ସୁଶାନ୍ତ କୁମାର ମହାନ୍ତି ‘ସମାଜ’ର କାର୍ଯ୍ୟକାରୀ ସଂପାଦକ

କଟକ: ଓଡ଼ିଶାର ସର୍ବପୁରାତନ ତଥା ଲୋକପ୍ରିୟ ଖବର କାଗଜ ‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ଭାବେ ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ମହାନ୍ତିଙ୍କୁ ସୋମବାର ଦାୟିତ୍ବ ପ୍ରଦାନ କରାଯାଇଛି। ‘ସମ୍ପାଦକ’ ବାମାପଦ ତ୍ରିପାଠୀଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଶ୍ରୀ ମହାନ୍ତିଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ‘ସମାଜ’ ପରିଚାଳନା ମଣ୍ଡଳୀର ନିଷ୍ପତ୍ତିକ୍ରମେ ଶ୍ରୀ ମହାନ୍ତି କାର୍ଯ୍ୟକାରୀ ସମ୍ପାଦକ ଭାବେ ଦ୍ବିତୀୟ ଥର ପାଇଁ ଦାୟିତ୍ବ ଗ୍ରହଣ କରିଛନ୍ତି। ୨୦୧୪ ମସିହାରେ ଶ୍ରୀ ମହାନ୍ତି କାର୍ଯ୍ୟକାରୀ ସମ୍ପାଦକ ଭାବେ ଦୀର୍ଘ ୨ ବର୍ଷ ୭ ମାସ ସଫଳତାର ସହ କାର୍ଯ୍ୟ କରିଥିଲେ। ସଂପ୍ରତି ସେ ‘ସମାଜ’ର ବାର୍ତ୍ତା ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ। ଗୋପବନ୍ଧୁ ଭବନ ପରିସର ସମ୍ମିଳନୀ କକ୍ଷରେ ସୋମବାର ଆୟୋଜିତ ଏକ ବୈଠକରେ ‘ସମାଜ’ର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ପରିଚାଳନା ବୋର୍ଡର ଏହି ନିଷ୍ପତ୍ତି ସଂପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବିଭାଗୀୟ ପରିଚାଳକଗଣ, ସମ୍ପାଦନା ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ଉପସ୍ଥିତିରେ ସୁଶାନ୍ତ ମହାନ୍ତି ନୂତନ ଦାୟିତ୍ବ ଗ୍ରହଣ କରିଛନ୍ତି। ‘ସମାଜ’ ପରିଚାଳନାମଣ୍ଡଳୀ କର୍ତ୍ତୃପକ୍ଷ ତାଙ୍କୁ ଏହି ଦାୟିତ୍ବ ପ୍ରଦାନ କରିଥିବାରୁ ସେ ଲୋକସେବକ ମଣ୍ଡଳ ସଭାପତି ତଥା ‘ସମାଜ’ ପରିଚାଳନା ମଣ୍ଡଳୀର ଅଧ୍ୟକ୍ଷ ଦୀପକ ମାଲବ୍ୟ, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ପ୍ରକାଶକ, ମୁଦ୍ରାକର ନିରଞ୍ଜନ ରଥ ଓ ‘ସମାଜ’ ପରିଚାଳନା ମଣ୍ଡଳୀର କାର୍ଯ୍ୟନିର୍ବାହୀ ସମ୍ପାଦକ ଭୀମସେନ୍ ଯାଦବଙ୍କୁ କୃତଜ୍ଞତା ଜଣାଇଛନ୍ତି।

Comments are closed.