ସୁଶୀଲଙ୍କୁ ହରିଦ୍ବାର ନେଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଯୁବ ମଲ୍ଲଯୋଦ୍ଧା ସାଗର ଧନକଡ଼ଙ୍କ ହତ୍ୟା ମାମଲାର ତଦନ୍ତ ଭାର ନେଇ ଦିଲ୍ଲୀ ପୁଲିସର ଅପରାଧ ଶାଖା (କ୍ରାଇମ୍‌ ବ୍ରାଞ୍ଚ୍‌) ଅଧିକ ତଦନ୍ତ ଓ ପ୍ରମାଣ ଯୋଗାଡ଼ ପାଇଁ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଅଲିମ୍ପିକ୍‌ସ ପଦକ ବିଜେତା ସୁଶୀଲ କୁମାରଙ୍କୁ ରବିବାର ହରିଦ୍ବାର ନେଇଥିଲା ପୁଲିସ। ମେ’ ୪ ରାତିରେ ମାଡ଼ପିଟ୍‌ ପରେ ୫ରେ ସାଗରଙ୍କ ମୃତ୍ୟୁ ହୋଇଥିଲା। ଏହା ଜାଣିବା ପରେ ସୁଶୀଲ ଫେରାର ହୋଇ ଯାଇଥିଲେ। ସେ କିଛିଦିନ ହରିଦ୍ବାରରେ ଥିଲେ ବୋଲି ଜଣାପଡ଼ିଛି। ସେଠାରେ ସୁଶୀଲ ତାଙ୍କ ମୋବାଇଲ୍‌ ଫୋନ୍ ଲୁଚାଇ ଦେଇଥିଲେ। ହରିଦ୍ବାରରେ ପୁଲିସ ସୁଶୀଲଙ୍କ ଫୋନ୍ ଖୋଜିବା ସହ ଘଟଣା ସମୟରେ ସୁଶୀଲ ପିନ୍ଧିଥିବା ପୋଷାକକୁ ମଧ୍ୟ ଖୋଜୁଛି। ତେବେ ଏସବୁ ପାଇବା‌ରେ ପୁଲିସକୁ ସୁଶୀଲ ସହଯୋଗ କରିନଥିଲେ ବୋଲି ଜଣାପଡ଼ିଛି।

