ରହସ୍ୟ ଘେରରେ ଏକ ଉଦୀୟମାନ ତାରକାର ଅପମୃତ୍ୟୁ

ଉଦୀୟମାନ ତାରକା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁଘଟଣା ଧୀରେଧୀରେ ବଲିଉଡ଼ ସିନେମାର କୌଣସି ଥ୍ରୀଲର୍‌ ଭଳି ରହସ୍ୟମୟ ହେଉଛି। ସିବିଆଇ ତଦନ୍ତ କ’ଣ ସେହି ରହସ୍ୟର ଉନ୍ମୋଚନ କରିପାରିବ?

ସୁଶାନ୍ତ ସିଂହ ରାଜପୁତ। କେବଳ ଜଣେ ସାଧାରଣ ସିନେ ଅଭିନେତା ନଥିଲେ। ସେ ଥିଲେ ଅନ୍ୟମାନଙ୍କଠାରୁ ବେଶ୍ ସ୍ବତନ୍ତ୍ର, ଯିଏ ସୁଟିଂ ସେଟ୍‌କୁ ବିଜ୍ଞାନ ଗବେଷଣା ବହି ଧରି ଯାଉଥିଲେ ଓ ଟିକିଏ ସମୟ ମିଳିଲେ ପଢ଼ୁଥିଲେ; ଘରେ ରଖିଥିଲେ ଏକ ବଡ଼ ଟେଲିସ୍କୋପ୍‌, ଯେଉଁଥିରେ ସେ ରାତିରେ ସୁଦୂର ନକ୍ଷତ୍ରଗୁଡ଼ିକର ଗତିବିଧିକୁ ଲକ୍ଷ୍ୟ କରୁଥିଲେ। ଘରେ ସଜାଡ଼ି ରଖିଥିଲେ ଏକ ବଡ଼ ଲାଇବ୍ରେରୀ। ଇଞ୍ଜିନିୟରିଂ ପାଠ ପଢ଼ିଥିଲେ ବି ଅଭିନୟ ଥିଲା ତାଙ୍କର ନିଶା। ଏପରିକି ଟେଲିଭିଜନ ଧାରାବାହିକରୁ ଆସି ପ୍ରଥମ ଚଳଚ୍ଚିତ୍ର ‘କାଇ ପୋ ଚେ’କୁ ସୁପର୍‌ହିଟ୍‌ ଚଳଚ୍ଚିତ୍ର ଭାବେ ଗଢ଼ିତୋଳିଥିଲେ। ଏହା ପରଠୁ ତାଙ୍କର ଅଧିକାଂଶ ଚଳଚ୍ଚିତ୍ର ଦର୍ଶକଙ୍କ ପ୍ରିୟ ପାଲଟିଥିଲା। ତେବେ ଜୁନ ୧୪ରେ ମୁମ୍ବଇର ନିଜ ଫ୍ଲାଟରେ ତାଙ୍କର ମୃତଦେହ ମିଳିଲା। ପାରିବେଶିକ ସ୍ଥିତିରୁ ସେତେବେଳେ କୁହାଯାଇଥିଲା ଯେ ସେ ଆତ୍ମହତ୍ୟା କରିଛନ୍ତି; କିନ୍ତୁ ଧୀରେଧୀରେ ଏହା ଆତ୍ମହତ୍ୟା ନୁହେଁ, ହତ୍ୟା ବୋଲି ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ତେଣୁ ରହସ୍ୟ ମଧ୍ୟ ବଢ଼ୁଛି। ଜୁଲାଇ ୨୫ରେ ବିହାରର ପାଟନା ଥାନାରେ ସୁଶାନ୍ତଙ୍କ ପରିବାର ଏତଲା ଦେବାପରେ ମାମଲାଟି ଗମ୍ଭୀର ରୂପ ନେଇଛି।

