ବିବେକାନନ୍ଦଙ୍କ ପ୍ରେରଣାଦାୟୀ ଚିଠି

ସେଗୁଡ଼ିକ ସାଧାରଣ ଚିଠି ନୁହେଁ, ଚିଠିଗୁଡ଼ିକର ପ୍ରତ୍ୟେକ ଅକ୍ଷର, ଶବ୍ଦ ଏବଂ ବାକ୍ୟ ଭିତରେ ପ୍ରେରଣାର ସ୍ଫୁଲିଙ୍ଗ ବିଦ୍ୟମାନ। ଚିଠିଟିଏ ପଢ଼ିଲେ ଲାଗେ ସତେ ଯେପରି ସେ ସାକ୍ଷାତରେ କଥାବାର୍ତ୍ତା ହେଉଛନ୍ତି ପ୍ରେରଣା ଓ ଆଶୀର୍ବାଦର ଅମୃତ ଭାଷାରେ। ଭାରତୀୟ ଆଧ୍ୟାତ୍ମିକ ଇତିହାସର ଏ ଚିଠିଗୁଡ଼ିକ ଦଲିଲ ହୋଇ ରହିବ ଆମର ବର୍ତ୍ତମାନ ଓ ଆଗାମୀ ବଂଶଧରମାନଙ୍କ ପାଇଁ ସେମାନଙ୍କୁ ଅନୁପ୍ରେରିତ କରିବା ପାଇଁ, ସାଧାରଣ ସ୍ଥିତିରୁ ଦିବ୍ୟତାକୁ ଉଠିବା ପାଇଁ।
ଚିଠିଗୁଡ଼ିକ ହେଲା ସ୍ବାମୀ ବିବେକାନନ୍ଦଙ୍କର ତାଙ୍କର ଶିଷ୍ୟ, ଆତ୍ମୀୟ ଏବଂ ବନ୍ଧୁ ପରିଜନ ପରିଚିତମାନଙ୍କୁ। ବୀର୍ଯ୍ୟବାନ, ବେଦାନ୍ତ ପଣ୍ଡିତ ଏହି ମହାନ୍‌ ସନ୍ଥଜଣକ ଏକଦା ଚିକାଗୋ ଧର୍ମ ମହାସଭାରେ ଭାରତୀୟ ସାହିତ୍ୟ, ଧର୍ମ, ଦର୍ଶନ ଓ ଆଧ୍ୟାତ୍ମିକତାର ଝଙ୍କାରରେ ସମଗ୍ର ଜଗତକୁ ଚମତ୍କୃତ କରିଥିଲେ। ନିଜର ଗଭୀର ବୌଦ୍ଧିକଯୁକ୍ତ ପ୍ରଚଣ୍ଡ ବାଗ୍ମିତା ଓ ପୌରୁଷଯୁକ୍ତ ବ୍ୟକ୍ତିତ୍ବ ବଳରେ ବିଶ୍ବସ୍ତରରେ ଖ୍ୟାତି ଅର୍ଜନ କରିଥିବା ଏହି ମହାତ୍ମା ନିଜ ଜୀବନରେ ଥିଲେ ଅତ୍ୟନ୍ତ ବ୍ୟାବହାରିକ ଏବଂ ବାସ୍ତବବାଦୀ। ତାଙ୍କୁ ଯେଉଁମାନେ ଚିଠି ଲେଖୁଥିଲେ, ସେ ଚିଠି ପାଇବାମାତ୍ରେ ହିଁ ତା’ର ଜବାବ ଦେଇଥିଲେ ଏବଂ ସେ ନିଜେ ବି ଯେଉଁ ଚିଠି ଲେଖିଥିଲେ ସେଗୁଡ଼ିକ ତାଙ୍କ ରଚନାବଳୀରେ ଲିପିବଦ୍ଧ ହୋଇ ରହିଛି।
