ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଠାକୁରମୁଣ୍ଡା : ପ୍ରେମୀ ଯୁଗଳଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ବିଲପାଖ ଏକ ଗଛରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ କାଙ୍କି ଗ୍ରାମରେ। ବହଳଦା-ଝରାଡ଼ିହି ମୁଖ୍ୟ ରାସ୍ତାକଡ କାଙ୍କି ଗ୍ରାମ ନିକଟସ୍ଥ ଏକ ବିଲ କଡ ଗଛରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଦେଖିବା ପରେ ପୁଲିସଙ୍କୁ ଖବର ଦେଇଥିଲେ। ଖବର ପାଇ ବହଳଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇବା ପରେ ପରିଚୟ ସ୍ପଷ୍ଟ ହୋଇଥିଲା। ମୃତ ପ୍ରେମୀ ଯୁଗଳ ଦ୍ବୟ ବହଳଦା ଥାନା କାଙ୍କି ଗ୍ରାମର ମନମୋହନ ଟୁଡୁ ଓ ଘାଗରାସାହିର ସଞ୍ଜୁ ସୋରେନ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଏକ ମାସ ପୂର୍ବରୁ ସେମାନେ ଘରୁ ପଳାଇ ପ୍ରେମ ବିବାହ କରିଥିଲେ। ତେବେ ତିନିଦିନ ପୂର୍ବରୁ ସେମାନେ ଘରକୁ ଫେରିଥିବା ବେଳେ ନିଜ ନିଜ ଘରକୁ ଯାଇଥିଲେ। ଗତକାଲି ଅପରାହ୍ନ ରୁ ଦୁହେଁ ଘରୁ ବାହାରି ଯାଇଥିବା ବେଳେ ଆଜି ସେମାନଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ସେପଟେ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବା ବେଳେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ହାତ ବନ୍ଧା ହୋଇଥିବା ଯୋଗୁଁ କେହି ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ତେବେ ଅଧିକ ତଦନ୍ତ ପାଇଁ ବାରିପଦା ରୁ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ ଜାରି ରଖିଥିବାର ପୁଲିସ ପାଖରୁ ସୂଚନା ମିଳିଛି।

Comments are closed.