ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ନେଇ ଅଚଳାବସ୍ଥା, ଆଲୋଚନା ଜାରି

ଟିଟିଲାଗଡ଼: ଟିଟିଲାଗଡ ପୌର ପରିଷଦରେ ପରିମଳ କାର୍ଯ୍ୟରେ ଆଉଟସୋର୍ସିଂ ନିଷ୍ପତି ନେଇ ଅସ୍ଥାୟୀ ଭାବରେ ନିୟୋଜିତ ସଫେଇ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତ ୨୩ରୁ ଏନେଇ ଧାରଣା ପ୍ରଦର୍ଶନ ଜାରି ରହିଥିବା ବେଳେ ଦୁଇ ଦିନ ଛୁଟି ଦିବସ ପରେ ସୋମବାର ପୁଣି ଥରେ ପୌର କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀ ତମ୍ବୁ ଲଗାଇ ଆନ୍ଦୋଳନରେ ବସିଛନ୍ତି। ଶହେରୁ ଊର୍ଦ୍ଧ୍ବ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। କର୍ମଚାରୀ ପୁର୍ବ ପରି ପୌର ପରିଷଦ ଜରିଆରେ କାର୍ଯ୍ୟ ଜାରି ରଖିବାକୁ ଦାବି କରୁଛନ୍ତି। ଅପରପକ୍ଷରେ ଆଉଟସୋର୍ସିଂ ଜରିଆରେ କାର୍ଯ୍ୟ କଲେ ମଧ୍ୟ କାହାରି ଛଟେଇ ହେବ ନାହିଁ ବୋଲି ପୌର ପରିଷଦ ପ୍ରତିଶୃତି ଦେଇଛି।

ଆଜି ରାଜ୍ୟ ଯୁବ କଂଗ୍ରେସ ମୁଖପାତ୍ର ବିରେନ୍ଦ୍ର ବାଗ, ସମାଜସେବୀ ପଙ୍କଜ ବାଗ, ବିଜୟ ମେହେର, ବୈକୁଣ୍ଠ ନାଗ, ଘନଶ୍ୟାମ ତାଣ୍ଡି, କିଷାନ ନାଗ, ବିନୋଦ ସୁନା, ବିନୋଦ ଭରାସାଗର ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ। ସନ୍ଧ୍ୟାରେ ପୌର କାର୍ଯ୍ୟାଳୟରେ ଉପଜିଲାପାଳ ତଥା ଭାରପ୍ରାପ୍ତ ପୌର ନିର୍ବାହି ଅଧିକାରୀ ସୋମେଶ ଉପାଧ୍ୟାୟଙ୍କ ସହ ସଫେଇ କର୍ମଚାରୀ ତଥା ନେତୃବୃନ୍ଦ ଆଲୋଚନା କରିଥିଲେ। ପୁର୍ବରୁ ଅସ୍ଥାୟୀ ଭାବରେ ନିୟୋଜିତ ରହି କେବଳ ପାରିଶ୍ରମିକ ବ୍ୟତିତ ଅନ୍ୟ କୌଣସି ସୁବିଧା କର୍ମଚାରୀ ପାଉନଥିଲେ। ଏବେ ନୁତନ ବ୍ୟବସ୍ଥାରେ ଆଇନଗତ ଭାବରେ ଉପଯୁକ୍ତ ପାରିଶ୍ରମିକ, ଇପିଏଫ, ଇଏସଆଇ, ଚିକିତ୍ସା ସହାୟତା, ବିମା, ପେନସନ, ଅବସରକାଳିନ ସହାୟତା ଆଦି ବିଭିନ୍ନ ସୁବିଧା ହାସଲ କରିପାରିବେ ବୋଲି ଆଲୋଚନା କାଳରେ ଉପଜିଲାପାଳ ବୁଝାଇଥିବା ଜଣାଯାଇଛି। ସରକାରଙ୍କ ନିର୍ଦ୍ଦେଶ ମତେ ନିଆଯାଉଥିବା ଏହି ପଦକ୍ଷେପ କର୍ମଚାରୀ ପରିବାରଙ୍କ ମଙ୍ଗଳ ପାଇଁ ବୋଲି କହିଥିଲେ। ଅପରପକ୍ଷରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା କର୍ମଚାରୀ ଅନେକ ସରକାରି ସୁବିଧାରୁ ବଂଚିତ ରହିଥିବା ନେଇ ଆନ୍ଦୋଳନ ଜାରି ରହିବ ବୋଲି ଆଲୋଚନା ପରେ ଯୁବ କଂଗ୍ରେସ ମୁଖପାତ୍ର ଶ୍ରୀ ବାଗ କହିଛନ୍ତି।

Comments are closed.