ସ୍ବାମିଜୀ ପିଲାଙ୍କ ପାଇଁ ସରଳ ଓ ନିଷ୍କପଟ ଥିଲେ। ଯଦି କେବେ ସେ ନିଜର ଭୁଲ ବୁଝିପାରୁଥିଲେ ତା’ହେଲେ ନିଃସଙ୍କୋଚରେ ସେ ନିଜର ଦୋଷ ସ୍ବୀକାର କରୁଥିଲେ। ଜୋ’ଙ୍କ ନିକଟକୁ ଏକ ଚିଠିରେ ସେ ଲେଖିଥିଲେ, ‘ସେମାନେ ସେମାନଙ୍କ ସାଧ୍ୟମତେ ଭଲ କାର୍ଯ୍ୟ କରିଛନ୍ତି। ସେଥିପାଇଁ ମୁଁ ଖୁସି ଅଛି। ପୂର୍ବର ସ୍ନାୟବିକ ଦୁର୍ବଳତା ପାଇଁ ଯେଉଁ ବିରକ୍ତି ପ୍ରକାଶ କରିଥିଲି, ସେଥିପାଇଁ ନିଜକୁ ବୋକାମନେ କରୁଛି। ମିସେସ ବୁଲଙ୍କୁ ଏକ ସରଳ ସମ୍ବାଦ ଦେବ ଏବଂ କହିବ ଯେ ସେ ସବୁବେଳେ ଠିକ୍‌ କାମ କରିଛନ୍ତି, ଆଉ ମୋର ଭୁଲ ହୋଇଛି। ସେଥିପାଇଁ ମୁଁ ସହସ୍ରବାର ତାଙ୍କ ନିକଟରେ କ୍ଷମା ମାଗୁଛି।’
ତାଙ୍କର ଜନ୍ମଦାତ୍ରୀ ମା’ଙ୍କୁ ତୀର୍ଥ ଯାତ୍ରାରେ ନେବାପାଇଁ ସେ ଏକଦା ମନସ୍ଥ କରି ଲଣ୍ଡନର ମିସେସ ଛକିଛୁଲଙ୍କ ନିକଟକୁ ଲେଖିଥିଲେ- ‘ଆଗାମୀ ସପ୍ତାହରେ ମୋର ମାଆଙ୍କୁ ନେଇ ତୀର୍ଥାଟନରେ ଯାଉଛି। ତୀର୍ଥଯାତ୍ରା ସଂପୂର୍ଣ୍ଣ କରିବାକୁ କେତୋଟି ମାସ ଲାଗିବ। ତୀର୍ଥ ଦର୍ଶନ ହେଲା ହିନ୍ଦୁ ବିଧବା ପ୍ରାଣର ଆକାଂକ୍ଷା। ଜୀବନ ସାରା ଆତ୍ମୀୟସ୍ବଜନମାନଙ୍କୁ କେବଳ ଦୁଃଖ ଦେଇଛି। ସେମାନଙ୍କର ଏହି ଗୋଟିଏ ଇଚ୍ଛା ପୂର୍ଣ୍ଣ କରିବାକୁ ଅନ୍ତତଃ ଚେଷ୍ଟା କରୁଛି।’
