ଆଠଗଡରେ ସ୍ୱାଭିମାନ ଦିବସ ପାଳିତ 

ଆଠଗଡ :  ଆଠଗଡ ସ୍ୱାଭିମାନ ଏକତା ମଞ୍ଚ ଆନୁକୁଲ୍ୟରେ ସ୍ଥାନୀୟ ମହୋତ୍ସବ ପଡିଆରେ ଗୁରୁବାର ୧୦ମ ସ୍ୱାଭିମାନ ଦିବସ ପାଳିତ ହୋଇଯାଇଛି। ୨୦୦୯ ମସିହା ବିଧାନସଭା ନିର୍ବାଚନ ସମୟରେ ଆଠଗଡର ବିଜେଡି ପାର୍ଥୀ ତଥା ସ୍ଥାନୀୟ ବିଧାୟକଙ୍କ ପ୍ରାର୍ଥୀପତ୍ର ଅନ୍ୟାୟ ଭାବରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ନାକଚ କରି ଦିଆଯାଇଥିଲା । ଏହା ବିରୁଦ୍ଧରେ ବିଜେଡି ପ୍ରାର୍ଥୀ ତଥା ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଥମେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଜିତିବା ସହିତ ସର୍ବୋଚ୍ଚ ନ୍ୟାୟାଳୟ ୨୦୧୧ ମସିହା ଡିସେମ୍ବର ୯ତାରିଖରେ ଏହି ମାମଲାର ଚୂଡାନ୍ତ ରାୟ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଦେବା ସହ ଆଠଗଡର ୨୦୦୯ ବିଧାନସଭା ନିର୍ବାଚନକୁ ଅସିଦ୍ଧ ଘୋଷଣା କରି ରାୟ ପ୍ରକାଶ କରିଥିଲେ। ସେହି ଦିନଠାରୁ ବିଧାୟକଙ୍କ ସମର୍ଥକମାନେ ଆଠଗଡ ସ୍ୱାଭିମାନ ମଞ୍ଚ ଗଠନ କରି ପ୍ରତି ବର୍ଷ ଡିସେମ୍ବର ୯ ତାରିଖରେ ସ୍ୱାଭିମାନ ଦିବସ ପାଳନ କରିଆସୁଛନ୍ତି।

ଗୁରୁବାର ମଞ୍ଚର କାର୍ଯ୍ୟକାରି ସଭାପତି ଆଇନଜୀବୀ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଓ ବିଶିଷ୍ଟ ସ୍ତମ୍ବକାର ପ୍ରଦୋଷ ପଟ୍ଟନାୟକ ମୁଖ୍ୟଅତିଥି ଏବଂ ଅନ୍ୟତମ ବରିଷ୍ଟ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ସର୍ବୋଚ୍ଚ ନ୍ୟାୟାଳୟର ଐତିହାସିକ ରାୟ ସତ୍ୟ, ଧର୍ମ, ନ୍ୟାୟ, ଗଣତନ୍ତ୍ର ଓ ଆଠଗଡ ସ୍ୱାଭିମାନର ବିଜୟ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାଭିମାନ ମଞ୍ଚର ସଂପାଦକ ବିନୟ କୁମାର ଶୁକ୍ଳ, ସହ ସଂପାଦକ ସତ୍ୟେନ ପଣ୍ଡା, ଛାତ୍ରନେତା ସତ୍ୟପ୍ରିୟ ମହାନ୍ତି, ଶୁଭେନ୍ଦୁ ବେଉରା, ଦିନେଶ ପ୍ରଧାନ, ସନ୍ତୋଷ ମିଶ୍ର, ସୌଦାମିନି ସାହୁ ଓ ପ୍ରଭଞ୍ଜନ ସେଠୀ ପ୍ରମୁଖ ଉଦ୍‍ବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆଠଗଡ ନିର୍ବାଚନ ମଣ୍ଡଳିର ବହୁ ବିଜେଡି ନେତା ଓ କର୍ମୀ ଯୋଗଦାନ କରିଥିଲେ।

Comments are closed.