ଜଗନ୍ନାଥଙ୍କ ଉପରେ ବିଜେପି ନେତ୍ରୀଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ : ସୁରେଶ ରାଉତରାୟ

ଭୁବନେଶ୍ୱର :ଜଗତର ନାଥ ଜଗନ୍ନାଥ ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ପାଇଁ ବିଶ୍ୱଦରବାରରେ ପରିଚିତ ହୋଇପାରିଲେ ବୋଲି ବିଜେପିର ନେତ୍ରୀ  ଲେଖାଶ୍ରୀ ସାମନ୍ତସିଂହାର ଯେଉଁ ମନ୍ତବ୍ୟ ଦେଇଛନ୍ତି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କେବଳ ଓଡ଼ିଆ ଜାତି ନୁହେଁ ଏହା ବିଶ୍ୱର ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଅପମାନ ବୋଲି ଜଟଣୀ ବିଧାୟକ  ସୁରେଶ କୁମାର ରାଉତରାୟ କହିଛନ୍ତି। ବିଜେପି ଦଳ ଜଗତର ନାଥ ଜଗନ୍ନାଥଙ୍କୁ କେଉଁ ଦୃଷ୍ଟିରେ ଦେଖେ ତାହା ଶ୍ରୀମତୀ ସାମନ୍ତସିଂହାରଙ୍କ ମନ୍ତବ୍ୟରୁ ଜଣାପଡ଼ୁଛି।

ବିଧାୟକ ଶ୍ରୀ ରାଉତରାୟ କହିଛନ୍ତି ଯେ ଶ୍ରୀମତୀ ସାମନ୍ତସିଂହାରଙ୍କ କହିବା ଅନୁଯାୟୀ ସମ୍ବିତ ପାତ୍ର ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନରେ ପ୍ରାର୍ଥୀ ହେବାରୁ ବିଶ୍ୱ ଜାଣିଲା ଯେ ଜଗନ୍ନାଥ ଓଡ଼ିଶାରେ ଅଛନ୍ତି। ବିଜେପି ଦଳ ଏଭଳି ଗର୍ବ ଏବଂ ଅହଂକାର ପରିତ୍ୟାଗ କରୁ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜଗନ୍ନାଥଙ୍କୁ ସମସ୍ତେ ଭକ୍ତି କରିଥାଆନ୍ତି। ରଥଯାତ୍ରା ଆମେରିକା, ଇଂଲଣ୍ଡ, ଜାପାନ, ଫ୍ରାନ୍ସ ପ୍ରଭୃତି ସାରା ବିଶ୍ୱରେ ବହୁଦେଶରେ ପାଳିତ ହେଉଅଛି। ବିଶ୍ୱର ବହୁଦେଶରୁ ବିଦେଶୀ ଲୋକ ପୁରୀ ଆସି ଜଗନ୍ନାଥଙ୍କ ସମ୍ପର୍କରେ ଜାଣନ୍ତି। ଆମେରିକା ଓ ଇଂଲଣ୍ଡ ପ୍ରଭୁତି ଦେଶର ଲୋକ ଜାଣନ୍ତି ଜଗନ୍ନାଥ ମନ୍ଦିର ପୁରୀରେ। ପଶ୍ଚିମବଙ୍ଗର ଲକ୍ଷ ଲକ୍ଷ ଭକ୍ତ ପୁରୀ ଆସିଥାନ୍ତି। ଭାରତର ଘରେ ଘରେ ଜାଣନ୍ତି ଜଗନ୍ନାଥ ମନ୍ଦିର କେଉଁଠି ମାତ୍ର ଏ କଥା ବିଜେପି ଦଳ ବା ତାଙ୍କର ନେତ୍ରୀ ନଜାଣିପାରିବା ଦୁର୍ଭାଗ୍ୟଜନକ। ଶ୍ରୀମତୀ ସାମନ୍ତସିଂହାର ସମ୍ବିତ ପାତ୍ରଙ୍କୁ ଖୁସି କରିବାକୁ ଯାଇ ଜଗନ୍ନାଥଙ୍କୁ ନ୍ୟୁନ କରିଦେଇଛନ୍ତି। ଜଣେ ଓଡ଼ିଆ କଦାପି ଏକଥା ସହ୍ୟ କରିପାରିବ ନାହିଁ। ସମ୍ବିତ ପାତ୍ର ପୁରୀରେ ଲୋକସଭାରେ ପ୍ରାର୍ଥୀ ହେବା ପୂର୍ବରୁ ଜଗନ୍ନାଥ ମନ୍ଦିର କଲିକତାରେ ଥିବା କଥା ଲୋକ ଭାବୁଥିଲେ ବୋଲି କହିବା ଏକ ହୀନମନ୍ୟତା ଏବଂ ଅବିବେକିତା ଓ ଅଂହଭାବ। ସମ୍ବିତ ପାତ୍ର ପ୍ରାର୍ଥୀ ହେବାପରେ ଜଗନ୍ନାଥ ମନ୍ଦିର ପୁରୀରେ ଅଛି ବୋଲି ଲୋକ ଜାଣିଲେ ବୋଲି କହି ଶ୍ରୀମତୀ ସାମନ୍ତସିଂହାର ନିଜର ଅଜ୍ଞତାକୁ ପଦାରେ ପକାଇଛନ୍ତି। ଜଣେ ଓଡ଼ିଆଣୀ ହିସାବରେ କିଭଳି ନିଜର ବିବେକ, ବୁଦ୍ଧିକୁ ତଳେ ପକାଇ ଜଗନ୍ନାଥଙ୍କୁ ସେ ଅସମ୍ମାନିତ କଲେ ତାହା ଆଶ୍ଚର୍ଯ୍ୟର କଥା। ଶ୍ରୀମତୀ ସାମନ୍ତସିଂହାର ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କ ନିକଟରେ ଘୃଣିତ ହୋଇଯାଇଛନ୍ତି। ବିଜେପି ଦଳ କିଭଳି ଭାବରେ ତାଙ୍କର ମନ୍ତବ୍ୟକୁ ଏପର୍ଯ୍ୟନ୍ତ ନିନ୍ଦାକଲା ନାହିଁ ଏହା ମଧ୍ୟ ଚିନ୍ତାର ବିଷୟ। ନିଜର ଅବିବେକି ମନ୍ତବ୍ୟ ପାଇଁ ଶ୍ରୀମତୀ ସାମନ୍ତସିଂହାର କ୍ଷମା ମାଗନ୍ତୁ ବୋଲି ଜଟଣୀ ବିଧାୟକ ଶ୍ରୀ ରାଉତରାୟ ଦାବି କରିଛନ୍ତି।

Comments are closed.