ଅନୁକୂଳକୁ ୭ଦିନ ପୂରିଲା; ଆରମ୍ଭ ହେଲାନି ରଥ ନିର୍ମାଣ

ଅନିଶ୍ଚିତତାରେ ରଥଯାତ୍ରା

ପୁରୀ : ଲକ୍‌ଡାଉନ ଅବଧି ଆଉ ଦୁଇସପ୍ତାହ ବଢାଇଛନ୍ତି କେନ୍ଦ୍ର ସରକାର । ଏଥିଯୋଗୁଁ ଚଳିତବର୍ଷ ରଥଯାତ୍ରା ହେବ କି ନାହିଁ ଅନିଶ୍ଚିତତା ଦେଖାଦେଇଛି। ଅକ୍ଷୟତୃତୀୟାଠାରୁ ରଥ ନିର୍ମାଣ ଅନୁକୂଳ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ଲକ୍‌ଡାଉନ ଯୋଗୁଁ ଖାଁ ଖାଁ  ପଡିଛି ରଥଖଳା । କାମ କରିବାକୁ ଅପେକ୍ଷା କରିଛନ୍ତି ମହାରଣା ସେବକ। ରଥ ନିର୍ମାଣ ପାଇଁ ୩୧୫ଖଣ୍ଡ କାଠ ପୁରୀ ବଡ଼ଦାଣ୍ଡରେ ଆସି ପହଞ୍ଚି ସାରିଛି। ରଥନିର୍ମାଣ ଅନୁକୂଳର ୭ଦିନ ପୂରିଥିବାରୁ ଏତେବେଳକୁ ତୁମ୍ବ ନିର୍ମାଣ ଜୋରଦାର ହେବାକଥା। ଚଳିତବର୍ଷ ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ମହାରଣା ସେବକଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର କୌଣସି ଅଧିକାରୀ ଶନିବାର ସନ୍ଧ୍ୟାସୁଦ୍ଧା ରଥ ନିର୍ମାଣ ସମ୍ପର୍କରେ ଆଲୋଚନା କରିନଥିବା ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ବିଜୟ କୁମାର ମହାପାତ୍ର ପ୍ରକାଶ କରିଛନ୍ତି। ତେଣୁ ଚଳିତବର୍ଷ ରଥଯାତ୍ରା ହେବ କି ନାହିଁ ସେଥିନେଇ ଆଶଙ୍କା ପ୍ରକାଶ ପାଇଛି। କଟକଣା ସହ ରଥଯାତ୍ରା କରାଯିବାକୁ ଦଇତାପତି ନିଯୋଗ ପକ୍ଷରୁ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମେତ ଗଜପତି ମହାରାଜା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ସୂଚନା ଅନୁଯାୟୀ ଖୁବ୍‌ଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଗଜପତି ମହରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ରଥନିର୍ମାଣ, ଦେବସ୍ନାନ ପୂର୍ଣ୍ଣମା ଏବଂ ରଥଯାତ୍ରା ସମ୍ପର୍କରେ ସେଥିରେ ଆଲୋଚନା କରାଯିବା ସହ ନିଷ୍ପତ୍ତି ଗ୍ରହଣ କରାଯିବ।
