ଲୋକେ ଯାହା କହନ୍ତୁ; ଟୋକିଓ ଅଲିମ୍ପିକ୍‍ସ ଲାଗି ପ୍ରସ୍ତୁତ ହେଉଛି: ସୁଶୀଲ

ନୂଆଦିଲ୍ଲୀ : ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ଉପରେ କ୍ଷୁବ୍‍ଧ ହୋଇଛନ୍ତି ଚମ୍ପିଆନ୍‍ ପହିଲମାନ ସୁଶୀଲ କୁମାର। ହରିୟାଣାର ଏହି ଭେଟେରାନ୍‍ ପହିଲମାନ କହିଛନ୍ତି, ମୋର ସମୟ ସରିଯାଇଛି ଏବଂ ମୁଁ ଆନ୍ତର୍ଜାତିକ ସ୍ତରରେ ପଦକ ଜିତି ପାରିବିନାହିଁ ବୋଲି ଲୋକେ କହିବା ସେମାନଙ୍କର ଏକ ନିୟମିତ ଅଭ୍ୟାସରେ ପରିଣତ ହୋଇଯାଇଛି। ତେବେ ଏହା ମୋତେ ଆଦୌ ପ୍ରଭାବିତ କରି ପାରିନାହିଁ କିମ୍ବା ଆଗକୁ କରିବ ନାହିଁ। ସମସ୍ତ କଥା ଭୁଲି ୨୦୨୧ରେ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍‍ସରେ ଭାଗନେବା ସହ ଏଥିରେ ଦେଶ ପାଇଁ ପଦକ ଜିତିବାର ଜୋରଦାର ପ୍ରସ୍ତୁତି ଚଳାଇଛି।

