ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ପ୍ରସଙ୍ଗରେ ନୂଆ ମୋଡ : ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏତଲା ଦାୟର କଲେ ସୁଶାନ୍ତଙ୍କ ପିତା

ମୁମ୍ବଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ପ୍ରସଙ୍ଗ ନୂଆ ମୋଡ ଧାରଣ କରିଛି। ସଦ୍ୟତମ ଖବର ଅନୁଯାୟୀ, ସୁଶାନ୍ତଙ୍କ ପିତା  ପାଟଣା ରାଜୀବନଗର ଥାନାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫଆଇଆର ଦାୟର କରିଛନ୍ତି।  ସୁଶାନ୍ତଙ୍କ ପିତା ଏଫଆଇଆରରେ ଉଲ୍ଲେଖ କରିଛନ୍ତି ଯେ ସୁଶାନ୍ତ ସିଂହଙ୍କୁ ପ୍ରେମ ଜାଲରେ ଫସାଇ ରିୟା ଚକ୍ରବର୍ତ୍ତୀ ତାଙ୍କ ଠାରୁ ଟଙ୍କା ଆଦାୟ କରିବା ଓ ଆତ୍ମହତ୍ୟା ପାଇଁ ତାଙ୍କୁ ଉସୁକାଇଥିଲେ। ସୁଶାନ୍ତଙ୍କ ପିତାଙ୍କ ଏଫଆଇଆର ଆଧାରରେ ରାଜୀବନଗର ଥାନାରେ ରିୟାଙ୍କ ବିରୋଧରେ କେସ୍ ନମ୍ବର ୨୪୧/୨୦ରେ ଆଇପିସିର ଧାରା ୪୦୬,୪୨୦,୩୪୧,୩୨୩,୨୪୨ ରେ ମାମଲା ରୁଜୁ କରିଛି। ଏହି ମାମଲାରେ ପାଟଣା ରାଜୀବନଗର ଥାନାର ୪ ଜଣ ପୁଲିସ ମୁମ୍ବଇ ଯାଇଛନ୍ତି ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ମୁମ୍ବାଇ ପୋଲିସ ଦ୍ୱାରା ପଚରାଉଚରା ହୋଇଥିବା ପ୍ରଥମ ଲୋକମାନଙ୍କ ମଧ୍ୟରୁ ରିୟା ଅନ୍ୟତମ। ମୁମ୍ବଇ ପୁଲିସ ରିୟା ଚକ୍ରବର୍ତ୍ତୀଙ୍କୁ ପାଖାପାଖି ୧୧ ଘଣ୍ଟା ଜେରା କରିଥିଲା।

ଏହାପୂର୍ବରୁ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଅକାଳ ବିୟୋଗରେ ସିବିଆଇ ତଦନ୍ତ ପାଇଁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅନୁରୋଧ କରିଥିଲେ। ରିଆ ଲେଖିଥିଲେ “ସମ୍ମାନିତ @ amitshahofficial ସାର୍, ମୁଁ ସୁଶାନ୍ତ ସିଂ ରାଜପୁତ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ହଠାତ୍ ଦେହାନ୍ତ ହେବାର ଏକ ମାସ ବିତିଗଲାଣି । ମୋର ସରକାରଙ୍କ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି, ତଥାପି ନ୍ୟାୟ ଦୃଷ୍ଟିରୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଏହି ପ୍ରସଙ୍ଗରେ ସିବିଆଇ ତଦନ୍ତ ଆରମ୍ଭ କରିବାକୁ । ମୁଁ କେବଳ ବୁଝିବାକୁ ଚାହୁଁଛି ଯେ ସୁଶାନ୍ତଙ୍କୁ ଏହି ପଦକ୍ଷେପ ନେବାକୁ କେଉଁ ଚାପ ପ୍ରେରିତ କରିଛି।

ଗତକାଲି ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟ ମୁମ୍ବଇ ପୁଲିସ ନିକଟରେ ତାଙ୍କ ବିବୃତ୍ତି ରେକର୍ଡ କରିଥିବାବେଳେ ଆଜି ଧର୍ମା ପ୍ରଡକ୍ସନ୍ସର ସିଇଓ ଆମ୍ବୋଲି ପୁଲିସ ଷ୍ଟେସନରେ ପହଞ୍ଚିଥିଲେ। ଆପୋର୍ଭା ମେହେଟ୍ଟା କରଣ ଜୋହରଙ୍କ ପ୍ରଡକ୍ସନ୍ ହାଉସର ମୁଖ୍ୟ ଅଟନ୍ତି ଏବଂ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ପୁଲିସ ତାଙ୍କୁ ଡକାଇଥିଲା। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ପୁଲିସ କରଣ ଜୋହାରଙ୍କୁ ମଧ୍ୟ ତାଙ୍କ ବିବୃତ୍ତି ରେକର୍ଡ କରିବା ପାଇଁ ଡକାଇବାର ସମ୍ଭାବନା ରହିଛି। ତଦନ୍ତ ସମୟରେ ସହଯୋଗ କରିବାକୁ ଇଚ୍ଛା ପ୍ରକାଶ କରିଥିବା କଙ୍ଗନ ରାନାୱତଙ୍କ ବିବୃତି ଖୁବ୍ ଶିଘ୍ର ମୁମ୍ବଇ ପୁଲିସ ରେକର୍ଡ କରିବ ବୋଲି ଜଣାପଡିଛି।

ସୁଶାନ୍ତ ସିଂହ ରାଜପୁତ ଜୁନ ୧୪ ତାରିଖରେ ନିଜର ବାନ୍ଦ୍ରା ସ୍ଥିତ ଘରେ ଆତ୍ମହତ୍ୟା କରିଥିଲେ । ପୁଲିସକୁ କୌଣସି ସୁଇସାଇଡ ନୋଟ ମିଳିନଥିଲା। ତାଙ୍କ ପୋଷ୍ଟ ମର୍ଟମ ରିପୋର୍ଟରେ ଜଣାପଡିଥିଲା ତାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ମିଳିନଥିଲା । ବେକରେ ଫାସୀ ଲଗାଇଥିବା ଯୋଗୁଁ ଅଣନିଶ୍ୱାସୀ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟ ମର୍ଟମ ରିପୋର୍ଟରେ କୁହାଯାଇଥିଲା । ଏହାପରେ ସୁଶାନ୍ତଙ୍କ ପ୍ରୋଭିଜନାଲ ଵିସରା ରିପୋର୍ଟ ସାମ୍ନାକୁ ଆସିଥିଲା । ତାଙ୍କ ଶରୀରରୁ କୌଣସି ପ୍ରକାର କେମିକାଲ କିମ୍ବା ବିଷାକ୍ତ ପଦାର୍ଥ ମିଳିନଥିବା ରିପୋର୍ଟରେ କୁହାଯାଇଥିଲା । ବର୍ତ୍ତମାନ ସୁଶାନ୍ତ ସିଂହଙ୍କ ଫାଇନାଲ ଵିସରା ରିପୋର୍ଟ ସାମ୍ନାକୁ ଆସିଛି । ଫାଇନାଲ ଵିସରା ରିପୋର୍ଟ କୌଣସି ପ୍ରକାର ଗଡବଡୀ ହୋଇନଥିବା ପୋଲିସ ସ୍ୱୀକାର କରିଛି । ବର୍ତ୍ତମାନ ପୋଲିସ ସୁଶାନ୍ତ ସିଂହଙ୍କ ପେଟ ଓ ନଖର ଫରେନସିକ ରିପୋର୍ଟକୁ ଅପେକ୍ଷା କରିଛି ।

Comments are closed.