ପୁରୀ ଜିଲାକୁ ଗ୍ରିନଜୋନ୍‌ ଘୋଷଣା କରାଯାଇଥିବାରୁ ଅନ୍ୟ ନିର୍ମାଣ କାର୍ଯ୍ୟପରି ରଥ ନିର୍ମାଣ ଆରମ୍ଭ କରାଯିବାକୁ କେତେକ ସେବକ ଶନିବାର ଦାବି କରିଛନ୍ତି। ଏବେଠାରୁ ଯଦି ରଥ ନିର୍ମାଣ ଆରମ୍ଭ କରାନଯାଏ ତାହାହେଲେ ଜୁନ୍‌ ୨୩ ବେଳକୁ କରୋନା ସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ନିର୍ମାଣ ଶେଷ ହୋଇପାରିବ ନାହିଁ ବୋଲି କୃଷ୍ଣଚନ୍ଦ୍ର ମହାରଣା ପ୍ରକାଶ କରିଛନ୍ତି। ଚଳିତବର୍ଷ ରଥଯାତ୍ରା ନେଇ ରାଜ୍ୟ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇନଥିବାରୁ ଦୋଳବେଦୀ କୋଣରେ ସ୍ବତନ୍ତ୍ର କମାରଶାଳ ଖୋଲିପାରି ନାହିଁ। ଏଭଳି ପରିସ୍ଥିତିରେ ମନ୍ଦିର ପ୍ରଶାସନ ନିଷ୍ପତ୍ତିକୁ ଶ୍ରୀଜଗନ୍ନାଥପ୍ରେମୀ ଭକ୍ତଙ୍କ ସମେତ ଶ୍ରୀମନ୍ଦିର ସେବକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। କରୋନା ସଂକ୍ରମଣ ରୋକିବା ପାଇଁ କେବଳ ରଥଯାତ୍ରା ସହ ସଂପୃକ୍ତ ପାଳିଆ ସେବକ ଏବଂ ଅଳ୍ପସଂଖ୍ୟକ ପୁଲିସ କର୍ମଚାରୀଙ୍କୁ ନେଇ ରଥଯାତ୍ରା କରାଯିବାକୁ ଅନ୍ୟ କେତେକ ସଂଗଠନ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ରଥଯାତ୍ରା କରାଯିବା ଜିଦ୍‌ରେ ଦଇତାପତି ନିଯୋଗ ଅଟଳ ରହିଛି। ଅତୀତରେ ବଡ଼ ବଡ଼ ବିପର୍ଯ୍ୟୟ ହୋଇଥିଲେ ମଧ୍ୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଯଥାରିତି ସମ୍ପନ୍ନ ହୋଇଥିବା ନିଯୋଗ ସାଧାରଣ ସମ୍ପାଦକ ଦୁର୍ଗାପ୍ରସାଦ ଦାସମହାପାତ୍ର ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଭ୍ୟ ରାମଚନ୍ଦ୍ର ଦାସମହାପାତ୍ର ଯୁକ୍ତି ବାଢିଛନ୍ତି। ମେ ୩ତାରିଖ ଲକ୍‌ଡାଉନ ଅବଧି ଶେଷ ହେବାପରେ ପରିଚାଳନା କମିଟି ବୈଠକ ଡକାଯାଇ ରଥଯାତ୍ରା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସ୍ଥାୟୀ ସଭାପତି ତଥା ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଗତ ୨୪ତାରିଖ ଦିନ ପ୍ରକାଶ କରିଥିଲେ। ଲକ୍‌ଡାଉନ ଅବଧି ଚଳିତମାସ ୧୭ତାରିଖ ପର୍ଯ୍ୟନ୍ତ ସରକାର ବୃଦ୍ଧି କରିଥିବାରୁ ରଥଯାତ୍ରା ସମ୍ପର୍କରେ କିଭଳି ନିଷ୍ପତ୍ତି ଗ୍ରହଣ କରାଯିବ ସେଥିନେଇ ନୂଆ ବିବାଦ ଦେଖାଦେଇଛି। ରଥ ନିର୍ମାଣ ପାଇଁ ପରିବର୍ଦ୍ଧିତ ଲକ୍‌ଡାଉନ ଅବଧି ଶେଷ ହେବାଯାଏ ମନ୍ଦିର ପ୍ରଶାସନ ଅପେକ୍ଷା କରିବ ନା ତା’ପୂର୍ବରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ସେଥିନେଇ ପ୍ରଶାସନିକ ସ୍ତରରେ ବିଚାର ବିମର୍ଶ ଚାଲିଥିବା ଜଣାପଡିଛି।

Comments are closed.