ମମତାଙ୍କ ତୃଣମୂଳ ସରକାରକୁ ଧକ୍କା: ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫା

କଲକତା: ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲାଗିଛି ଆଉ ଏକ ଧକ୍କା । ଶୁକ୍ରବାର ଦଳର ବରିଷ୍ଠ ନେତା ତଥା ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ହୁଗଲି ନଦୀ ବ୍ରିଜ୍ କମିଶନ (ଏଚଆରବିସି) ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଅଧିକାରୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

ଗତ କିଛିଦିନ ହେଲା ତାଙ୍କର ମମତାଙ୍କ ସହ ବିବାଦ ସୃଷ୍ଟି ହୋଇଥିଲା । ଏଥିପାଇଁ ସେ ତାଙ୍କ ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଫ୍ୟାକ୍ସ ମାଧ୍ୟମରେ ପଠାଇଥିଲେ, ଯାହା ପରେ ସେ ଇ-ମେଲ ମାଧ୍ୟମରେ ରାଜ୍ୟପାଳ ଜଗଦୀପ ଧନଖରଙ୍କ ନିକଟକୁ ପଠାଇଥିଲେ। ରାଜ୍ୟପାଳଙ୍କ ସଚିବାଳୟ ପକ୍ଷରୁ ଏହି ଇସ୍ତଫା ପତ୍ର ମିଳିଥିବା ସ୍ବୀକାର କରାଯାଇଛି ।

କ୍ୟାବିନେଟ ମନ୍ତ୍ରୀ ଥିବା ଶୁଭେନ୍ଦୁ ଗତ କିଛିଦିନ ହେଲା ଦଳରେ କୋଣଠେସା ହେଉଥିବା ଅନୁଭବ କରୁଥିଲେ । ସେଥିପାଇଁ ସେ ଇସ୍ତଫା ଦେଇଥିବା କୁହାଯାଉଛି । ଅନ୍ୟପକ୍ଷରେ ସେ ବିଜେପିରେ ଯୋଗ ଦେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

Comments are closed.