ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ରହସ୍ୟ: ସକାଳ ସାଢ଼େ ୯ଟା ପର୍ଯ୍ୟନ୍ତ ସବୁକିଛି ସ୍ବାଭାବିକ ଥିଲା, ତା ପରେ…

ନିଜ ବାହାଘର ଫଟୋ ପୋଷ୍ଟ କରି ସୁଶାନ୍ତଙ୍କୁ ମନେ ପକାଇଲେ ଆଇଜି ଅମିତାଭ ଠାକୁର

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ କାହିଁକି ଆତ୍ମହତ୍ୟା କଲେ? କଣ ପାଇଁ ସେ ଏପରି ପଦକ୍ଷେପ ନେଲେ ତାହା ଅନେକଙ୍କ ପାଇଁ ଅବୋଧ୍ୟ । ସକାଳ ୯ଟା ପର୍ଯ୍ୟନ୍ତ ସବୁକିଛି ସ୍ବାଭାବିକ ଥିଲା, ତା ପରେ କାହିଁକି  କବାଟ ବନ୍ଦ କରିଦେଇଥିଲେ ସୁଶାନ୍ତ ? ଏହାର ଉତ୍ତର ଖୋଜିବାକୁ ଚେଷ୍ଟା କରୁଛି ପୁଲିସ ।

ଘଟଣା ଥିଲା କିପରି ?  

ସୁଶାନ୍ତ ସବୁଦିନ ପ୍ରାୟ ୬ଟା ବେଳକୁ ଉଠନ୍ତି । ଆଜି ବି ସ୍ବାଭାବିକ ଭାବରେ ସେ ସକାଳ ୬ଟାରେ ଉଠିଥିଲେ । ଏହାପରେ ନିତ୍ୟକର୍ମ ସାରି ଡ଼ାଳିମ୍ବ ରସ ପିଇଥିଲେ । ସବୁ କିଛି ଥିଲା ଠିକ୍ । ଘରେ ଆଉ ୩ ଜଣ ମଧ୍ୟ ଥିଲେ । ସୁଶାନ୍ତଙ୍କଠାରେ କୌଣସି ବିଲକ୍ଷଣ ଦେଖା ଯାଇ ନ ଥିଲା । ସେ ପ୍ରାୟ ସାଢ଼େ ୯ଟା ବେଳକୁ ଡ଼ାଳିମ୍ବ ଜୁସ୍ ପିଇଥିଲେ ଓ ଏହାପରେ ନିଜ କୋଠରୀକୁ ଚାଲି ଯାଇଥିଲେ ।

କବାଟ ଭିତରୁ ବନ୍ଦ ଥିଲା 

ମଧ୍ୟାହ୍ନ ଭୋଜନରେ କ’ଣ ରୋଷେଇ ହେବ ସେ ସମ୍ପର୍କରେ ରୋଷେଇଆ ସୁଶାନ୍ତଙ୍କ ପାଖକୁ ଯାଇଥିଲା ଦିନ ସାଢ଼େ ୧୧ଟା ବେଳକୁ । ମାତ୍ର କବାଟ ଭିତରୁ ବନ୍ଦ ଥିଲା ଓ କିଛି ଶବ୍ଦ ଆସୁ ନ ଥିଲା । କିଛି ସମୟ କବାଟ ବାଡ଼େଇବା ପରେ ଯେତେବେଳେ କବାଟ ନ ଖୋଲିଲା ସେତେବେଳେ ରୋଷେଇଆ ଫେରି ଆସିଥିଲା । ଭାବିଥିଲା ସୁଶାନ୍ତ ବୋଧେ ନିଦରେ ଶୋଇ ଯାଇଛନ୍ତି । ମାତ୍ର ମଧ୍ୟାହ୍ନ ଭୋଜନ କରିବାକୁ ଯେତେବେଳେ ସୁଶାନ୍ତ ନିଜ କୋଠରୀରୁ ନ ବାହାରିଲେ ସେତେବେଳେ ରୋଷେଇଆ ଭୟ ପାଇ ଯାଇଥିଲା । ସେଠାରେ ଥିବା ଅନ୍ୟ ଜଣେ ବ୍ୟକ୍ତି (ସୁଶାନ୍ତଙ୍କ କ୍ରିଏଟିଭ୍ ମ୍ୟାନେଜର)ଙ୍କୁ ଧରି ସେ ପୁଣି କୋଠରୀ ନିକଟକୁ ଯାଇ କବାଟ ପିଟିଥିଲେ ।

