ଟାଟା ମେଡିକୋ ଡାକ୍ତରଖାନା କାର୍ଯ୍ୟକ୍ଷମ ଅନିଶ୍ଚିତ

ଗୋପାଳପୁର : ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀଠାରେ ଟାଟା କମ୍ପାନୀ ପକ୍ଷରୁ ନିର୍ମିତ ହୋଇଥିବା ଟାଟା-ମେଡିକୋ ସୁପରସ୍ପେସିଆଲିଷ୍ଟ ଡାକ୍ତରଖାନାର କାର୍ଯ୍ୟକ୍ଷମକୁ ନେଇ ଲାଗି ରହିଛି ଅନିଶ୍ଚିତତା। ଏହି ଡାକ୍ତରଖାନା କେବେ କାର୍ଯ୍ୟକ୍ଷମ ହେବ ଏବଂ ଦକ୍ଷିଣ ଓଡ଼ିଶାବାସୀ କେବେ ଉନ୍ନତମାନର ଚିକିତ୍ସା ସୁବିଧା ପାଇବେ ତାହାର ଉତ୍ତର କାହା ପାଖରେ ନାହିଁ। କରୋନା ଆଳରେ ଏହାର କାର୍ଯ୍ୟକାରିତା ଦିନ ଗଡି ଚାଲିଛି।
୨୦୧୩ ମସିହାରେ ଟାଟା ଷ୍ଟିଲ ପକ୍ଷରୁ ଦକ୍ଷିଣ ଓଡ଼ିଶାବାସୀଙ୍କୁ ସହଜ ଓ ଶସ୍ତାରେ ଉନ୍ନତ ତଥା ଗୁଣବତ୍ତା ସ୍ବାସ୍ଥ୍ୟ ସେବା ପ୍ରଦାନ ଲକ୍ଷ୍ୟରେ ଟାଟା ବିସ୍ଥାପିତ କଲୋନୀ ସନ୍ନିକଟ ଅଞ୍ଚଳରେ ପ୍ରାୟ ୪୪ ଏକର ଜମିରେ ସୁପରସ୍ପେସିଆଲିଷ୍ଟ ଡାକ୍ତରଖାନା ନିର୍ମାଣ ନିମନ୍ତେ ସ୍ଥିର କରାଯାଇଥିଲା। ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। କୋଲକାତାସ୍ଥିତ ମେଡିକୋ ସଂସ୍ଥା ସହାୟତାରେ ଟାଟାଷ୍ଟିଲ ପକ୍ଷରୁ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ୨୦୧୯ ମସିହାରେ ନିର୍ମାଣ କାର୍ଯ୍ୟ ସରିଛି। ୨୦୨୦ ଜାନୁଆରୀ ସୁଦ୍ଧା ବିଡିଏ ଓ ବିଦ୍ୟୁତ ବିଭାଗରୁ କୌଣସି ଆପତ୍ତି ନଥିବା ପ୍ରମାଣପତ୍ର ମିଳିପାରିନଥିବାରୁ ଏହା କାର୍ଯ୍ୟକ୍ଷମ ହେବାରେ ବିଳମ୍ୱ ଘଟିଥିଲା।
ଏହି ସୁପରସ୍ପେସିଆଲିଷ୍ଟ ହସ୍ପିଟାଲରେ ୫୦୦ ଶଯ୍ୟା ବ୍ୟବସ୍ଥା ରହିଥିବା ବେଳେ ପ୍ରଥମ ଦଫାରେ ୨୦୦ ଶଯ୍ୟାରୁ ଏହା ଆରମ୍ଭ କରିବାକୁ ଯୋଜନା ରହିଥିଲା। ଏହା ସହ ଏଠାରେ ସମସ୍ତ ପ୍ରକାର ରୋଗୀ ଚିକିତ୍ସା ସହ କର୍କଟ ଓ କିଡନୀ ରୋଗର ଚିକିତ୍ସା କରାଯିବାକୁ ଯୋଜନା ରହିଥିଲା।