ରହସ୍ୟମୟ ମୃତ୍ୟୁ

ଉଦୀୟମାନ ତାରକା ସୁଶାନ୍ତଙ୍କ ଅକସ୍ମାତ୍‌ ମୃତ୍ୟୁ ତାଙ୍କର ଅଗଣିତ ପ୍ରଶଂସକଙ୍କୁ ମର୍ମାହତ କରିଥିଲା। ସାରା ଭାରତରେ ଏହା ଚର୍ଚିତ ହୋଇଥିଲା। କେତେକ ଏହାକୁ ‘ମୁଭି ମାଫିଆ’ଙ୍କର କାରସାଦିରୁ ତାଙ୍କର ମୃତ୍ୟୁ ହୋଇଥିବା କହିଥିଲେ। ସୁଶାନ୍ତଙ୍କୁ ମାତ୍ର ୬ ମାସ ଭିତରେ ପ୍ରାୟ ଦଶଟି ଫିଲ୍ମରୁ ବାହାର କରିଦିଆଯିବା ତାଙ୍କର ଆତ୍ମହତ୍ୟାର କାରଣ ଭା​‌େ​‌ବ କେହିକେହି ଦର୍ଶାଇଲେ। ତେବେ ତାଙ୍କ ମୃତ୍ୟୁର ଚାଳିଶ ଦିନ ପରେ ସୁଶାନ୍ତଙ୍କ ପରିବାର ଏତଲା ଦେଲେ। ଏହାପରେ ସୁଶାନ୍ତଙ୍କ ବାନ୍ଧବୀ ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ଉପରେ ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହୋଇଛି। ସୁଶାନ୍ତଙ୍କ ବାପା କୃଷ୍ଣକିଶୋର ସିଂହ ରିଆ ତାଙ୍କ ପୁଅଠାରୁ ୧୫ କୋଟି ଟଙ୍କା ହେର୍‌ଫେର୍‌ କରି ନେଇଥିବା ଏବଂ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବାର ସଂଗିନ ଅଭିଯୋଗ କରିଛନ୍ତି। ଇତିମଧ୍ୟରେ ଏହି କାହାଣୀରେ ବହୁ ଉପକାହାଣୀ ପ୍ରତିଦିନ ଯୋଡ଼ି ହେବାରେ ଲାଗିଛି। ଧୀରେଧୀରେ ଦୁଇ ରାଜ୍ୟ ଭିତରେ ଏହାକୁ ନେଇ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଯାଇଥିବାବେଳେ ଅଗଷ୍ଟ ୧୯ରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ସିବିଆଇ ତଦନ୍ତ ନିର୍ଦେଶ ଦେବାପରେ ଏହାର ଗୁରୁତ୍ବ ବଢ଼ିଯାଇଛି। ବର୍ତ୍ତମାନ ‘ଆତ୍ମହତ୍ୟା’ ବଦଳରେ ‘ହତ୍ୟା’ ଶବ୍ଦ ବେଶି ଶୁଣିବାକୁ ମିଳୁଛି। ତେବେ ସିବିଆଇ ପାଇଁ ଏହି ମୃତ୍ୟୁର ରହସ୍ୟଭେଦ ନିଶ୍ଚୟ ସହଜ ହେବନାହିଁ।

ସୁଶାନ୍ତଙ୍କର କିଛି ମାନସିକ ରୋଗ ଥିଲା?

ମୁମ୍ବଇ ପୁଲିସ ଅନୁସାରେ ସୁଶାନ୍ତଙ୍କର କିଛି ମାନସିକ ରୋଗ ଥିଲା ବା ସେ ଗଭୀର ଅବସାଦଗ୍ରସ୍ତ ଥିଲେ, ଯାହା ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା; କିନ୍ତୁ ମୁମ୍ବଇ ପୁଲିସର ଏହି ଯୁକ୍ତିଙ୍କୁ ତାଙ୍କ ପରିବାର ଗ୍ରହଣ କରିନାହାନ୍ତି। ସୁଶାନ୍ତ ତାଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟ୍‌ରେ ୫୦ଟି ଡ୍ରିମ୍‌ ପ୍ରୋଜେକ୍ଟ ବିଷୟରେ ଉଲ୍ଲେଖ କରିବା ସହ ଜଣେ ବହୁଆୟାମୀ ବ୍ୟକ୍ତିତ୍ବ ଥିଲେ। ସେ ଆତ୍ମହତ୍ୟା କରିଥିବା କଥା କାହାର ବିଶ୍ବାସ ହେଉନାହିଁ। ତେବେ ନିଜକୁ ସୁଶାନ୍ତଙ୍କ ‘ଲିଭ୍‌-ଇନ ପାର୍ଟନର’ ଭାବେ ଚିତ୍ରଣ କରୁଥିବା ରିଆ ଚକ୍ରବର୍ତ୍ତୀ ଗତ ଆଠ ମାସ ଭିତରେ ତାଙ୍କ ମଧ୍ୟରେ ଗମ୍ଭୀର ମାନସିକ ଅବସାଦ ଆସିଥିବା କହିଛନ୍ତି। ଅକ୍ଟୋବର ୨୦୧୯ରେ ସେ, ତାଙ୍କ ଭାଇ ଓ ସୁଶାନ୍ତ ଇଉରୋପ ଗସ୍ତ କରିଥିଲେ ଓ ସେତେବେଳେ ତାହା ସେ ଲକ୍ଷ୍ୟ କରିଥିଲେ। ମାର୍ଚ ୨୦୨୦ ମଧ୍ୟରେ ସେ ଚାରି ଜଣ ଡାକ୍ତରଙ୍କ ସହ ଏ ବିଷୟରେ ପରାମର୍ଶ କରିଥିଲେ ବୋଲି ରିଆ କହିଛନ୍ତି।

