ପ୍ରବାସୀ ପେସାଦାରଙ୍କ ନିଯୁକ୍ତି ପାଇଁ ‘ସ୍ୱଦେଶ’

ସମାଜ ପୋର୍ଟାଲ ଡେସ୍କ: ବନ୍ଦେ ଭାରତ ମିଶନ ଅଧୀନରେ ବିଦେଶରୁ ଫେରୁଥିବା ଦକ୍ଷ ପେସାଦାରମାନଙ୍କ ଚିହ୍ନଟ ପାଇଁ କେନ୍ଦ୍ର ସରକାର ଏକ ଡାଟାବେଶ୍‍ ସ୍ଥାପନ କରିଛନ୍ତି। ସ୍କିଲ୍ଡ୍‍ ୱାର୍କସ୍‍ ଆରାଇଭାଲ୍‍ ଡାଟାବେଶ୍‍ ଫର୍‍ ଏମ୍ପ୍ଲଏମେଣ୍ଟ ସପୋର୍ଟ – ‘ସ୍ୱଦେଶ’ ଡାଟାବେସ ମାଧ୍ୟମରେ ପ୍ରବାସୀ ପେସାଦାରଙ୍କୁ ନିଯୁକ୍ତି ଦିଆଯିବ। ଦକ୍ଷତା ବୃଦ୍ଧି ଓ ଉଦ୍ୟୋଗପତି ପ୍ରତିଭା ବିକାଶ ମନ୍ତ୍ରଣାଳୟ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ବୈଦେଶିକ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଏହାର ସ୍ଥାପନ କରାଯାଇଛି।

ବିଦେଶରୁ ଫେରିଥିବା ଦକ୍ଷ ତଥା ଯୋଗ୍ୟ ପେସାଦାରମାନଙ୍କର ଏକ ଡାଟାବେଶ ପ୍ରସ୍ତୁତ କରି ଭାରତୀୟ ଓ ବିଦେଶୀ କମ୍ପାନୀଗୁଡ଼ିକ ପାଇଁ ଆବଶ୍ୟକ ପେସାଦାରମାନଙ୍କ ଚାହିଦା ପୂରଣ କରିବା ହେଉଛି ସ୍ୱଦେଶର ମୂଳ ଲକ୍ଷ୍ୟ। ଏଥିରେ ସଂଗୃହିତ ତଥ୍ୟକୁ ବିଭିନ୍ନ କମ୍ପାନୀଗୁଡ଼ିକୁ ଯୋଗାଇ ଦିଆଯିବ, ଯାହାଫଳରେ ଦେଶରେ ସେହିଭଳି ପେସାଦାରମାନଙ୍କ ପାଇଁ ଉପଯୁକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ବିଦେଶ ଫେରନ୍ତା ଏଭଳି ପେସାଦାରମାନେ ସ୍ୱଦେଶ ସ୍କିଲକାର୍ଡ ଅନ୍‍ଲାଇନ୍‍ ମାଧ୍ୟମରେ ପୂରଣ କରିବାକୁ କୁହାଯାଇଛି।

ଏ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରି ଦକ୍ଷତା ବୃଦ୍ଧି ଓ ଉଦ୍ୟୋଗପତି ପ୍ରତିଭା ବିକାଶ ମନ୍ତ୍ରୀ ଡକ୍ଟର ମହେନ୍ଦ୍ରନାଥ ପାଣ୍ଡେ କହିଛନ୍ତି, କୋଭିଡ୍‍ ନାଇଣ୍ଟିନ୍‍ ଯୋଗୁଁ ଦେଶର ଅର୍ଥନୀତି ପ୍ରତି ଯେଉଁ ସଂକଟ ଦେଖାଦେଇଛି ତାହାର ମୁକାବିଲା କରିବାକୁ କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ସମଗ୍ର ଦେଶରୁ ସମର୍ଥନ ମିଳୁଥିବା ଏକ ଉତ୍ସାହଜନକ ବିଷୟ। ସେ କହିଛନ୍ତି, ସ୍ୱଦେଶ ସ୍କିଲ୍‍କାର୍ଡ ମାଧ୍ୟମରେ ସଂଗୃହିତ ହୋଇଥିବା ତଥ୍ୟ ସେଭଳି ପେସାଦାରମାନଙ୍କୁ ନିଯୁକ୍ତି ପାଇବାରେ ସାହାଯ୍ୟ କରିବା ସହ ଏ କ୍ଷେତ୍ରର ଚାହିଦା ଏବଂ ଯୋଗାଣ ମଧ୍ୟରେ ଥିବା ତାରତମ୍ୟକୁ ଦୂର କରିପାରିବ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, ସ୍ୱଦେଶ ସ୍କିଲ୍‍କାର୍ଡ ଉପରେ ତଥ୍ୟ ଯୋଗାଣ ଲାଗି ଏୟାର୍‍ ଇଣ୍ଡିଆ ଓ ଏୟାର୍‍ ଇଣ୍ଡିଆନ୍‍ ଏକ୍ସପ୍ରେସ୍‍ର ସମସ୍ତ ବିମାନରେ ଏ ସଂକ୍ରାନ୍ତରେ ଘୋଷଣା କରାଯାଉଛି। ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର କହିଛନ୍ତି, ବିଦେଶରେ ଅଟକି ରହିଥିବା ପ୍ରତ୍ୟେକ ଭାରତୀୟଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ସେ କହିଛନ୍ତି, ଏହି ପଦକ୍ଷେପ ବିଦେଶ ଫେରନ୍ତା ଭାରତୀୟ ପେସାଦାରମାନଙ୍କୁ ସେମାନଙ୍କ ଉପଯୋଗୀ ନିଯୁକ୍ତି ପ୍ରଦାନରେ ସାହାଯ୍ୟ କରିବ।

Comments are closed.