ପୁଇଁନ୍ତଲା ସ୍ୱଚ୍ଛଭାରତ ପାଇଖାନା ମହାଘୋଟାଲା

ଛୁଟିରେ ଗଲେ ଯନ୍ତ୍ରୀ, ଠିକାଦାରଙ୍କ ଆଦି ଅନ୍ତ ମିଳୁନି

ବଲାଙ୍ଗିର : ପୁଇଁନ୍ତଲା ବ୍ଲକରେ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ(ଆରଡବ୍ଲ୍ୟୁଏସ୍ଏସ୍)ର ଯନ୍ତ୍ରୀ ମନୋଜ ମାଝୀ ରହୁଥିବା ପ୍ୟାଲେସ୍ ଲାଇନ୍ ସ୍ଥିତ ଘରୋଇ ହୋଟେଲ ପ୍ରକୋଷ୍ଠରୁ ସ୍ୱଚ୍ଛଭାରତ ପାଇଖାନା ସଂପର୍କିତ ବହୁ କାଗଜପତ୍ର ଜବତ କରାଯାଇଥିଲା । ସେହିପରି ମିଛ ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକର ସିଲ୍ ପ୍ରସ୍ତୁତ କରାଯାଇ ସେଗୁଡ଼ିକୁ ବ୍ୟବହାର କରାଯାଉଥିବା ପ୍ରାଥମିକ ଅନୁସନ୍ଧାନର ଜଣାପଡିଥିଲା। ଇତିମଧ୍ୟରେ ଆରଡବ୍ଲ୍ୟୁଏସ୍ଏସ ବିଭାଗ ପକ୍ଷରୁ ସରଜମିନ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ପୁଇଁନ୍ତଲା ବ୍ଲକ ଯନ୍ତ୍ରୀ ଶ୍ରୀ ମାଝୀ ମା’ଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ଦର୍ଶାଇ ଛୁଟିରେ ଯାଇଛନ୍ତି । ସେହିପରି ଝାରସୁଗୁଡ଼ାର ଠିକାଦାର ପପୁ ଲୋଧାରଙ୍କ ଆଦି ଅନ୍ତ ମିଳୁନି । ସେ ଏବେ କେଉଁଠି ତାହା ସ୍ପଷ୍ଟ ହୋଇପାରୁ ନାହିଁ। ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲେ ଅନେକ ରହସ୍ୟ ଓ ତଥ୍ୟ ପଦାକୁ ଆସିପାରିବ ବୋଲି ଜଣାପଡିଛି।
ଝାରସୁଗୁଡ଼ାର ଠିକାଦାର ପପୁ ଲୋଧା। ସେ ହିଁ ଏହି ଘରୋଇ ହୋଟେଲର ୧୦୨ ନମ୍ବର ପ୍ରକୋଷ୍ଠ ପାଇଁ ପଞ୍ଜୀକରଣ କରିଥିଲେ। ତେବେ ଗତ ୩ ବର୍ଷ ହେଲା ଏଠାରେ ରହି ଆସୁଥିଲେ ଯନ୍ତ୍ରୀ ଶ୍ରୀ ମାଝୀ । ଠିକାଦାର ପପୁ ଲୋଧାଙ୍କ ଇସାରାରେ କାମ ହେଉଥିବା ବେଳେ ମନଇଚ୍ଛା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ପାଇଖାନା ନିର୍ମାଣ କରୁଥିବାର ସିଲ୍ ମରାଯାଉଥିଲା ପାଇଖାନା ସଂପର୍କିତ କାଗଜପତ୍ରରେ । ଗତ କିଛିଦିନ ତଳେ ପଡ଼ିଆବାହାଲ ଗାଁର ଜଣେ ମୃତ ମହିଳାଙ୍କ ନାଁରେ ୪ଟି ପାଇଖାନା ଟଙ୍କା ଉଠିଥିବା ସଂପର୍କରେ ଜିଲାପାଳ ଚଞ୍ଚଳ ରାଣାଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଗତ ମଙ୍ଗଳବାର ଦିନ ଜିଲାପାଳଙ୍କ ନିର୍ଦ୍ଦେଶରେ ଉପ ଜିଲାପାଳ ଲମ୍ବୋଦର ଧରୁଆ, ଆରଡବ୍ଲ୍ୟୁଏସ୍ଏସ ଉପଖଣ୍ଡ ଅଧିକାରୀଙ୍କ ସହ କର୍ମଚାରୀ ଘରୋଇ ହୋଟେଲ ପ୍ରକୋଷ୍ଠକୁ ଯାଇଥିଲେ। ସେହିପରି ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖିରେ ରଖି ପୁଲିସ ମୁତୟନ କରାଯାଇଥିଲା । ମଙ୍ଗଳବାର ହୋଟେଲ ପ୍ରକୋଷ୍ଠକୁ ଜଉମୁଦ ଦେଇ ବନ୍ଦ କରିଦିଆଯାଇଥିଲା । ବୁଧୁବାର କର୍ମଚାରୀମାନେ ଅଧିକାରୀଙ୍କ ଉପସ୍ଥିତିରେ ସ୍ୱଚ୍ଛଭାରତ ପାଇଖାନା ସଂପର୍କିତ ବହୁ କାଗଜପତ୍ର, ସିଲ୍ ମୋହର ସହ ଦସ୍ତାବେଜ ଜବତ କରିଥିଲେ। ଏତେ ପରିମାଣର ସ୍ୱଚ୍ଛଭାରତ ପାଇଖାନା କାଗଜପତ୍ର କାମ ବ୍ଲକ କାର୍ଯ୍ୟାଳୟ ବଦଳରେ ହୋଟେଲ ପ୍ରକୋଷ୍ଠରେ ହେଉଥିବା ଜଣାପଡିଥିଲା ।
ଠିକାଦାର ପପୁ ଲୋଧାର ଶାସକ ଦଳର ରାଜନୈତିକ ସଂପର୍କ ନେଇ ଚର୍ଚ୍ଚା ଏବେ ଜୋର୍ ଧରୁଥିବା ବେଳେ ସାମାଜିକ ଗଣମାଧ୍ୟମରେ ସେ ଜଣେ ମନ୍ତ୍ରୀଙ୍କ ସହ ଫଟୋ ଉଠାଇ ଅପଲୋଡ୍ କରିଛନ୍ତି । ଶାସକ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ବି ନଜରକୁ ଆସିଛି । ଯାହାକି ଠିକାଦାର ପପୁ ଲୋଧାଙ୍କ ସହ ଶାସକ ଦଳକୁ ଅଡୁଆରେ ପକାଇଛି । ଅନ୍ୟପଟେ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଯନ୍ତ୍ରୀଙ୍କୁ ପୁଇଁନ୍ତଲା ବିଡିଓ ଛୁଟି ଦେବା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସ୍ୱଚ୍ଛଭାରତ ପାଇଖାନା ଜରିଆରେ ପୁଇଁନ୍ତଲା ବ୍ଲକରେ ବ୍ୟାପକ ଘୋଟାଲା ହୋଇଥିବା ଓ ଅର୍ଥ ହେରଫେର ହୋଇଥିବା ନେଇ ଆକଳନ କରାଯାଉଛି । ସରଜମିନ ତଦନ୍ତ ସରିବା ପରେ ଅନେକ ତଥ୍ୟ ଓ ଗୁମର ସାମ୍ନାକୁ ଆସିବ ବୋଲି ମତପ୍ରକାଶ ପାଉଛି । ସେହିପରି ସିଲ୍ ବେଳେ ହୋଟେଲ ପ୍ରକୋଷ୍ଠରେ ଲକ୍ଷାଧିକ ଟଙ୍କା ଓ ଦସ୍ତାବେଜ କିଛି ଦୁବୃର୍ତ୍ତ ନେଇଯାଇଥିବା ନେଇ ଖବର ମିଳିଥିଲା । ଏହି ପ୍ରସଙ୍ଗରେ ବି ଯାଞ୍ଚ ଚାଲିଥିବା ଜଣାପଡିଛି ।

Comments are closed.