ବିଚିତ୍ର ରାଜତନ୍ତ୍ର ବ୍ୟବସ୍ଥା : ପ୍ରତିବର୍ଷ ବିବାହ କରନ୍ତି ରାଜା,୧୫ ରାଣୀ,୨୩ ସନ୍ତାନଙ୍କୁ ନେଇ ପରିବାର

ସାରା ଦୁନିଆରେ ପ୍ରାୟତଃ ରାଜତନ୍ତ୍ର ବ୍ୟବସ୍ଥା ଅନେକ ଦିନ ପୂର୍ବରୁ ସମାପ୍ତ ହୋଇଯାଇଛି। କିନ୍ତୁ ଆଜି ମଧ୍ୟ ଆଫ୍ରିକାରେ ଏପରି ଏକ ଦେଶ ଅଛି, ଯେଉଁଠାରେ ସଂପୂର୍ଣ୍ଣ ରାଜତନ୍ତ୍ର ବ୍ୟବସ୍ଥା ରହିଛି ଓ ରାଜା କ୍ଷମତାରେ ଅଛନ୍ତି । ଏହି ଦେଶର ନାମ ସ୍ବଜିଲ୍ୟାଣ୍ଡ। କିନ୍ତୁ ୨୦୧୮ ମସିହାରେ, ଦେଶର ସ୍ବାଧୀନତାର ୫୦ ବର୍ଷ ପୂରଣ ହେବା ପରେ, ଏଠାରେ ରାଜା ଦେଶର ନାମକୁ ‘କିଙ୍ଗଡମ୍ ଅଫ ଇସୱାତିନି’ ଭାବେ ବଦଳାଇ ଦେଇଛନ୍ତି ।
ଇସୱାତିନିର ମୋଟ ଜନସଂଖ୍ୟା ପ୍ରାୟ ୧.୩ ନିୟୁତ, କିନ୍ତୁ ଏହି ଦେଶର ଜନସଂଖ୍ୟାର ୬୩% ଏବେ ମଧ୍ୟ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଛନ୍ତି। କିନ୍ତୁ ସ୍ବଜିଲ୍ୟାଣ୍ଡର ରାଜା ମସ୍ବାତି-ତୃତୀୟ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଛନ୍ତି ଏବଂ ତାଙ୍କର ଧନ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।
ମସ୍ବାତି ତୃତୀୟଙ୍କୁ ବିଶ୍ୱର ସବୁଠାରୁ ଧନୀ ରାଜାମାନଙ୍କ ମଧ୍ୟରେ ଗଣାଯାଏ। ତାଙ୍କର ସମ୍ପତ୍ତି ୧୪ ବିଲିୟନରୁ ଅଧିକ | ସେ ୧୯ ରୋଲ୍ସ ରୋଏସ୍, ୨୦ ମର୍ସିଡିଜ୍ ଏବଂ ୧୨ ବିଏମଡବ୍ଲୁ ସହିତ ଅନେକ ବିଳାସପୂର୍ଣ୍ଣ କାରର ମାଲିକ ଅଟନ୍ତି |
ଏହି ଦେଶରେ ପ୍ରତିବର୍ଷ ଅଗଷ୍ଟ-ସେପ୍ଟେମ୍ବର ମାସରେ ରାଣୀଙ୍କ ମାତା ଲୁଦଜିନିଙ୍କ ରାଜ ଗ୍ରାମରେ ‘ଉମହାଲାଙ୍ଗା ସେରେମାନି’ ପର୍ବ ଅନୁଷ୍ଠିତ ହୋଇଥାଏ, ଯେଉଁଥିରେ ୧୦,୦୦୦ ରୁ ଅଧିକ କୁମାରୀ ବାଳିକା ଏବଂ ଝିଅ ସାମିଲ ହୋଇଥାନ୍ତି। ଏହି ପର୍ବରେ କୁମାରୀ ଝିଅମାନେ ରାଜାଙ୍କ ଆଗରେ ନାଚନ୍ତି | ନ୍ୟାସନାଲ୍ ଜିଓଗ୍ରାଫିକ୍ ରିପୋର୍ଟ ଅନୁଯାୟୀ, ଏହି ଝିଅମାନଙ୍କ ମଧ୍ୟରୁ ହିଁ ରାଜା ତାଙ୍କର ନୂତନ ରାଣୀ ବାଛିଛନ୍ତି।

ଇସୱାତିନିର ରାଜା ମସ୍ବାତି-ତୃତୀୟ ଏପ୍ରିଲ ୧୯୮୬ ରେ କ୍ଷମତା ଗ୍ରହଣ କଲେ। ସେତେବେଳେ ତାଙ୍କର ବୟସ ମାତ୍ର ୧୮ ବର୍ଷ ଥିଲା | ସେତେବେଳେ ସେ ଦୁନିଆର ସବୁଠାରୁ କନିଷ୍ଠ ଶାସକ ଥିଲେ। ରାଜା ମସ୍ବାତି-ତୃତୀୟ ଏପର୍ଯ୍ୟନ୍ତ ୧୫ ଥର ବିବାହ କରିଛନ୍ତି, ତାଙ୍କର ୨୩ଜଣ ସନ୍ତାନ ଅଛନ୍ତି। ତେବେ କେବଳ ତାଙ୍କର ପ୍ରଥମ ଦୁଇ ପତ୍ନୀଙ୍କୁ ରାଜକୀୟ ମାନ୍ୟତା ମିଳିଛି।

୨୦୧୫ ରେ, ରାଜା ମସ୍ବାତୀ-ତୃତୀୟ ମଧ୍ୟ ଭାରତ-ଆଫ୍ରିକା ଶିଖର ସମ୍ମିଳନୀରେ ଭାଗ ନେବାକୁ ଭାରତ ଆସିଥିଲେ। ରାଜା ମାସ୍ବତୀ-ତୃତୀୟ ୧୫ ପତ୍ନୀ, ପିଲା ଏବଂ ୧୦୦ ସେବକଙ୍କ ସହିତ ଆସିଥିଲେ। ତାଙ୍କୁ ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରେ ରଖାଯାଇଥିଲା ଯେଉଁଥିରେ ତାଙ୍କ ପାଇଁ ୨୦୦ ରୁମ୍ ବୁକ୍ କରାଯାଇଥିଲା।