ରିଆଙ୍କ ସହ ସଂପର୍କ ଆତ୍ମହତ୍ୟାର କାରଣ କି?

୩୪ ବର୍ଷୀୟ ଅଭିନେତା ସୁଶାନ୍ତ ଓ ରିଆଙ୍କ ସଂପର୍କ ଘନିଷ୍ଠ ହୋଇଥିଲା ୨୦୧୯ ଏପ୍ରିଲରୁ ସେମାନେ ‘ଡେଟିଂ’ରେ ଯିବାପରେ; ଯଦିଓ ୨୦୧୨ରୁ ସେମାନେ ପରିଚିତ। ୟଶ୍‌ରାଜ ଫିଲ୍ମସ ପକ୍ଷରୁ ସୁଶାନ୍ତଙ୍କୁ ଏକାବେଳକେ ତିନିଟି ଫିଲ୍ମପାଇଁ ଚୁକ୍ତିବଦ୍ଧ କରାଯାଇଥିଲା ଏବଂ ରିଆଙ୍କୁ ଗୋଟିଏ ଫିଲ୍ମ ‘ମେରେ ଡାଡ୍‌ କି ମାରୁତି’ ପାଇଁ, ଯାହା ଫ୍ଲପ୍‌ ହୋଇଥିଲା। ସେତେବେଳେ ସୁଶାନ୍ତ ପବିତ୍ର ରିସ୍ତା ସହଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସହ ଲିଭ୍‌-ଇନ୍‌ ସମ୍ପର୍କରେ ରହୁଥିଲେ। ପରେ ସୁଶାନ୍ତଙ୍କ ‘ଏମ୍‌ଏସ୍‌ ଧୋନି: ଦି ଅନ୍‌ଟୋଲ୍‌ଡ ଷ୍ଟୋରି’, ‘କେଦାରନାଥ’, ‘ଛିଛୋରେ’ ଆଦି ଚଳଚ୍ଚିତ୍ର ହିଟ୍‌ ହୋଇଥିଲା। ସେ ଯାହାହେଉ ରିଆ ୨୦୧୯ ଡିସେମ୍ବରରେ ବାନ୍ଦ୍ରା ଆପାର୍ଟମେଣ୍ଟକୁ ଆସି ଜୁନ ୮ ପର୍ଯ୍ୟନ୍ତ ସୁଶାନ୍ତଙ୍କ ସହ ରହୁଥିଲେ। ସୁଶାନ୍ତଙ୍କ ବାପା ରିଆଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି। ଏହାପରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ତଦନ୍ତ କରାଯାଉଛି। ଅନେକ ବିଶ୍ବାସ କରୁଛନ୍ତି ଯେ ରିଆ ସୁଶାନ୍ତଙ୍କ ଅନେକ କଥା ବୁଝିବା ସହ ତାଙ୍କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିଥିଲେ। ତାଙ୍କଠାରୁ ସୁଶାନ୍ତ ଶେଷ ମୁହୂର୍ତ୍ତରେ ମୁକ୍ତି ଚାହୁଁଥିଲେ। ଏବେ ରିଆ ଓ ଡ୍ରଗ୍‌ ବ୍ୟବସାୟୀଙ୍କ ହ୍ବାଟ୍‌ସଆପ୍‌ ଚାଟ୍‌ ଭାଇରାଲ୍‌ ହେବାପରେ ଘଟଣା ଅଧିକ ରହସ୍ୟଜନକ ହୋଇଛି। ସେହିପରି ସୁଶାନ୍ତଙ୍କ ମୁଣ୍ଡରେ ରିଆ ଅଲୌକିକ ଶକ୍ତି କଥା ଭର୍ତ୍ତି କରି ତାଙ୍କ ମନରେ ଭ୍ରମ ସୃଷ୍ଟି କରୁଥିବା ନେଇ ସୁଶାନ୍ତଙ୍କ ଜଣେ ବନ୍ଧୁ ସୂଚନା ଦେଇଛନ୍ତି। ରିଆ ହିଁ ଭୂତଭୟ କହି ସୁଶାନ୍ତଙ୍କୁ ନେଇ ମୁମ୍ବଇର ୱାଟରଷ୍ଟୋନ ହୋଟେଲ୍‌-କ୍ଲବରେ ଦୁଇମାସ ରହିଥିବା ଜଣାପଡ଼ିଛି। ସେଠାରେ ମହେଶ ଯୋଶୀଙ୍କ ସହାୟତାରେ ପୂଜାପାଠ କରାଇଥିଲେ। ଉକ୍ତ ହୋଟେଲକୁ ଯିବାପରଠାରୁ ହିଁ ସୁଶାନ୍ତ ପରିବାରଠାରୁ ଦୂରେଇ ଯାଇଥିବା ଅଭିଯୋଗ ହୋଇଛି।