ଜଣେ ଶିଷ୍ୟ ମିସ୍‌ ମେରୀହେଲ୍‌ଙ୍କ ନିକଟକୁ ୧୮ ମେ, ୧୯୦୧ରେ ଚିଠିଟିଏ ଦେଇ ସ୍ବାମିଜୀ କହିଥିଲେ- ‘କୌଣସି ବିଖ୍ୟାତ ନାମ ସଙ୍ଗରେ ଯୁକ୍ତ ହେବା ଅନେକ ସମୟରେ ହଇରାଣ ହରକତର ବ୍ୟାପାର ହୋଇପଡ଼େ। ତୁମେ ଗୋଟିଏ ବିଖ୍ୟାତ ନାମ ମିସ୍‌ ମ୍ୟାକ୍‌ ଲାଉଡ଼ଙ୍କ ସହିତ ମୋ ନାମ ଯୋଗ କରିଛ, ତାଙ୍କୁ ଦେଇଥିବା ଚିଠି ଖଣ୍ଡକ ସାରା ପୃଥିବୀ ତାଙ୍କୁ ଅନୁସରଣ କରି ଘୁରୁଛି। ମିସ୍‌ ମ୍ୟାକ ଲାଉଡ଼ ବର୍ତ୍ତମାନ ଜାପାନରେ। ଗତକାଲି ଜାପାନରୁ ଚିଠିଟି ମୋ ନିକଟରେ ପହଞ୍ଚିଛି। ତେବେ ତ ଗ୍ରୀକ୍‌ ପୁରାଣର ସେହି ସିଙ୍କସର ପ୍ରହେଳିକାର ସମାଧାନ ହେଲା ଗୋଟିଏ ମହତ୍‌ ନାମ ସାଙ୍ଗରେ କୌଣସି ଛୋଟ ନାମକୁ ଯୋଗ କରିବ ନାହିଁ।’
ଭାବ ବିନିମୟରେ ଅତି କୋମଳ ସ୍ବଭାବର ଏହି ବ୍ୟକ୍ତିତ୍ବ ଅନୀତି ଓ ଅନିୟମିତତା ଦେଖିଲେ ଅତି କଠୋର ହୋଇଯାଉଥିଲେ। ସ୍ବାମିଜୀ ଏକଦା ତାଙ୍କର ପ୍ରିୟ ଶିଷ୍ୟ ମିସ୍‌ ମେରୀଙ୍କୁ କଠୋର ଶବ୍ଦରେ ସୁଇଜରଲାଣ୍ଡକୁ ଏକ ଚିଠିରେ ଲେଖିଥିଲେ, ‘ନାରୀ ଚରିତ୍ର ଏବଂ ପୁରୁଷର ଭାଗ୍ୟ ଦେବତାମାନେ ମଧ୍ୟ ଜାଣନ୍ତି ନାହିଁ। ମନୁଷ୍ୟ ବା କି ଛାର? ମୋର ସହଜାତ ପ୍ରବୃତ୍ତି ଅନେକ ସମୟରେ ନାରୀ ସୁଲଭ ହୋଇପାରେ, କିନ୍ତୁ ଏହି ମୁହୂର୍ତ୍ତରେ ମୁଁ ଯେଉଁଥି ପାଇଁ ଚିନ୍ତିତ, ତାହା ହେଉଛି ତୁମ ମଧ୍ୟରେ କିଛି ପରିମାଣରେ ପୌରୁଷ ସଞ୍ଚାରିତ ହେଉ।’
ଅନେକ ସମୟର ସ୍ବାମିଜୀ କାର୍ଯ୍ୟବ୍ୟସ୍ତତା ଓ ଅସୁସ୍ଥତା କାରଣରୁ ତାଙ୍କର ଗୁରୁଭାଇ ଓ ଶିଷ୍ୟମାନଙ୍କ ଉପରେ କ୍ରୋଧିତ ହେଉଥିଲେ କିମ୍ବା ବିରକ୍ତି ପ୍ରକାଶ କରୁଥିଲେ। ତା’ର ମୂଳ କାରଣ ଥିଲା, ସବୁ କିଛି ଅସାଧାରଣ ହେଲେ ତାଙ୍କୁ କେହି ହୁଏତ ଭଗବାନ ବୋଲି ଭାବି ବସିବ। ସ୍ବାମିଜୀ କୃଷ୍ଣାନନ୍ଦଙ୍କୁ ଏକ ଚିଠିରେ ଲେଖିଥିଲେ, ‘ମୁଁ କାହାରି ସାଥି ହେଉନାହିଁ। କାହାରିକୁ ସାଙ୍ଗରେ ନେଲାଭଳି ଶକ୍ତି, ଅର୍ଥ ବା ଇଚ୍ଛା ମୋ ଠାରେ ନାହିଁ। ସେମାନେ ଗୁରୁ ମହାରାଜାଙ୍କ ଭକ୍ତ ହୁଅନ୍ତୁ ବା ନ ହୁଅନ୍ତୁ, କିଛି ଯାଏ ଆସେ ନାହିଁ। ଏପରି ପ୍ରଶ୍ନ କରିବା ହିଁ ତୁମ ପକ୍ଷରେ ଅତ୍ୟନ୍ତ ନିର୍ବୋଧତାର ପରିଚୟ।’
ବୌଦ୍ଧ ଧର୍ମ ସମ୍ପର୍କରେ ବେଦାନ୍ତରେ ଉଲ୍ଲେଖ ଅଛି। ଏହି କ୍ରିଷ୍ଣଧର୍ମ ତନ୍ତ୍ରର ବ୍ୟାଖ୍ୟା କରିବାକୁ ଯାଇ ଏକ ଚିଠିରେ ସ୍ବାମିଜୀ ତାଙ୍କର ଭକ୍ତ ସ୍ବରୂପାନନ୍ଦଙ୍କ ନିକଟକୁ ଫେବୃଆରୀ ୯,୧୯୦୨ରେ ଏକ ପତ୍ରରେ ଲେଖିଛନ୍ତି, ‘ବ୍ରହ୍ମସୂତ୍ରରେ ବୌଦ୍ଧଧର୍ମର ପ୍ରସଙ୍ଗ ଅଛି, ଚାରୁ ଏକଥା କହିବାର ଅର୍ଥ କ’ଣ? ଅବଳା ସେ। ବ୍ରହ୍ମସୂତ୍ରର ଭାଷ୍ୟଗୁଡ଼ିକୁ ଲକ୍ଷ୍ୟ କରି ଏ କଥା କହିଛି, ଆଉ ଯଦି ସେ ସେମାନଙ୍କୁ ଲକ୍ଷ୍ୟ କରି ନଥାଏ, ତେବେ ତାହାର ତା’ କରିବା ଉଚିତ। ସେମାନଙ୍କ ମଧ୍ୟରେ ଶଙ୍କର ହିଁ କେବଳ ଶେଷ ଭାଷ୍ୟକାର। ବୌଦ୍ଧ ସାହିତ୍ୟରେ ଅବଶ୍ୟ ବେଦାନ୍ତରେ ଉଲ୍ଲେଖ ଅଛି। ଆଉ ବୌଦ୍ଧ ଧର୍ମର ମହାଯୋଗୀ ଶାଖା ଏବେ ସୁଦ୍ଧା ଅ​‌େ​‌ଦ୍ବୖତବାଦୀ। ବୁଦ୍ଧଦେବଙ୍କ ଗୋଟିଏ ନାମ ‘​‌ଅ‌େଦ୍ବୖତବାଦୀ’ ବୋଲି ବୌଦ୍ଧ ଅମର ସିଂହ ଉଲ୍ଲେଖ କଲେ କାହିଁକି? ଚାରୁ ଲେଖିଛି ଉପନିଷଦରେ ବ୍ରହ୍ମ ଶବ୍ଦର ଉଲ୍ଲେଖ ନାହିଁ, କି ଆଶ୍ଚର୍ଯ୍ୟ କଥା?’
