ହଟିବ ଦଲାଲି; ଚାଷୀଙ୍କୁ ମିଳିବ ଝାଳବୁହା ମୂଲ

0

ଭୁବନେଶ୍ୱର :ବିଭିନ୍ନ ସମୟରେ ଚାଷୀମାନେ ସାହୁକାରଠାରୁ ଋଣ ଆଣି ଝାଳ ବୁହାଇ ପନିପରିବା କିମ୍ବା ଫସଲ ଉତ୍ପାଦନ କଲେ ମଧ୍ୟ ଉଚିତ୍‍ ମୂଲ୍ୟ ମିଳୁନାହିଁ। ବହୁ କଷ୍ଟରେ ଉପାର୍ଜିତ ପନିପରିବାକୁ ବାଟରେ ଦଲାଲମାନେ ଶାଗମାଛ ଦର ଦେଇ ଭଣ୍ଡି ନେଉଛନ୍ତି। ଆଜି ବଜାରକୁ କେତେ ମାଲ୍‍ ଆସିଛି ଏବଂ କେତେ ଟଙ୍କାରେ ବିକ୍ରି ହେବ ତାହା ସ୍ଥାନୀୟ ଦଲାଲ ଦର ସ୍ଥିର କରୁଛନ୍ତି। ଯାହାଫଳରେ ଚାଷୀଙ୍କୁ ଉଚିତ୍‍ ମୂଲ୍ୟ ନମିଳିବାରୁ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ଚାଷୀମାନେ ଟମାଟ, କୋବି,ପୋଟଳ, ପିଆଜ ଓ ଅନ୍ୟାନ୍ୟ ପନିପରିବାକୁ ଠିକଣା ଦାମ୍‍ରେ ବିକ୍ରି ନକରି ପାରି ରାସ୍ତାଘାଟରେ ଫୋଫଡା ଫିଙ୍ଗା କରୁଛନ୍ତି। କେତେକ ଚାଷୀ ସାହୁକାରଙ୍କ ବୋଝ ଓ ଫସଲ ହାନୀ ସହି ନପାରି ଆତ୍ମହତ୍ୟା କରୁଥିବା ନେଇ ଅଭିଯୋଗ ଆସୁଛି। ଏହି ଦୁଃଖଦ ପରିସ୍ଥିତିକୁ ମୁକାବିଲା କରିବା ଏବଂ ଚାଷୀଙ୍କୁ ତାଙ୍କର ଉଚିତ୍‍ ପ୍ରାପ୍ୟ ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କ ସମବାୟ ବିଭାଗ ପକ୍ଷରୁ ଏକ ଅଭିନବ ବ୍ୟବସ୍ଥା ଆପଣାଯିବ। ଏଣିକି ଠିକା ଚାଷ(କଣ୍ଟ୍ରାକ୍ଟ ଫାର୍ମିଂ) ବ୍ୟବସ୍ଥା ଜରିଆରେ ଚାଷୀଙ୍କୁ ତାଙ୍କର ହକ୍‍ ଓ ମୂଲ ମିଳିବ ବୋଲି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି।
ଶ୍ରୀ ପାତ୍ରଙ୍କ ସୂଚନା ଅନୁଯାୟୀ ଚାଷୀମାନେ ସେମାନଙ୍କ ଫସଲ ଉତ୍ପାଦନ କରିବାପାଇଁ ବା ଫସଲର ବଜାରୀକରଣ କରିବାପାଇଁ ଏଣିକି ଆଉ ସ୍ଥାନୀୟ ବଜାର କିମ୍ବା ମଣ୍ଡି ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ସେମାନଙ୍କ ନିକଟରେ ଜାତୀୟ ଏବଂ ଆନ୍ତର୍ଜାତୀୟସ୍ତରର ବ୍ୟବସାୟୀ ପହଞ୍ଚିବେ। କେଉଁ ଜିଲାର କେଉଁ ବ୍ଲକକୁ ବ୍ୟବସାୟୀମାନେ ବାଚ୍ଛିବେ ତାହା ସମବାୟ ବିଭାଗ ତଥା ବ୍ୟବସାୟୀ ସ୍ଥିର କରିବେ। ଏଣିକି ବାହାର ବ୍ୟବସାୟୀମାନେ ଚାଷୀଙ୍କ ନିକଟରେ ପହଞ୍ଚିବେ। ସେମାନଙ୍କ ସହିତ ଏକ ୫ବର୍ଷିଆ ଚୁକ୍ତିନାମା ସମ୍ପାଦନ ହେବ। ଚୁକ୍ତିନାମାରେ ଚାଷୀ ଓ ବ୍ୟବସାୟୀଙ୍କ ସର୍ତ୍ତାବଳୀ ସ୍ପଷ୍ଟ ଉଲ୍ଲେଖ ରହିବ। ଚାଷୀମାନେ ଶେଷ ୩ବର୍ଷରେ ସଂପୃକ୍ତ ବିଲରୁ ଏକର ପିଛା କେତେ ଅଧିକ ଫସଲ ଉତ୍ପାଦନ କରିଛନ୍ତି ତାହାକୁ ମାପଦଣ୍ଡ ହିସାବରେ ନିଆଯିବ। ସେହି ଅନୁସାରେ ଏକର ପିଛା ଆଉ କିଛି ଅଧିକ ଅର୍ଥ ବ୍ୟବସାୟୀ ଦେବାକୁ ଚୁକ୍ତିନାମା କରିବେ। ଚୁକ୍ତିନାମା ପରେ ବ୍ୟବସାୟୀମାନେ ବିହନଠାରୁ ଆରମ୍ଭ କରି ସାର୍‍ ଓ ଆନୁଷଙ୍ଗିକ ଯନ୍ତ୍ରପାତି ଯୋଗାଇ ଦେବେ। ଫସଲ ଉତ୍ପାଦନ ହେବା ପରେ ବ୍ୟବସାୟୀମାନେ ବିଲମୁଣ୍ଡରୁ ପନିପରିବା ଓ ଅନ୍ୟାନ୍ୟ ଫସଲ ବୋହି ନେବେ। ଯଦି ଏହି ସମୟରେ ବନ୍ୟା, ବାତ୍ୟା, ରୋଗପୋକ ଭଳି କିଛି ଦୈବୀଦୁର୍ବିପାକ ସଂଘଟିତ ହେଲା ସେଥିପାଇଁ ଚାଷୀଙ୍କୁ କୌଣସି ପ୍ରକାର କ୍ଷତି ପହଞ୍ଚିବ ନାହିଁ। ଗୋଟିଏ ପଟେ ଫସଲ ବୀମା ଏହାଏହି କ୍ଷତିକୁ ଭରଣା କରିବାକୁ ରହିଥିବାବେଳେ ଅନ୍ୟପଟେ ବ୍ୟବସାୟୀ ଏହାର କ୍ଷତି ମୁଣ୍ଡକୁ ନେବ। ମାତ୍ର ଚାଷୀ ତାଙ୍କର ଚୁକ୍ତିନାମା ଅନୁଯାୟୀ ମୂଳ ଅର୍ଥ ପାଇବେ ବୋଲି ଶ୍ରୀ ପାତ୍ର କହିଛନ୍ତି।

Leave A Reply