ପିଠାନିଙ୍କ ୟୁ-ଟର୍ଣ୍ଣ

ସୁଶାନ୍ତଙ୍କର କ୍ରିଏଟିଭ୍‌ କଣ୍ଟେଣ୍ଟ ମ୍ୟାନେଜର୍‌ ସିଦ୍ଧାର୍ଥ ପିଠାନି ତାଙ୍କର ବନ୍ଧୁ ଏବଂ ଫ୍ଲାଟ୍‌ମେଟ୍‌ ମଧ୍ୟ ଥିଲେ। ସେ ହିଁ ପ୍ରଥମେ ପଙ୍ଖାରେ ଝୁଲୁଥିବା ସୁଶାନ୍ତଙ୍କ ମୃତଦେହକୁ ଓହ୍ଲାଇଥିଲେ। ସେ ହିଁ ରିଆଙ୍କ ସମ୍ପର୍କରେ ସୁଶାନ୍ତଙ୍କ ବାପାଙ୍କୁ କହିଥିଲେ। ତେବେ ସୁଶାନ୍ତଙ୍କ ପରିବାର ଏତଲାରେ ତାଙ୍କ ବିରୋଧରେ ଉଲ୍ଲେଖ ନକରିବା ପରେ ସେ ରିଆଙ୍କ ସପକ୍ଷରେ ମତ ରଖୁଥିବା ଜଣାପଡ଼ିଛି। ପିଠାନିଙ୍କ ଏହି ୟୁ-ଟର୍ଣ୍ଣ କେତେକ ଘଟଣା ପ୍ରତି ଦ୍ବିତୀୟଥର ଚିନ୍ତା କରିବାକୁ ବାଧ୍ୟ କରିଛି ବୋଲି ତାଙ୍କ ପରିବାର ଲୋକ କହନ୍ତି: ସୁଶାନ୍ତଙ୍କ ଗୋଟିଏ ଆଖି ଖୋଲା ଥିଲା କାହିଁକି? ତାଙ୍କ ବେକରେ ଥିବା ସନ୍ଦିଗ୍ଧ ଚିହ୍ନଟି ହେଲା କେମିତି? ଆତ୍ମହତ୍ୟାର ଫଟୋ-ଭିଡିଓ ପ୍ରମାଣ ମଧ୍ୟ ନାହିଁ କିମ୍ବା ସୁଶାନ୍ତଙ୍କ ସୁଇସାଇଡ ନୋଟ୍‌ ମିଳିନାହିଁ।

