ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧: ରାଜ୍ୟରେ ସୁନ୍ଦରଗଡ଼ ଶ୍ରେଷ୍ଠ ଜିଲା, ଆବର୍ଜନାମୁକ୍ତ ସହର ଭାବେ “ୱାନ୍ ଷ୍ଟାର’ ମାନ୍ୟତାରେ ରାଉରକେଲା

ରାଉରକେଲା: ଭାରତ ସରକାରଙ୍କ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ରେ ସୁନ୍ଦରଗଡ଼ ଜିଲା ରାଜ୍ୟରେ ଶ୍ରେଷ୍ଠ ଜିଲା ଭାବେ ମାନ୍ୟତା ପାଇଛି। ସହରାଞ୍ଚଳରେ ପରିମଳ ପରିଚାଳନା କ୍ଷେତ୍ରରେ ସଫଳତା ପାଇଁ ଜିଲାକୁୁ ଏହି ସ୍ୱୀକୃତି ମିଳିଛି। ସେହିପରି ସ୍ମାର୍ଟ ସିଟି ରାଉରକେଲା ‘ଆବର୍ଜନାମୁକ୍ତ ସହର’ ବର୍ଗରେ ଓଡ଼ିଶାର ପ୍ରଥମ ସହର ଭାବେ ‘ୱାନ୍ ଷ୍ଟାର’ ମାନ୍ୟତା ହାସଲ କରିଛି। ସର୍ବଭାରତୀୟ ସ୍ତରରେ ରାଉରକେଲା ୫୭ତମ ରାଙ୍କରେ ରହିଛି। ଏହି ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ୧ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶର ୩୭୨ଟି ସହର ଭାଗ ନେଇଥିଲେ। ଭାରତ ସରକାରଙ୍କ ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ରାଉରକେଲା ସହର ୨୦୨୦ରେ ୧୫୬ତମ ସ୍ଥାନରେ ଥିଲା ବେଳେ ୨୦୧୯ରେ ୩୫୩ତମ ସ୍ଥାନରେ ରହିଥିଲା। ସହରର ପରିମଳ ପରିଚାଳନା କ୍ଷେତ୍ରରେ ଗତ ଏକ ବର୍ଷ ମଧ୍ୟରେ ଆସିଥିବା ପରିବର୍ତ୍ତନକୁ ନେଇ ରାଉରକେଲା ୫୭ତମ ରାଙ୍କରେ ପହଞ୍ଚିପାରିଛି। ଏହି କାର୍ଯ୍ୟକ୍ରମ ଅଧୀନରେ ସହରାଞ୍ଚଳରେ ଅତ୍ୟାଧୁନିକ ପରିମଳ ପରିଚାଳନା କ୍ଷେତ୍ରରେ ସୁନ୍ଦରଗଡ଼ ଜିଲା ୫୭.୫୪ ସ୍କୋର କରି ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଛି। ଏହି ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲା ସହିତ ଦେଶର ୧୩ଟି ରାଜ୍ୟର ୬୫୯ଟି ଜିଲା ଅଂଶ ଗ୍ରହଣ କରିଥିଲା। ଜନସଂଖ୍ୟା ବୃଦ୍ଧି ସହ ଆଧୁନିକ ଜୀବନଶୈଳୀ ଲାଗି ଆଜି ସହରାଞ୍ଚଳର କଠିନ ବର୍ଜ୍ୟ ଓ ସାମଗ୍ରିକ ପରିମଳ ପରିଚାଳନା ସାରା ପୃଥିବୀରେ ସ୍ଥାନୀୟ ପ୍ରଶାସନ ପାଇଁ ଏକ ଆହ୍ୱାନ ହୋଇ ଠିଆ ହୋଇଛି। ବିଗତ ଦିନରେ ସୁନ୍ଦରଗଡ଼ ଜିଲାର ବିଭିନ୍ନ ସହରାଞ୍ଚଳ ଏବଂ ଖଣି ପ୍ରଭାବିତ ଅଞ୍ଚଳ ଯଥା ଅତ୍ୟାଧୁନିକ ପରିମଳ ସେବା ଆରମ୍ଭ ହୋଇଥିଲା।

 

ପାରମ୍ପରିକ ପରିମଳ ପରିଚାଳନା ବଦଳରେ ଅତ୍ୟାଧୁନିକ ମେସିନର ପ୍ରୟୋଗ ଏବଂ ବିଭିନ୍ନ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରାଯିବା ଫଳରେ ଜିଲାରେ ପରିମଳ ପରିଚାଳନା କ୍ଷେତ୍ରରେ ବ୍ୟାପକ ଉନ୍ନତି ଆସି ପାରିଛି ବୋଲି କୁହାଯାଇଛି । ରାଉରକେଲା ମହାନଗର ନିଗମ ସହିତ ବୀରମିତ୍ରପୁର ପୌରପାଳିକା ଏବଂ କୋଇଡ଼ା ଓ କୁତ୍ରା ଭଳି ଖଣି ପ୍ରଭାବିତ ବ୍ଲକରେ ୧ ବର୍ଷ ତଳେ ଅତ୍ୟାଧୁନିକ ପରିମଳ ପରିଚାଳନା କାର୍ଯ୍ୟକ୍ରମ ଲାଗୁ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ଡିସେମ୍ବର ୪ ତାରିଖରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଖଣି ପ୍ରଭାବିତ ହେମଗିରି, ଲହୁଣୀପଡ଼ା, ରାଜଗାଙ୍ଗପୁର ଏବଂ କୁଆଁରମୁଣ୍ଡା ବ୍ଲକକୁ ଏହି କାର୍ଯ୍ୟକ୍ରମ ସଂପ୍ରସାରିତ କରାଯାଇଥିଲା। ଫଳରେ ବର୍ଜ୍ୟବସ୍ତୁ ପରି·ଳନା କରାଯାଇଥିଲା। ଲୋକଙ୍କ ଘରୁ ପ୍ରତିଦିନ ବାହାରୁଥିବା କଠିନ ଆବର୍ଜନାର ପରିଚାଳନା ପାଇଁ ବିଭିନ୍ନ ସ୍ଥାନରେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମସିସି) ପରିମଳ ବ୍ୟବସ୍ଥାକୁ ଉନ୍ନତ କରିବା ସହିତ ଏମସିସି ପରି·ଳନା କରି ଜୀବିକାରେ ଉନ୍ନତି ଆଣି ପାରିଛନ୍ତି। ରାଉରକେଲା, ବୀରମିତ୍ରପୁର ଏବଂ ରାଜଗାଙ୍ଗପୁର ସହରାଞ୍ଚଳ ସହିତ ସହିତ ଜିଲାର ବିଭିନ୍ନ ଖଣି ପ୍ରଭାବିତ ଅଞ୍ଚଳରେ ଏହି ଅତ୍ୟାଧୁନିକ ପରିମଳ ସେବା ଲାଗୁ ହେବା ଫଳରେ ବର୍ଜ୍ୟବସ୍ତୁ ପରିଚାଳନାରେ ସଫଳତା ସହତ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ରେ ସୁନ୍ଦରଗଡ଼ ଜିଲା ଏବଂ ରାଉରକେଲା ସହରକୁ ଏହି ସମ୍ମାନଜନକ ମାନ୍ୟତା ମିଳଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

Comments are closed.