୨୦୧୯ ମସିହାର ପ୍ରଥମାର୍ଦ୍ଧରେ ଏହି ଡାକ୍ତରଖାନା ଉଦଘାଟନ କରାଯିବାକୁ ସ୍ଥିର ହେଇଥିଲା ; କିନ୍ତୁ କେତେକ ଅନିବାର୍ଯ୍ୟ କାରଣବଶତଃ ତାହା ହୋଇପାରିନଥିଲା। ଏ ମଧ୍ୟରେ କରୋନା ମହାମାରୀ ଯୋଗୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଏହି ଡାକ୍ତରଖାନାକୁ କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ୨୦୨୦ ଏପ୍ରିଲ ୧୦ ତାରିଖରେ ବ୍ୟବହାର କରାଗଲା। କରୋନାର ଦ୍ବିତୀୟ ଲହର ସମୟରେ ମଧ୍ୟ ଏପ୍ରିଲ ୩୦ ତାରିଖରୁ ଜୁଲାଇ ମାସ ପର୍ଯ୍ୟନ୍ତ ପୁନର୍ବାର ଜିଲାର କରୋନା ଆକ୍ରାନ୍ତଙ୍କୁ ପୁନଃ ଚିକିତ୍ସା ଏଠାରେ କରାଯାଇଥିଲା। ସରକାରୀ ନିର୍ଦେଶ କ୍ରମେ ଜୁଲାଇ ଶେଷ ସପ୍ତାହରୁ ଏଠାରେ କରୋନା ଚିକିତ୍ସା ବନ୍ଦ କରି ଦିଆଯାଇଛି।
୨୦୨୦ ମସିହାଠାରୁ ପର୍ଯ୍ୟାୟ କ୍ରମେ କୋଭିଡ ଡାକ୍ତରଖାନା ଭାବେ ଏହାକୁ ବ୍ୟବହାର କରାଯାଉଛି। ଆଗାମୀ ଦିନରେ ପୁଣି ଥରେ କରୋନାର ତୃତୀୟ ଲହର ଆସିବା ନେଇ ଆଶଙ୍କା ସୃଷ୍ଟି ହୋଇଥିବାରୁ ପୁଣିଥରେ ପ୍ରଶାସନ ପକ୍ଷରୁ ଏହି ଡାକ୍ତରଖାନାକୁ କୋଭିଡ ଡାକ୍ତରଖାନା ଭାବେ ବ୍ୟବହାର କରାଯିବ। ଏଣୁ ଦେଶରୁ କରୋନା ସମ୍ପୂର୍ଣ୍ଣ ହଟିବା ପରେ ହିଁ ଆମ ପକ୍ଷରୁ ଏହାକୁ ସର୍ବସାଧାରଣଙ୍କ ଚିକିତ୍ସା ନିମନ୍ତେ କାର୍ଯ୍ୟକ୍ଷମ କରିବା ନେଇ ପ୍ରସ୍ତୁତି ଆରମ୍ଭ ହେବ ବୋଲି କହିଛନ୍ତି ଗୋପାଳପୁର ଟାଟା ଟିଏସଆର‌ଡିଏସ ମୁଖ୍ୟ ରକି ମାର୍ଟିନ। କର୍ମଚାରୀ ଓ ଡାକ୍ତର ନିଯୁକ୍ତି ନିମେନ୍ତ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନି ବୋଲି ସେ କହିଛନ୍ତି।
୨୦୧୯ରେ ଏହି ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ନିମନ୍ତେ ମେଡାକୋ ସଂସ୍ଥା ପକ୍ଷରୁ ବିଜ୍ଞାପନ ବାହାର କରାଯାଇଥିଲା। ହେଲେ କରୋନା ନିମନ୍ତେ ତାହା ସ୍ଥଗିତ ରହିଯାଇଥିଲା। ୨୦୧୯ ରୁ ଡାକ୍ତରଖାନା ସେବା ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଥିବା ବେଳେ ଟାଟା ପକ୍ଷରୁ ଏହାକୁ କାର୍ଯ୍ୟକ୍ଷମ ନେଇ କୈାଣସି ତତ୍ପରତା ପ୍ରକାଶ ପାଉନି।

Comments are closed.