ସିବିଆଇ ତଦନ୍ତ

ମୁମ୍ବଇ ପୁଲିସଠାରୁ ଇତିମଧ୍ୟରେ ମାମଲାଟି ସିବିଆଇ ହାତକୁ ଯାଇଛି ଓ ତଦନ୍ତ ଆରମ୍ଭ ହୋଇଛି। ସିବିଆଇ ଏଥିପାଇଁ ପାଞ୍ଚଟି ଟିମ୍‌ ଗଠନ କରିଛି ଓ ବର୍ତ୍ତମାନ ମାମଲା ସହ ସଂପୃକ୍ତ ସମସ୍ତଙ୍କୁ ଜେରା କରୁଛି। ଇତିମଧ୍ୟରେ ଘଟଣାସ୍ଥଳରେ ଉପସ୍ଥିତ ସୁଶାନ୍ତଙ୍କ ବନ୍ଧୁ ପିଠାନି, ରୋଷେୟା ନୀରଜ ସିଂହ ଓ ଘରୋଇ ସହାୟକ ଦୀପେଶ ସାୱନ୍ତଙ୍କୁ ଜେରା କରିବା ସହ ସେଦିନର ଘଟଣାର ଦୃଶ୍ୟ ରୂପାନ୍ତରଣ କରି ରେକର୍ଡିଂ କରିଛି। ସୁଶାନ୍ତଙ୍କର ହତ୍ୟା କରାଯାଇଥିଲା ନା କାହା ପ୍ରରୋଚନାରେ ପଡ଼ି ସେ ଆତ୍ମହତ୍ୟା କରିଥିଲେ ନା ଅନ୍ୟ କୌଣସି କାରଣରୁ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ, ତାହା ତଦନ୍ତ କରିବ ସିବିଆଇ। ତେବେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଘଟଣାକୁ ପ୍ରମାଣ କରିବା ଆଦୌ ସହଜ ନୁହେଁ। ସେଥିପାଇଁ ଅପରାଧୀଠାରୁ ଠୋସ୍‌ ପ୍ରମାଣ ପାଇବା ଜରୁରୀ; କିନ୍ତୁ ସିବିଆଇ ଏଭଳି ମାମଲା ସମାଧାନରେ ପଛୁଆ ବୋଲି କେତେକ ବିଶେଷଜ୍ଞଙ୍କ ମତ।

ସୁବ୍ରମଣ୍ୟମ୍‌ ସ୍ବାମୀଙ୍କ ଦାବି

ସୁଶାନ୍ତ ମୃତ୍ୟୁ ମାମଲାରେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀଙ୍କ ଟ୍ବିଟ୍‌ ଚର୍ଚାରେ ରହିଛି। ସେ ସୁଶାନ୍ତଙ୍କୁ ବିଷଦେଇ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହ କହିଛନ୍ତି ଯେ ସୁଶାନ୍ତଙ୍କ ପେଟରେ ବିଷ ସଂପୂର୍ଣ୍ଣ ମିଳାଇଯିବା ପାଇଁ ତାଙ୍କ ଶବ ବ୍ୟବଚ୍ଛେଦରେ ବିଳମ୍ବ କରାଯାଇଥିଲା। ଧୀରେଧୀରେ ହତ୍ୟାକାରୀଙ୍କ ସତ୍ୟ ସାମ୍ନାକୁ ଆସୁଛି। ଏହା ପୂର୍ବରୁ ରିଆ ଓ ଚଳଚ୍ଚିତ୍ର ନିର୍ଦେଶକ ମହେଶ ଭଟ୍ଟଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ସମ୍ପର୍କରେ ସେ ଟୁଇଟ୍‌ କରିଥିଲେ। ଅନ୍ୟ ଏକ ଟୁଇଟ୍‌ରେ ସେ ସୁଶାନ୍ତଙ୍କ ରହସ୍ୟମୟ ମୃତ୍ୟୁକୁ ବଲିଉଡ଼ର ‘ୱାଟର୍‌ଗେଟ୍‌’ ଓ ‘ୱାଟର୍‌ଲୁ’ ଆଖ୍ୟା ଦେବାସହ ଏହା ମୁମ୍ବଇ ପୁଲିସ ଓ ମହାରାଷ୍ଟ୍ର ସରକାରଙ୍କ ପାଇଁ ୱାଟର୍‌ଗେଟ୍‌ ବୋଲି କହିଥିଲେ। ଦୋଷୀକୁ ଦଣ୍ଡ ନମିଳିବା ପର୍ଯ୍ୟନ୍ତ ଆମେ ଚେଷ୍ଟା ଜାରି ରଖିବୁ ବୋଲି ମଧ୍ୟ ଚେତାଇ ଦେଇଥିଲେ।
ସେ ଯାହାହେଉ, ଏହି ରହସ୍ୟମୟ ମୃତ୍ୟୁର ବାସ୍ତବତା ସମସ୍ତଙ୍କ ସମ୍ମୁଖକୁ ଆସିବା ଦରକାର।

Comments are closed.