କୁସ୍ତି ଜୀବନର ଅପରାହ୍‍ଣରେ ପହଞ୍ଚି ସାରିଥିବା ସୁଶୀଲ କୁମାର ଟୋକିଓ ଅଲିମ୍ପିକ୍‍ସରେ ଭାଗନେବାକୁ ଯୋଗ୍ୟତା ଅର୍ଜନ ଲାଗି ସଂଘର୍ଷ କରୁଥିଲେ। ତେବେ ସାରାବିଶ୍ୱରେ କରୋନା ଭୂତାଣୁ ଏବେ ମହାମାରୀ ପାଲଟିଥିବା ବେଳେ ଟୋକିଓ ଅଲିମ୍ପିକ୍‍ସର ଆୟୋଜକ ଏହି କ୍ରୀଡ଼ା ମହାକୁମ୍ଭକୁ ବର୍ଷେ ଘୁଞ୍ଚାଇ ଦେଇଛନ୍ତି। ଏହା ସୁଶୀଲ କୁମାରଙ୍କ ଅଲିମ୍ପିକ୍‍ସ ଯୋଗ୍ୟତା ହାସଲ କରିବାର ଆଶାକୁ ପୁନଃ ଉଜ୍ଜୀବିତ କରିଛି। ଗଣମାଧ୍ୟମରେ ପ୍ରଚାର ହୋଇଥିଲା ଯେ ଚଳିତବର୍ଷ ଜୁଲାଇ-ଅଗଷ୍ଟରେ ହେବାକୁ ଥିବା ଅଲିମ୍ପିକ୍‍ସ କ୍ରୀଡ଼ା ପରେ ସୁଶୀଲ କୁମାର ଓ ଟେନିସ୍‍ ତାରକା ଲିଆଣ୍ଡର ପେସ୍‍ଙ୍କ ପରି ମହାନ୍‍ କ୍ରୀଡ଼ାବିତ୍‍ ଅବସର ଘୋଷଣା କରିବେ। ତେବେ ଅଲିମ୍ପିକ୍‍ସ ବର୍ଷେ ଘୁଞ୍ଚିଯିବା ପରେ ସେମାନଙ୍କ କ୍ରୀଡ଼ାଜୀବନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତଥାପି ୩୭ ବର୍ଷ ବୟସ୍କ ସୁଶୀଲ କୁମାର କହିଛନ୍ତି ଯେ ସେ ଅବସର ନେବେନାହିଁ। ସୁଶୀଲ କହିଛନ୍ତି, ବର୍ତ୍ତମାନ ପାଇଁ ତ କୁଆଡ଼େ ଯାଉନାହିଁ। ମୋତେ ଅଧିକ ସମୟ ମିଳିଗଲା। ଅଧିକ ସମୟର ଅର୍ଥ ହେଉଛି ଭଲଭାବେ ପ୍ରସ୍ତୁତ ହେବାର ସୁଯୋଗ ମିଳିଲା। କୁସ୍ତି ହେଉଛି ଏପରି ଏକ କ୍ରୀଡ଼ା; ଯେଉଁଥରେ ତୁମକୁ ଆହତହେବାରୁ ବଞ୍ଚି ଫିଟ୍‍ ରହିବାକୁ ପଡ଼ିବ। ତୁମକୁ କଠିନ ଅଭ୍ୟାସ କରିବାକୁ ପଡ଼ିବ। ଜୀବନରେ ଏକ ଲକ୍ଷ୍ୟ ରଖି ଏହାକୁ ହାସଲ କରିବା ପାଇଁ ଆଗେଇ ଯିବାକୁ ପଡ଼ିବ। ଏକମାତ୍ର ଭାରତୀୟ ଭାବେ ୨ଟି ବ୍ୟକ୍ତିଗତ ଅଲିମ୍ପିକ୍‍ସ ପଦକ ଜିତିଥିବା ବିଶ୍ୱବିଖ୍ୟାତ ପହିଲମାନ ସୁଶୀଲ କୁମାର ଆହୁରି କହିଛନ୍ତି, ଏବେ ଦିନକୁ ଦୁଇଥର ଅଭ୍ୟାସ କରୁଛି। ଏଥିରେ ଅଧିକ ସଫଳ ହେବାର ପ୍ରୟାସ କରୁଛି। ଈଶ୍ୱର ଚାହିଁଲେ ଟୋକିଓ ଅଲିମ୍ପିକ୍‍ସ ଲାଗି ଯୋଗ୍ୟତା ଅର୍ଜନ କରିପାରିବି। ସୂଚନାଯୋଗ୍ୟ; ସୁଶୀଲ କୁମାର ୭୪ କେଜି ଫ୍ରିଷ୍ଟାଇଲ ବର୍ଗରେ ପ୍ରତିଯୋଗିତା କରିଥାଆନ୍ତି। ଏହି ବର୍ଗରେ କୌଣସି ଭାରତୀୟ ଅଦ୍ୟାବଧି ଟୋକିଓ ଅଲିମ୍ପିକ୍‍ସ ଲାଗି ଯୋଗ୍ୟତା ଅର୍ଜନ କରି ପାରିନାହାନ୍ତି। ଏହି ଲକ୍ଷ୍ୟରେ ଅଛନ୍ତି ସୁଶୀଲ କୁମାର। ତେବେ ତାଙ୍କ ବୟସ ଅଧିକ ହୋଇଥିବାରୁ ଅଲିମ୍ପିକ୍‍ସ ଯୋଗ୍ୟତା ହାସଲ କଷ୍ଟକର ହେବ ବୋଲି ଅନେକ ଲୋକ କହୁଛନ୍ତି। ଏହାର ଜବାବରେ ସୁଶୀଲ କହନ୍ତି, ୨୦୧୧ରେ ମଧ୍ୟ ଲୋକେ ଏହା କହୁଥିଲେ। ଏହାର ମୁକାବିଲା କିପରି କରିହେବ; ତାହା ମୁଁ ଭଲଭାବେ ଜାଣିଛି। ୨୦୦୮ ଅଲିମ୍ପିକ୍‍ସରେ ସୁଶୀଲ କୁମାର ବ୍ରୋଞ୍ଜ୍‍ ପଦକ ଜିତିଥିଲେ। ତେବେ ୨୦୧୨ ଲଣ୍ଡନ୍‍ ଅଲିମ୍ପିକ୍‍ସରେ ସୁଶୀଲ ଏହି କୃତିତ୍ୱ ଦୋହରାଇବା ଅସମ୍ଭବ ବୋଲି ବହୁ ଭାରତୀୟ କହିଥିଲେ। ତେବେ ସେମାନଙ୍କୁ ଭୁଲ୍‍ ପ୍ରମାଣିତ କରିଥିଲେ ସୁଶୀଲ। ଲଣ୍ଡନ୍‍ ଅଲିମ୍ପିକ୍‍ସରେ ରୌପ୍ୟପଦକ ଜିତି ସୁଶୀଲ କୁମାର ଭାରତୀୟ କ୍ରୀଡ଼ା ଇତିହାସରେ ନୂତନ ଫର୍ଦ୍ଦ ଯୋଡ଼ିଥିଲେ। ସୁଶୀଲଙ୍କ ପାଇଁ ଏହା ମଧ୍ୟ ଏକ ଆହ୍ୱାନ ଯେ ତାଙ୍କୁ ଅଲିମ୍ପିକ୍‍ସ ଯୋଗ୍ୟତା ହାସଲ କରିବା ପାଇଁ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ନରସିଂହ ଯାଦବଙ୍କ ସହ ମୁକାବିଲା କରିବାକୁ ପଡ଼ିପାରେ। ଡ୍ରଗ୍‍ସେବନ ଅଭିଯୋଗରେ  ନରସିଂହ ୪ ବର୍ଷ ବାସନ୍ଦ ହୋଇଥିଲେ ଏବଂ ଜୁଲାଇରେ ତାଙ୍କ ବାସନ୍ଦ ମଧ୍ୟ ଉଠିଯିବ। ଫଳରେ ନରସିଂହ ମଧ୍ୟ ୭୪ କେଜି ଫ୍ରିଷ୍ଟାଇଲ ବର୍ଗରେ ଅଲିମ୍ପିକ୍‍ସ ଯୋଗ୍ୟତା ହାସଲ କରିବାକୁ ପ୍ରୟାସ କରିବେ। ଏବେଠାରୁ ମଧ୍ୟ ନରସିଂହ ଏହା କହି ସାରିଲେଣି। ଏଣେ ଭାରତୀୟ କୁସ୍ତି ମହାସଂଘ ମଧ୍ୟ ଟ୍ରାଏଲ୍‍ସ ପାଇଁ ନରସିଂହଙ୍କୁ ସୁଯୋଗ ଦିଆଯିବ ବୋଲି କହିଛି। ନିକଟରେ ଏସୀୟ କୁସ୍ତି ଚମ୍ପିଆନ୍‍ସିପରେ ୭୪ କେଜି ଫ୍ରିଷ୍ଟାଇଲ ବର୍ଗରେ ବ୍ରୋଞ୍ଜ୍‍ ପଦକ ଜିତିଥିବା ଜିତେନ୍ଦ୍ର କୁମାର ମଧ୍ୟ ଏହି ବର୍ଗରେ ଆଉ ଜଣେ ପ୍ରତିଦ୍ୱନ୍ଦ୍ୱୀ। ତେଣୁ ସୁଶୀଲଙ୍କ ୨୦୨୧ ଟୋକିଓ ଅଲିମ୍ପିକ୍‍ସରେ ଭାଗନେବା ସହଜ ହେବନାହିଁ।

Comments are closed.