ମିଠା ବ୍ୟବସାୟୀ ହତ୍ୟା ଘଟଣା, ଜେଲ୍‌ଗଲେ ୪ ଅଭିଯୁକ୍ତ

ଭୁବନେଶ୍ୱର: ସାମନ୍ତରାପୁର ମିଠା ବ୍ୟବସାୟୀ ଜମ୍ବୁ ସାହୁ ହତ୍ୟା ଘଟଣାରେ ଦୁଇ ଦିନିଆ ରିମାଣ୍ଡରେ ଆଣିଥିବା ୪ ଅଭିଯୁକ୍ତଙ୍କୁ ଶୁକ୍ରବାର ଶ୍ରୀଲିଙ୍ଗରାଜ ପୁଲିସ ଜେଲ୍‌ ହାଜତକୁ ପଠାଇ ଦେଇଛି। ପୁଲିସ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ପରେ ଜମ୍ବୁକୁ ବ୍ୟବସାୟିକ ଶତ୍ରୁତାରୁ ହତ୍ୟା କରାଯାଇଥିବା ଷଡ଼ଯନ୍ତ୍ରକାରୀଠାରୁ ସ୍ପଷ୍ଟ ହୋଇଛି। ଜମ୍ବୁ ହତ୍ୟା ଘଟଣାରେ ବଳାରାମ ମିଷ୍ଟାନ୍ନ ଭଣ୍ଡାର ମାଲିକର ନାତି ରାଜକୁମାର ବେହେରା ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିବା ହତ୍ୟାକାରୀଙ୍କଠାରୁ ପୁଲିସ ସ୍ପଷ୍ଟ ହୋଇଥିଲା। ଷଡ଼ଯନ୍ତ୍ରକାରୀ ସୁପାରି ଦେଇ ଜମ୍ବୁକୁ ହତ୍ୟା କରିଥିଲା।

ଏହି ଘଟଣାରେ ପୁଲିସ ଦୁଇ ହତ୍ୟାକାରୀଙ୍କ ସହ ମିଷ୍ଟାନ୍ନ ଭଣ୍ଡାର ମାଲିକ, ପୁଅ ଓ ବୋହୂଙ୍କ ସମେତ ତିନି ଆଶ୍ରୟଦାତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ରାଜା ଗିରଫଦାରୀ ଭୟରେ କୋର୍ଟରେ ଆତ୍ମସମର୍ପଣ କରି ଜାମିନ ଆବେଦନ କରିଥିଲା। କୋର୍ଟ ତା’ ଜାମିନ ଆବେଦନକୁ ଖାରଜ କରି ଜେଲ୍‌ ହାଜତକୁ ପଠାଇ ଦେଇଥଲେ। ହେଲେ ପୁଲିସ ରାଜାଠାରୁ କୌଣସି ତଥ୍ୟ ହାସଲ କରିପାରିନଥିଲା। ହତ୍ୟାକାରୀଙ୍କ ସହ ରାଜାକୁ ଏକାଠି ବସାଇ ପଚରାଉଚରା ଲାଗି ପୁଲିସ ୪ ଅଭିଯୁକ୍ତଙ୍କୁ ଦୁଇଦିନିଆ ରିମାଣ୍ଡରେ ଆଣିଥିଲା। ପୁଲିସ ରିମାଣ୍ଡରେ ଆଣିବା ପରେ ରାଜାଠାରୁ ବହୁ ଗୋପନୀୟ ତଥ୍ୟ ହାସଲ କରିଛି। ଏହି ହତ୍ୟା ଘଟଣାରେ ଆଉ କିଛି ଅଭିଯୁକ୍ତ ସମ୍ପୃକ୍ତ ଥାଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏନେଇ ପୁଲିସ ଫେରାର ଅଭିଯୁକ୍ତକୁ ଧରିବା ଲାଗି ତଦନ୍ତ ଜାରି ରଖିଛି।

Comments are closed.