ଭଉଣୀଙ୍କୁ ଫୋନ୍ କରାଗଲା 

ସୁଶାନ୍ତ କବାଟ ନ ଖୋଲିବାରୁ ତାଙ୍କର ଭଉଣୀଙ୍କୁ ଫୋନ୍ କରା ଯାଇଥିଲା । ଭଉଣୀ ଆସିବା ପୂର୍ବରୁ ଚାବିବାଲାକୁ ମଧ୍ୟ ଡ଼କା ଯାଇଥିଲା ଏବଂ ଚାବିବାଲା ଚାବି ଖୋଲିବା ବେଳକୁ ସୁଶାନ୍ତଙ୍କ ଶରୀର ଝୁଲୁଥିବା ଦେଖା ଯାଇଥିଲା । ସେମାନେ ତୁରନ୍ତ ତାଙ୍କୁ ଖୋଲି ତଳକୁ ଆଣିଥିଲେ । ମାତ୍ର ସେତେବେଳକୁ ସୁଶାନ୍ତଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା ।

ଦିନ ୨ଟା ବେଳକୁ ପୁଲିସକୁ ସୂଚନା 

ସୁଶାନ୍ତଙ୍କ ମୃତ୍ୟ ଖବର ପୁଲିସକୁ ପ୍ରାୟ ଦିନ ୨ଟାରେ ସୂଚନା ମିଳିଥିଲା । ମୁମ୍ବାଇ ପୁଲିସ କମିଶନର ପ୍ରାୟ ୨ଟା ବେଳକୁ ସୁଶାନ୍ତଙ୍କ ମୃତ୍ୟୁ ଖବର ସଂକ୍ରାନ୍ତ ଏକ ଫୋନ୍ ପାଇଥିଲେ । ଏହାପରେ ସେ ଜଣେ ଡ଼ିସିପି ଓ ବାନ୍ଦ୍ରା ପୁଲିସ ଥାନା କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ । ପୁଲିସ ପହଞ୍ଚିବା ବେଳକୁ ସୁଶାନ୍ତଙ୍କ ଭଉଣୀ ମଧ୍ୟ ସେଠାରେ ପହଞ୍ଚି ସାରିଥିଲେ । ସୁଶାନ୍ତଙ୍କ କ୍ରିଏଟିଭ୍ ମ୍ୟାନେଜର, ରୋଷେଇଆ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।

ସୁଶାନ୍ତଙ୍କ ମୋବାଇଲ ଫୋନ୍ ଜବତ

ପୁଲିସ ସୁଶାନ୍ତ ସିଂହ ରାଜପୁତଙ୍କ ମୋବାଇଲ୍ ଫୋନ ଜବତ କରିଛି । ମାତ୍ର ଏହା ଲକ୍ ହୋଇଥିବାରୁ ତାହାକୁ ଖୋଲାଯାଇ ପାରିନାହିଁ । ସାଇବର ବିଶେଷଜ୍ଞଙ୍କ ସହାୟତା ନିଆଯାଇ ଏହାକୁ ଖୋଲାଯିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି । ତେବେ ଏହି ଘଟଣା ଆତ୍ମହତ୍ୟା ବ୍ୟତୀତ ଅନ୍ୟ କିଛି ଦିଗ ସମ୍ପର୍କରେ ପୁଲିସ ସୂଚନା ପାଇନାହିଁ ବୋଲି ଏହି ଅଧିକାରୀ କହିଛନ୍ତି ।

ଅପରପକ୍ଷରେ ସୁଶାନ୍ତ ସିଂହ ରାଜପୁତଙ୍କ ସ୍ମୃତି ରୋମନ୍ଥନ କରିଛନ୍ତି ଓଡ଼ିଶା କ୍ୟାଡ଼ର ଆଇପିଏସ୍ ତଥା ଆଇଜି ଅମିତାଭ ଠାକୁର। ତାଙ୍କ ବାହାଘର ଫଟୋ ଟ୍ବିଟ୍ କରି ଏହି ଦିନ ସୁଶାନ୍ତ ଜୋରଦାର ନାଚିଥିବା କଥା ଉଲ୍ଲେଖ କରିଛନ୍ତି ଶ୍ରୀ ଠାକୁର

Comments are closed.