ସୁଶାନ୍ତ ସିଂ ରାଜପୁତ ମାମଲା, ଚଳଚ୍ଚିତ୍ର ନିର୍ମାତା ଦିନେଶ ବିଜନ୍‍ଙ୍କ ବାସଭବନ ଉପରେ ଚଢ଼ାଉ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୁଶାନ୍ତ ସିଂ ରାଜପୁତ ମାମଲାରେ ଜଣେ ଚଳଚ୍ଚିତ୍ର ନିର୍ମାତା ଦିନେଶ ବିଜନ୍‍ଙ୍କ ବାସଭବନ ଓ କାର୍ଯ୍ୟାଳୟ ପରିସରରେ ଖାନତଲାସି କରିଛି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ସହ ଜଡ଼ିତ କଳାଧନ ମାମଲାରେ ଏହି ଖାନତଲାସି କରାଯାଇଛି। କଳାଧନ ନିବାରଣ ଆଇନ ଅଧୀନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତକାଲି ତାଙ୍କର ମୁମ୍ବାଇସ୍ଥିତ ବାସଭବନ ଓ କାର୍ଯ୍ୟାଳୟରେ ଖାନତଲାସି କରିଛି। ଇଡି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଜନଙ୍କୁ ପୂର୍ବରୁ ଜେରା କରାଯାଇଥିଲା। ଜେରା ସମୟରେ ସୁଶାନ୍ତ ରାଜପୁତଙ୍କୁ ଦିଆଯାଇଥିବା ଅର୍ଥ ଓ କଣ୍ଟ୍ରାକ୍ଟ ବିଷୟରେ ପ୍ରଶ୍ନ କରାଯାଇଥିଲା। ବିଜନ ହିନ୍ଦୀ ଚଳଚ୍ଚିତ୍ର ‘ରାବ୍‍ତା’ର ନିର୍ମାତା ଓ ନିର୍ଦ୍ଦେଶକ ଥିଲେ ଏବଂ ଏହି ଚଳଚ୍ଚିତ୍ର ୨୦୧୭ ମସିହାରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ସୁଶାନ୍ତ ସିଂ ରାଜପୁତ ଓ କୀର୍ତ୍ତି ସାନନ୍‍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ରାଜପୁତଙ୍କ ପିତା ଦାୟର କରିଥିବା ଏତଲାକୁ ଭିତ୍ତିକରି ଇଡି କଳାଧନ ମାମଲା ରୁଜୁ କରିଥିଲା। ରାଜପୁତଙ୍କ ବାନ୍ଧବୀ ତଥା ଲିଭ୍‍-ଇନ୍‍-ପାର୍ଟନର ରିୟା ଚକ୍ରବର୍ତ୍ତୀ ଓ ଅନ୍ୟମାନଙ୍କ ବିରୁଦ୍ଧରେ ଏତଲାରେ ଅଭିଯୋଗ କରାଯାଇଥିଲା। ସେମାନେ ରାଜପୁତଙ୍କ ସହ ଠକେଇ କରିଥିଲେ ଓ ତାଙ୍କର ଆତ୍ମହତ୍ୟା ପାଇଁ ସେମାନେ ଦାୟୀ ବୋଲି ଏତଲାରେ ଅଭିଯୋଗ କରାଯାଇଥିଲା।

Comments are closed.