ପ୍ରମାଣ ନଷ୍ଟ କରିଛନ୍ତି ସୁଶୀଲ

ସାଗର ଧନକଡ଼ଙ୍କ ହତ୍ୟା ମାମଲାର ପ୍ରମୁଖ ଅଭିଯୁକ୍ତ ମଲ୍ଲଯୋଦ୍ଧା ସୁଶୀଲ କୁମାର ପ୍ରମାଣ ନଷ୍ଟ କରୁଛନ୍ତି ଏବଂ ତଦନ୍ତରେ ଆଦୌ ସହଯୋଗ କରୁନାହାନ୍ତି। ଏହି ଅଭିଯୋଗ କରିଛି ତଦନ୍ତ ଭାର ନେଇଥିବା ଦିଲ୍ଲୀ ପୁଲିସର ଅପରାଧ ଶାଖା (କ୍ରାଇମ୍ ବ୍ରାଞ୍ଚ୍‌)। ତେଣୁ ସୁଶୀଲଙ୍କ ବିରୋଧରେ ପ୍ରମାଣ ନଷ୍ଟ କରିବାର ମାମଲା ରୁଜ୍ଜୁ କରିବାର ନିଷ୍ପତ୍ତି ନେଇଛି ପୁଲିସ। ସୁଶୀଲ ତାଙ୍କ ମୋବାଇଲ୍‌ ଫୋନ୍ ନଷ୍ଟକରିବା ସହ ସାଗର ଧନକଡ଼ଙ୍କୁ ମାଡ଼ପିଟ୍‌ କରିବାର ଯେଉଁ ଭିଡିଓ ରେକର୍ଡିଂ ଥିଲା; ତା’କୁ ମଧ୍ୟ ସୁଶୀଲ ନଷ୍ଟ କରିଦେଇଛି। ଫୋନ୍‌କୁ ସୁଶୀଲ ହରିଦ୍ବାରରେ ନଷ୍ଟ କରିଛନ୍ତି ବୋଲି ପୁଲିସ ଖବର ପାଇ ସୁଶୀଲଙ୍କୁ ସେଠାକୁ ନେଇଥିଲେ ହେଁ ସୁଶୀଲ ଫୋନ୍‌କୁ ଲୁଚାଇବା କିମ୍ବା ନଷ୍ଟକରିବାକୁ ସିଧା ଅସ୍ବୀକାର କରିଥିଲେ। ପୁଣି ଏକ ଭିଡିଓ ରେକର୍ଡରରେ ସାଗରଙ୍କୁ ସୁଶୀଲଙ୍କ ସହ ୧୩ ଜଣ ପିଟିବାର ଦୃଶ୍ୟ ରେକର୍ଡ ହୋଇଥିବା ବେଳେ ରେକର୍ଡର ସୁଶୀଲଙ୍କ ପାଖରେ ଥିଲା ବୋଲି ପୁଲିସ ଜାଣିଥିଲା। ହେଲେ ସୁଶୀଲ ଏହାକୁ ଅସ୍ବୀକାର କରି ରେକର୍ଡର କେଉଁଠି ଅଛି ସେ ଜାଣିନାହାନ୍ତି ବୋଲି କହିଥିଲେ। ତେଣୁ ବାଧ୍ୟହୋଇ ସୁଶୀଲଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି) ଧାରା ୨୦୧ ଲଗାଇବାକୁ ଯାଉଛି ଦିଲ୍ଲୀ ପୁଲିସ।

ଏହାସହ କ୍ରାଇମ୍‌ ବ୍ରାଞ୍ଚ୍ ସୂତ୍ରରୁ ପ୍ରକାଶ ଯେ ସୁଶୀଲ ବାରମ୍ବାର ଗୋଟିଏ କଥା କହୁଛନ୍ତି ଯେ ସାଗରଙ୍କୁ ହତ୍ୟା କରିବାକୁ ସେମାନଙ୍କର କୌଣସି ଉଦ୍ଦେଶ୍ୟ ନଥିଲା। ସେ​‌ କେବଳ ସାଗର, ସୋନୁ ଏବଂ କୁଖ୍ୟାତ ଅପରାଧୀ କାଲା ଜାଠେଡ଼ିଙ୍କୁ ଡରାଇବା ପାଇଁ ସାଗରଙ୍କୁ ପିଟିବାକୁ ଚାହୁଁଥିଲେ। ଉକ୍ତ ଘଟଣାରେ ମୋଟ ୧୩ ଜଣ ଲୋକ ସମ୍ପୃକ୍ତ ଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ପ୍ରମୁଖ ଅଭିଯୁକ୍ତ ସୁଶୀଲ କୁମାର ଓ ଅଜୟ କୁମାରଙ୍କୁ ପୁଲିସ ଗିରଫ କରିଥିବା ବେଳେ ବାକି ୪ ଜଣଙ୍କୁ ଠାବ କରିସାରିଛି। ସେମାନେ ଶୀଘ୍ର ଗିରଫ ହେବେ। ହତ୍ୟା ଘଟଣା ପରେ ସୁଶୀଲ ଓ ଅଜୟ ୧୮ଦିନ ୭ଟି ରାଜ୍ୟରେ ଘୂରି ବୁଲିଥିଲେ। ଗତ ୨୩ରେ ସୁଶୀଲ ଓ ଅଜୟଙ୍କୁ ପୁଲିସ ଗିରଫ କରିଥିଲା। ପ୍ରଥମେ ସୁଶୀଲଙ୍କୁ ଅଦାଲତ ୬ଦିନର ପୁଲିସ ଜିମାରେ ଯିବାକୁ ଦେଇଥିବା ବେଳେ ପରେ ଆଉ ୪ଦିନ ପୁଲିସ ଜିମାରେ ଦେଇଛନ୍ତି।

Comments are closed.