ସୁଶାନ୍ତଙ୍କ ପାଟଣା ଘର ପାଲଟିବ ସ୍ମାରକ ସ୍ଥଳୀ; ସ୍ଥାପନା ହେବ ସୁଶାନ୍ତ ସିଂହ ରାଜପୁତ ଫାଉଣ୍ଡେସନ

ମୁମ୍ବଇ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୧୩ ଦିନ ବିତି ଗଲାଣି। ଇତି ମଧ୍ୟରେ ପରିବାର ବର୍ଗ ଶୁଦ୍ଧି କର୍ମ ଶେଷ କରିବା ସହ ସୁଶାନ୍ତଙ୍କୁ ନେଇ ବୟାନ ଜାରି କରିଛନ୍ତି। ପରିବାର ଲୋକେ ତାଙ୍କୁ ଗୁଲଶନ ଡାକୁଥିଲେ। ଗୁଲଶନକୁ ସେମାନେ ବହୁତ ଝୁରୁଛନ୍ତି, ତାଙ୍କ ସ୍ଥାନ ସର୍ବଦା ଅପୂରଣୀୟ ରହିବ ବୋଲି କହିବା ସହ ଆଉ ଏକ ବଡ଼ ଘୋଷଣା କରିଛନ୍ତି।
ସୁଶାନ୍ତଙ୍କ ସ୍ମୃତିରେ ତାଙ୍କ ପାଟଣା ସ୍ଥିତ ଘରକୁ ସ୍ମାରକ ସ୍ଥଳୀରେ ପରିଣତ କରାଯିବ। ଯେଉଁଥିରେ ତାଙ୍କ ପ୍ରିୟ ପୁସ୍ତକ ଓ ବହୁମୂଲ୍ୟ ସାମଗ୍ରୀମାନ ରଖାଯିବ। ଏହାସହିତ ସୁଶାନ୍ତ ସିଂହ ରାଜପୁତ ଫାଉଣ୍ଡେସନ(ଏସଏସଆରଏଫ)ର ସ୍ଥାପନା କରାଯିବ। ଏହି ଫାଉଣ୍ଡେସନ ସିନେମା, କ୍ରୀଡା ଏବଂ ବିଜ୍ଞାନରେ ରୁଚି ରଖୁଥିବା ଯୁବପିଢ଼ିଙ୍କୁ ସାହାଯ୍ୟ ଓ ସମର୍ଥନ କରିବ। କାରଣ ଏହି ୩ଟି କ୍ଷେତ୍ର ପ୍ରତି ସୁଶାନ୍ତଙ୍କର ସବୁଠୁ ଅଧିକ ଭଲପାଇବା ଥିଲା ବୋଲି ପରିବାର ପକ୍ଷରୁ କୁହାଯାଇଛି।

Comments are closed.