି। ୮ମ ସିଡ୍ ସ୍ପେନ୍‌ର ରବେର୍ଟୋ ବୌଟିଷ୍ଟା ଆଗୁଟ୍‌ ୫ଟି ସେଟ୍‌ରେ ସର୍ବିୟାର ମିଓମିର କେକ୍‌ନାମୋଭିଚ୍‌ଙ୍କୁ ପରାସ୍ତ କରିଛନ୍ତି।

Comments are closed.