ମନ୍ଦିର ମଧ୍ୟରେ ମ୍ଳେଛ (ପାଶ୍ଚାତ୍ୟବାସୀ)ଙ୍କୁ ପ୍ରବେଶ ନ କରାଇଦେବା ସମ୍ପର୍କରେ ମିସେସ୍‌ ଓଲିବୁଲଙ୍କ ନିକଟକୁ ଏକ ପତ୍ରରେ ସ୍ବାମିଜୀ ଲେଖିଥିଲେ, ‘ମିଃ ଓକାକୁରାଙ୍କ ସଙ୍ଗରେ ନିରଞ୍ଜନ ଆସିଛନ୍ତି। ସେ (ନିରଞ୍ଜନ) ଜାପାନୀ ବୋଲି କୌଣସି ମନ୍ଦିରରେ ତାଙ୍କର ପ୍ରବେଶ ସମ୍ପର୍କରେ କେହି ଆପତ୍ତି କରୁନାହାନ୍ତି। ମନେହୁଏ ତିବ୍ଦତୀୟ ଓ ଅନ୍ୟାନ୍ୟ ଉତ୍ତର ଦେଶୀୟ ବୌଦ୍ଧଗଣ ବରାବର ଶିବପୂଜା ଉଦ୍ଦେଶ୍ୟରେ ଏଠାକୁ ଆସୁଥିଲେ। ସେମାନେ ତାଙ୍କୁ ଶିବଲିଙ୍ଗ ସ୍ପର୍ଶ କରିବା ଓ ପୂଜା ପାଇଁ ସୁଯୋଗ ଦେଇଥିଲେ। ମିସେସ୍‌ ଆନିବେଶାନ୍ତ ଥରେ ଚେଷ୍ଟା କରିଥିଲେ; କିନ୍ତୁ ବିଚାରୀ ଶାଢ଼ି ପିନ୍ଧି, ଖାଲି ପାଦରେ ପୁରୋହିତମାନଙ୍କ ସମ୍ମୁଖରେ ଦୀନହୀନ ଭାବରେ ଧୂଳିରେ ଲୋଟି ପଡ଼ିଥିଲେ ମଧ୍ୟ ତାଙ୍କୁ ମନ୍ଦିର ପ୍ରବେଶ ପାଇଁ ନାସ୍ତି କରି ଦିଆଯାଇଥିଲା।’
ନାରୀ ସ୍ବାଧୀନତା ସମ୍ପର୍କରେ ମତ ଦେଇ ଜଣେ ଭକ୍ତଙ୍କ ନିକଟକୁ ଥରେ ସ୍ବାମିଜୀ ଲେଖିଥିଲେ, ‘ନାରୀମାନେ ସ୍ବଭାବତଃ ବିବାହ ଭିତର ଦେଇ ସେମାନଙ୍କ ଜୀବନର ସବୁ ଆକାଂକ୍ଷା ମେଣ୍ଟାଇବାକୁ ଚାହାନ୍ତି, କିନ୍ତୁ ସେସବୁ ଦିନ ଚାଲିଯାଇଛି। ସେମାନେ କୌଣସି ନରକୁ ଆବୋରି ଧରି (ଲତାଭଳି) ଲଟାଇ ଉଠିବାକୁ ଚାହାନ୍ତି, କିନ୍ତୁ ସେ ସବୁ ଦିନ ଚାଲିଯାଉଛି।’
ଜଣେ ପାଶ୍ଚାତ୍ୟ ଶିଷ୍ୟ ସ୍ବାମୀ କୃପାନନ୍ଦଙ୍କୁ ଲେଖିଛନ୍ତି- ‘ପବିତ୍ର ହୁଅ ଓ ସର୍ବୋପରି ଅକପଟ ହୁଅ। ମୁହୂର୍ତ୍ତକ ଲାଗି ଭଗବାନଙ୍କ ଉପରେ ବିଶ୍ବାସ ହରାଅ ନାହିଁ। ତା’ହେଲେ ଆଲୋକର ସନ୍ଧାନ ପାଇବ। ଅଧୀର ହୁଅ ନାହିଁ, ବ୍ୟଗ୍ର ହୁଅନାହିଁ, ଧୀର, ଏକନିଷ୍ଠ ଏବଂ ନୀରବ କର୍ମ ହିଁ ସଫଳ ହୁଏ।’
ଏକ ଚମତ୍କାର ଅଭିବ୍ୟକ୍ତି, ପ୍ରାଣକୁ ଆହ୍ଲାଦିତ ଉତ୍‌ଫୁଲ୍ଲିତ କଲାଭଳି ଚିିଠି ଖଣ୍ଡିଏ ଯିଏ ପଢ଼ିବ, ଅବଶ୍ୟ ମହାନ୍‌ ହେବ। ମହାନ୍‌ ନ ହେଲେ ବି ମଣିଷ ପରି ମଣିଷଟିଏ ହେବ।

ଅରୁଣ କୁମାର ପଣ୍ଡା
ବରିଷ୍ଠ ସାମ୍ବାଦିକ,୧୩୪୮/୪, ସି, ସେକ୍ଟର-୬
ମରକତନଗର, କଟକ-୧୪

Comments are closed.